ଆଜି ଆଇପିଏଲରେ ସୁପର କିଙ୍ଗ୍ସକୁ ଭେଟିବ ସୁପର ଜିଆଣ୍ଟ୍ସ

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଏହି ଆଜି ସନ୍ଧ୍ୟା ୭ ଟା ୩୦ରେ ମୁମ୍ବାଇର ଖେଳାଯିବ । ଉଭୟ ଦଳ ଚଳିତ ସିଜିନରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି । ଯାହାଫଳରେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟର ସ୍ୱାଦ ଚାଖିବାକୁ ଚେଷ୍ଟା କରିବେ ।

ଲକ୍ଷ୍ନୌ କଥା ଯଦି କହିବା ତାହାଲେ ପ୍ରଥମ ମ୍ୟାଚ ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳି ପରାଜିତ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନକୁ ନେଇ ଚିନ୍ତିତ ନାହାନ୍ତି ଅଧିନାୟକ ଲୋକେଶ ରାହୁଲ । କାରଣ ଲକ୍ଷ୍ନୌର ସ୍କୋର ଏକ ସମୟରେ ୪ ଓ୍ୱିକେଟ ହରାଇ ମାତ୍ର ୨୯ ରନ କରିଥିଲା । କିନ୍ତୁ ଏହା ପରେ ଦଳର ଭାର ସମ୍ଭାଳିଥିଲେ ଦୀପକ ହୁଡ଼ା ଓ ଯୁବ ବ୍ୟାଟ୍ସମ୍ୟାନ ଆୟୂଷ ବାଦୋନି । ଉଭୟ ବ୍ୟାଟ୍ସମ୍ୟାନ ଚିତ୍ତାକର୍ଷକ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ।

ସେପଟେ ଚେନ୍ନାଇ ସୁପର କିଙ୍ଗସ କଥା ଯଦି କହିବା ତାହାଲେ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚରେ ସୁପରକିଙ୍ଗସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଥିଲା ମାହିଙ୍କ ଜଲଓ୍ୱା । ମହେନ୍ଦ୍ର ସିଂ ଧୋନି ୩୮ଟି ବଲରୁ ୫୦ ରନର ପାଳି ଖେଳିଥିଲେ । ସେହିପରି ଡ୍ୱେନ ବ୍ରାଭୋ ୨୦ ରନରେ ୩ଟି ୱିକେଟ୍‌ ନେଇଥିଲେ । ତେବେ ଆଜି ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ମୋଇନ ଅଲ୍ଲି ନିଶ୍ଚିତ ଭାବରେ ଖେଳିବେ । ତାଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।