ସୂର୍ଯ୍ୟକୁମାର ଓ ଅକ୍ଷରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପରାଜିତ; ୧୬ ରନରେ ଶ୍ରୀଲଙ୍କା ବିଜୟୀ

1 min read

ପୁଣେ: ପୁଣେରେ ଚାଲିଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୧୬ରନରେ ପରାଜିତ କରିଛି । ଏହି ବଜୟ ସହ ସିରିଜରେ ଶ୍ରୀଲଙ୍କା ୧-୧ରେ ବରାବର କରି ନେଇଛି । ପ୍ରଥମ ମ୍ୟାଚ ଭାରତ ଦୁଇ ରନରେ ଜିତିଥିଲା । ଏବେ ଉଭୟ ଦଳର ନଜର ରାଜକୋଟ ମ୍ୟାଚ ଉପରେ ରହିଛି । ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଦାସୁନ ଶନାକା ଓ କୁଶଲ ମେଣ୍ଡିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୦୬ ରନ କରିଥିଲା । ଅଧିନାୟକ ଶନାକା ୫୬ ରନ କରିଥିବା ବେଳେ କୁଶଳ ମେଣ୍ଡିସ ୫୨ ରନ କରିଥିଲେ ।

ସେହିପରି ଅଶାଲଙ୍କା ୩୭ ଓ ପାଥମ ନିଶାଙ୍କା ୩୩ ରନ କରିଥିଲେ । ଭାରତ ପକ୍ଷରୁ ଉମ୍ରାନ ମଲ୍ଲିକ ସର୍ବାଧିକ ୩ ଓ୍ବିକେଟ ଅକ୍ତିଆର କରିଥିଲେ । ଅକ୍ଷର ପଟେଲ ୨ ଟି ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ମଧ୍ୟ ଭାଗରେ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ଅକ୍ଷର ପଟେଲ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ ।

ଉଭୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୨୦ ଓଭରରେ ଦଳ ୮ ୱିକେଟ୍ ହରାଇ ୧୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ରହିଥିଲା । ତିନି ଓଭର ଭିତରେ ଦଳ ତିନୋଟି ୱିକେଟ୍ ହରାଇଥିଲା । ଇଶାନ କିଶନ (୨ରନ୍), ଶୁଭମନ ଗିଲ୍ (୫ ରନ୍) ଏବଂ ରାହୁଲ ତ୍ରିପାଠୀ (୫ରନ୍) ପାୱାରପ୍ଲେରେ ହିଁ ଆଉଟ୍ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ସେହିପରି ଦୀପକ ହୁଡ୍ଡା ୧୨ ଟି ବଲରେ ୯ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟଲେ ବିସ୍ଫୋରକ ବ୍ୟାଟିଂ କରି ଉଭୟ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ଯେତବେଳେ ଲାଗିଥିଲା ଯେ ଭାରତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଛି ସେହି ସମୟରେ ସୂର୍ଯ୍ୟକୁମାର ୩୬ଟି ବଲରେ ୫୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଶେଷ ଓଭରରେ ଭାରତକୁ ୨୧ ରନ୍ ଜିତିବା ପାଇଁ ଆବଶ୍ୟକ ଥିଲା । କିନ୍ତୁ ଦଳ ମାତ୍ର ୪ ରନ୍ ହିଁ କରିପାରିଥିଲେ । ଅକ୍ଷର ପଟେଲ ୧୯.୩ ଓଭରରେ ୩୧ ବଲରେ ୬୫ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ୧୫ ଟି ବଲରେ ୨୬ ରନ୍ କରିଥିବା ଶିଭମ ମାଭି ମଧ୍ୟ ଶେଷ ଓଭରର ଶେଷ ବଲରେ କ୍ୟାଚଆଉଟ୍ ହୋଇଯାଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା, କସୁନ ରଜିଥା ଏବଂ ଦସୁନ ଶନକା ୨ ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ କରୁଣାରତ୍ନେ ଏବଂ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ୧-୧ରେ ସିରିଜ ବରାବର ହେବା ପରେ ଏବେ ଉଭୟ ଟିମ୍ ୩ୟ ତଥା ଶେଷ ଟି-୨୦ ମ୍ୟାଚ୍ ଉପରେ ଲକ୍ଷ୍ୟ ରଖିଛନ୍ତି । ସିରିଜ ଜିତିବା ପାଇଁ ଉଭୟ ଶେଷ ମ୍ୟାଚ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବେ । ଆସନ୍ତା ୭ ତାରିଖରେ ଗୁଜୁରାଟର ରାଜକୋଟରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ ।