IPL ୨୦୨୩: ଆଜି ହାଇଦ୍ରାବାଦକୁ ଭେଟିବ ଲକ୍ଷ୍ନୌ

ହାଇଦ୍ରାବାଦ: ଆଜି ଆଇପିଏଲର ଖେଳାଯିବ ଗୋଟିଏ ମ୍ୟାଚ୍ । ଆଜି ହାଇଦ୍ରାବାଦରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ପ୍ରଥମ ମ୍ୟାଚରେ ପରାଜୟ ବରଣ କରିବା ପରେ ବିଜୟ ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ ହାଇଦ୍ରାବାଦ । ଦଳରେ ନୂଆ ଅଧିନାୟକ ଆଡେନ୍ ମାରକ୍ରମ ଯୋଗ ଦେଇ ସାରିଥିବାରୁ ଦଳର ଶକ୍ତି ବୃଦ୍ଧି ପାଇଛି । ମାରକ୍ରମଙ୍କ ସମେତ ହେନରିକ୍ କ୍ଲାସେନ ଓ ମାର୍କୋ ଜାନସେନ ଦଳରେ ଯୋଗ ଦେଇସାରିଛନ୍ତି । କ୍ଲାସେନ ଦମଦାର ଫର୍ମରେ ରହିଛନ୍ତି । ତେଣୁ ସେ ବଜିର ମ୍ୟାଚରେ ଗ୍ଲେନ୍ ଫିଲିପ୍ସଙ୍କ ସ୍ଥାନରେ ଖେଳିବେ । ତେବେ ଷ୍ଟାର ବ୍ୟାଟସ୍ୟାନ୍ ହ୍ୟାରୀ ବ୍ରୁକଙ୍କ ବ୍ୟାଟରୁ ବନ ସ୍କୋର ଦେଖିବାକୁ ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ସେପେଟେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଚଳିତ ସିଜିନରେ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଲାଭ କରିଥିବାବେଳେ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛି । ତେବେ ଗତ ମ୍ୟାଚରେ ଚେନ୍ନାଇ ସାମ୍ନାରୁ ପରାଜୟ ବରଣ କରିଥିବା ଲକ୍ଷ୍ନୌ ଆଜିର ମ୍ୟାଚରେ କିଛି ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ଦଳରେ ଯୋଗ ଦେଇସାରିଛନ୍ତି । ତେଣୁ ଲକ୍ଷ୍ନୌ ଦଳରେ ଆଜି ମାର୍କସ ଷ୍ଟୋଇନିକ୍ସଙ୍କ ସ୍ଥାନରେ ଡିକକଙ୍କୁ ସୁଯୋଗ ମିଳିପାରେ ।