ସତ୍ତା ହରାଇବା ପୂର୍ବରୁ ଶକ୍ତି ପ୍ରଦର୍ଶନ: ଖସୁଛନ୍ତି ନିଜ ନେତା, ବିଚଳିତ ଇମ୍ରାନ

1 min read

ନନ୍ଦିଘୋଷ ବ୍ୟୁରୋ: ଶିହରି ଉଠିଲାଣି ପାକିସ୍ତାନ ରାଜନୀତି । ପ୍ରଧାନମନ୍ତ୍ରୀ ପଦ ଖସିବାକୁ ଯାଉଥିବାବେଳେ ବାଉଳି ହେଲେଣି ଇମ୍ରାନ ଖାନ  । ସଂସଦରେ ସତ୍ତା ହରାଇବାକୁ ଯାଉଥିବା ଇମ୍ରାନ ଖାନ ବିଶାଳ ଶକ୍ତି ପ୍ରଦର୍ଶନ କରିଛନ୍ତି  । ସେପଟେ ତେହରିକ-ଇ-ଇନସାଫର ପ୍ରାୟ ୫୦ ଜଣ ସଦସ୍ୟ ନିଖୋଜ ହୋଇଥିବାବେଳେ ଇସ୍ତଫା ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଶାହଜେନ ବୁଗତି ।  ଇମ୍ରାନଙ୍କ ବିରୋଦରେ ମେଳି ବାନ୍ଧିଥିବା ସମସ୍ତ  ବିରୋଧିଦଳ ସୋମବାର ପାକିସ୍ତାନରେ ପ୍ରଦର୍ଶନ କରିବେ ମହାରାଲି ।ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ଦଳର କଣ ରହିଛି ଯୋଜନା? ଦିନକୁ ଦିନ ସଙ୍କଟ ଅଧିକ ଘନୀଭୂତ ହେଉଥିବାବେଳେ ଅବିଚଳ ରହିଛନ୍ତି ଇମ୍ରାନ । ତେଣେ ଅନାସ୍ଥା ଭୋଟ ତାରିଖ ଆସନ୍ତା ଏପ୍ରିଲ ୪କୁ ଘୁଞ୍ଚିଥିବା ସୂଚନା ଦେଇଛନ୍ତି ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ୍ ରସିଦ ଅହମ୍ମଦ ।

ପାଦତଳୁ ମାଟି ଖସୁଥିବାବେଳେ ରବିବାର ଇସଲାମାବାଦରେ ବଡ଼ ଧରଣର ରାଲି କରିଛି ଇମ୍ରାନଙ୍କ ଦଳ ପାକିସ୍ତାନ-ତେହରିକ-ଇ-ଇନସାଫ । ସୋମବାର ଇମ୍ରାନଙ୍କୁ ଟକ୍କର ଦେବା ଲାଗି ଇସଲାମାବାଦରେ ଆୟୋଜିତ ହେବ ବିରୋଧୀ ଦଳଙ୍କ ମହାସମାବେଶ । ବିରୋଧୀଦଳଗୁଡ଼ିକୁ ନେଇ ଗଠିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ବା ପିଡିଏମ ପକ୍ଷରୁ ହେବ ଏହି ରାଲି । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି । ସମାବେଶକୁ ନେଇ ଆଭନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରସିଦ କହିଛନ୍ତି- କୌଣସି ସଡ଼କ ପଥ ଅବରୋଧ କରିବା ଲାଗି ବିରୋଧୀ ଦଳଙ୍କୁ ଅନୁମତି ଦିଆଯିବ ନାହିଁ । ସେପଟେ ଅଧିକ ଘନୀଭୂତ ହୋଇଛି ପାକିସ୍ତାନ ରାଜନୈତିକ ସଙ୍କଟ । ପାକିସ୍ତାନ ତେହରିକ-ଇ-ଇନସାଫ ବା ପିଟିଆଇର ପ୍ରାୟ ୫୦ ମନ୍ତ୍ରୀ ନିଖୋଜ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ଇମ୍ରାନଙ୍କ ଲାଗି ଅଣ୍ଟା ଭିଡିଛନ୍ତି ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି, ସୂଚନା ମନ୍ତ୍ରୀ ଫରଓ୍ବାଦ ଚୌଧୁରୀ, ଶକ୍ତି ମନ୍ତ୍ରୀ ହାମଦ ଆଝାର, ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟକ, ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ୍ ରସିଦ । ରଣନୀତି ନେଇ ମୁତ୍ତାହିଦା କ୍ବାମି ମୁଭମେଣ୍ଟ ବା ଏମକ୍ୟୁଏମ ଓ ପାକିସ୍ତାନ ମୁସଲିମ ଲିଗ୍ କ୍ବେଦ ବା ପିଏମଏଲ-କ୍ୟୁ ସହ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ କ୍ୟୁରେସିଙ୍କ ସମେତ ୩ ବିଶ୍ବସ୍ତ ମନ୍ତ୍ରୀ । ଆଲୋଚନାରେ ଭାଗ ନେଇଥିଲେ ପିଏମଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହି । ୩୪୨ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ସରକାରରେ ସାମିଲ ୬ଟି ଦଳର ମୋଟ ୧୭୬ ସାଂସଦ ରହିଛନ୍ତି । ପିଟିଆଇର ୧୫୫, ଏମକ୍ୟୁଏମ-ପିର ୭, ପିଏମଏଲ-କ୍ୟୁର ୫, ବିଏପିର ୫, ଜିଡିଏର ୩ ଓ ଏଏମଏଲର ଜଣେ ସାଂସଦ ରହିଛନ୍ତି ।

ଅନ୍ୟପଟେ ଯଦି ଦେ,ଖାଯାଏ ତେବେ ବିରୋଧୀ ଦଳରେ ରହିଛନ୍ତି ୬ଟି ଦଳ । ସେମାନଙ୍କ ମୋଟ ସାଂସଦଙ୍କ ସଂଖ୍ୟା ୧୬୨ । ସେମାନେ ହେଲେ ପିଏମଏଲ-ଏନର ୮୪, ପିପିପିର ୫୬, ଏମଏମଏର ୧୫, ବିଏନପି-ଏମର ୧୪, ଏଏନପିର ୧, ସ୍ବାଧୀନ ୨ । ତେବେ ଇମ୍ରାନଙ୍କ ଦଳକୁ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ହେଲେ ୧୭୨ ସଦସ୍ୟଙ୍କ ସମର୍ଥନ ଦରକାର  । କିନ୍ତୁ ବର୍ତ୍ତମାନ ଇମ୍ରାନଙ୍କ ସହ ଅଛି ୧୭୬ ସଦସ୍ୟଙ୍କ ସମର୍ଥନ  । ଅନ୍ୟପଟେ ଯଦି ଦେଖିବା ବିରୋଧି ଦଳ ପାଖରେ ରହିଛି ସମୁଦାୟ ୧୬୨ ସଦସ୍ୟ  । ତେବେ ବିରୋଧି ଦଳ ପାକିସ୍ତାନର ଇମ୍ରାନ ସରକାରକୁ ଭାଙ୍ଗିବାକୁ ହେଲେ ଆବଶ୍ୟକ ମାତ୍ର ୧୦ ଜଣ ସଦସ୍ୟଙ୍କ ସମର୍ଥନ  । ତେବେ ଯଦି ପିଟିଆିର ୫୦ ସଦସ୍ୟଙ୍କ ନିଖୋଜ ଖବର ସଠିକ ହୁଏ, ତେବେ ନିଶ୍ଟିତ ଯେ ଇମ୍ରାନ ସରକାରରୁ ହଟୁଛନ୍ତି  ।