ତାଲିବାନ ଲାଗି ଚାମଚାଗିରି: ଆଫଗାନିସ୍ତାରେ ତାଲିବାନ ସରକାରକୁ ସୁଦୃଢ଼ ଓ ସ୍ଥାୟୀ କରିବାକୁ କହିଲେ ଇମ୍ରାନ୍‌ ଖାଁ

1 min read

କାବୁଲ: ଆନ୍ତର୍ଜାତିକ ସ୍ତରରେ ବି ତାଲିବାନ ଲାଗି ଚାମଚାଗିରି । ଆଫଗାନିସ୍ତାନର ତାଲିବାନ ସରକାରକୁ ଶକ୍ତିଶାଳୀ କରିବା ସହ ସେହି ଦେଶରେ ସ୍ଥିରତା ବଜାୟ ରଖିବା ଲାଗି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନ କହିଛନ୍ତି ତାଲିବାନ ସରକାରକୁ ସ୍ବୀକୃତି ଦେବା ସହ ତାହାକୁ ଶକ୍ତିଶାଳୀ କରିବା ଲାଗି ବିଶ୍ବ ସମୁଦାୟ ଆଗେଇ ଆସିବା ଉଚି । ୭୬ତମ ସାଧାରଣ ଆସେମ୍ବ୍ଲିରେ ଉଦବୋଧନ ଦେଇ ଇମ୍ରାନ କହିଛନ୍ତି- ଆଫଗାନିସ୍ତାନବାସୀଙ୍କ ସ୍ବାର୍ଥ ଲାଗି ସାରା ବିଶ୍ବ ତାଲିବାନ ସରକାରକୁ ଶକ୍ତିଶାଳୀ କରିବା ଉଚିତ ।

ଆଫଗାନିସ୍ତାନ ଲାଗି ବର୍ତ୍ତମାନ ଦୁଇଟି ବିକଳ୍ପ ରହିଛି । ପ୍ରଥମ ହେଉଛି ସେହି ଦେଶକୁ ଗୁରୁତ୍ବ ନଦେବା । ଦ୍ବିତୀୟ ହେଉଛି ସେଠାରେ ଏକ ସ୍ଥିର ସରକାର ଗଠନ ଲାଗି ଉଦ୍ୟମ କରିବା । ଯଦି ଜାତିସଂଘ ଅନୁସାରେ ସେହି ଦେଶକୁ ଅବହେଳା କରାଯିବ ତେବେ ଆସନ୍ତା ବର୍ଷ ସୁଦ୍ଧା ୯୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବେ । ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଇମ୍ରାନ ଦେଇଛନ୍ତି ବିବାଦୀୟ ବିବୃତି । ପାକ୍ ଅଧିକୃତ କାଶ୍ମୀରରୁ ତୁରନ୍ତ ଭାରତ ହଟିଯାଉ ବୋଲି ସେ ଦାବି କରିଛନ୍ତି ।

ସେପଟେ ଇମ୍ରାନଙ୍କ ଏହି ନିର୍ଲ୍ଲଜ ଯୁକ୍ତିକୁ ତୀବ୍ର ବିରୋଧ କରିଛି ଭାରତ । ଆତଙ୍କବାଦୀଙ୍କୁ ସମର୍ଥନ କରିବା ନେଇ ଇମ୍ରାନଙ୍କ ଉପରେ ବର୍ଷିଛନ୍ତି ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହ ଦୁବେ । ସେ କହିଛନ୍ତି- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛିନ୍ନ ଅଙ୍ଗ ହୋଇରହିବ । କୌଣସି ବାହ୍ୟ ରାଷ୍ଟ୍ରର ଚକ୍ରାନ୍ତ ଫଳପ୍ରଦ ହେବ ନାହିଁ । ସେ କହିଛନ୍ତି ଭାରତ ବିରୋଧରେ ପାକିସ୍ତାନ ସର୍ବଦା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସୁଛି । ବର୍ତ୍ତମାନ ବି ଓସମା ବିନ ଲାଡେନକୁ ପାକିସ୍ତାନ ସହିଦ ବୋଲି ଦାବି କରିଆସୁଛି ବୋଲି ସେ କହିଥିଲେ ।

Leave a Reply