Hyundai Controversy: କାଶ୍ମୀର ପ୍ରସଙ୍ଗରେ ଥମୁନି ଭାରତୀୟଙ୍କ କ୍ରୋଧ, କମ୍ପାନୀର ବୟାନ ସତ୍ତ୍ୱେ Twitter ରେ ଟ୍ରେଣ୍ଡ କରୁଛି #BoycottHyundai

1 min read

Hyundai Kashmir Controversy: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହୁଣ୍ଡାଇର ଆପତ୍ତିଜନକ ପୋଷ୍ଟକୁ ନେଇ ଭାରତୀୟଙ୍କ କ୍ରୋଧ ଥମିବାର ନାଁ ଧରୁନି । ବିବାଦ ତୀବ୍ର ହେଉଥିବା ଦେଖି ହୁଣ୍ଡାଇ ଇଣ୍ଡିଆ ଏହି ପ୍ରସଙ୍ଗରେ ଥରେ ନୁହେଁ ଦୁଇଥର କ୍ଷମା ମାଗି ସାରିଲାଣି କିନ୍ତୁ ବିବାଦ ଥମିବାର ନାଁ ନେଉନି । ଆଉ ଏହା ସହିତ ହୁଣ୍ଡାଇର ଭାରତର ୬ ଶହ କୋଟି ଡଲାର ବ୍ୟବସାୟ ଉପରେ ଲାଗିଲାଗଣି ପ୍ରଶ୍ନ । ଏହି ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ମଙ୍ଗଳବାର ଦିନ ପୁଣିଥରେ କ୍ଷମା ମାଗିଛି । ଟ୍ୱିଟରରେ ବୟକଟ୍ ହୁଣ୍ଡାଇ ଟ୍ରେଣ୍ଡିଂ କରୁଥିବା ବେଳେ ଆସନ୍ତୁ ଜାଣିବା ବିବାଦ ପଛର କାରଣ ..

କଣ ରହିଛି ପୂରା ମାମଲା ?

ଫେବ୍ରୁଆରି ୫ରୁ ଏହି ବିବାଦ ଆରମ୍ଭ ହୋଇଥିଲା । ଫେବ୍ରୁଆରି ୫କୁ ପାକିସ୍ତାନ କାଶ୍ମୀର ଡେ’ ଭାବେ ପାଳନ କରୁଛି । କାଶ୍ମୀର ଡେ’ରେ ଦକ୍ଷିଣ କୋରିଆ କମ୍ପାନୀର ପାକିସ୍ତାନ ୟୁନିଟ୍ ଦ୍ୱାରା ଏକ ଅତ୍ୟନ୍ତ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା । ପାକିସ୍ତାନ ହୁଣ୍ଡାଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ତଥାକଥିତ କାଶ୍ନୀର ସ୍ୱାଧିନତା ଆନ୍ଦୋଳନକୁ ସମର୍ଥନ କରିଥିଲା । ଟ୍ୱିଟରେ ଲେଖାଥିଲା ଯେ, ‘ଆସନ୍ତୁ ଆମର କାଶ୍ମୀରୀ ଭାଇମାନଙ୍କ ବଳିଦାନକୁ ମନେ ରଖିବା ଏବଂ ତାଙ୍କ ସମର୍ଥନରେ ଛିଡ଼ାହେବା କାରଣ ସେମାନେ ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ଆକାଉଣ୍ଟରେ କାଶ୍ମୀର ସଲିଡାରିଟି ଦିବସକୁ ସମର୍ଥନ କରୁଥିବା ଏକ ବାର୍ତ୍ତା ପୋଷ୍ଟ କରି ଏହାକୁ ସ୍ୱାଧୀନତା ସଂଗ୍ରାମ ବୋଲି କହିଥିଲା କମ୍ପାନୀ ।
କେବଳ ଏତିକି ନୁହେଁ, ପାକିସ୍ତାନ ହୁଣ୍ଡାଇ ଦ୍ୱାରା ଫେସବୁକରେ ଏକ ବିବାଦୀୟ ପୋଷ୍ଟ ମଧ୍ୟ କରାଯାଇଥିଲା, ଯେଉଁଥିରେ ଭାରତୀୟ ଏବଂ ଭାରତୀୟ ମୂଳ ଲୋକ ତୀବ୍ର ପ୍ରତିବାଦ କରିଛନ୍ତି । ବଢୁଥିବା ଚାପକୁ ଦେଖି ପାକିସ୍ତାନ ହୁଣ୍ଡାଇ ଏହାର ଟୁଇଟର ଏବଂ ଫେସବୁକ ଆକାଉଣ୍ଟରୁ ଏହି ପୋଷ୍ଟଗୁଡ଼ିକୁ ଡିଲିଟ କରିଦେଇଛି ।

କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ପୋଷ୍ଟକୁ ନେଇ ଭାରତରେ ଚାଲିଥିବା ବିରୋଧ ମଧ୍ୟରେ ହୁଣ୍ଡାଇ ଇଣ୍ଡିଆ ଏହାର ଟ୍ୱିଟର ଆକାଉଣ୍ଟରେ ଏକ ଆଧିକାରିକ ବିବୃତ୍ତି ଜାରି କରିଛି । କମ୍ପାନୀ ତରଫରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ହୁଣ୍ଡାଇ ଗତ ୨୫ ବର୍ଷ ଧରି ଭାରତରେ ବ୍ୟବସାୟ କରୁଛି ଏବଂ ଜାତୀୟତାକୁ ହୃଦୟର ସହ ସମ୍ମାନ କରୁଛି । କମ୍ପାନୀ ଆହୁରି ମଧ୍ୟ ବିବୃତ୍ତିରେ କହିଛି ଯେ, ସୋସିଆଲ ମିଡିଆରେ ହୁଣ୍ଡାଇ ମୋଟର ଭାରତ ସହ ଜଡ଼ିତ ଏହି ପୋଷ୍ଟ ଏହି ମହାନ ଦେଶ ପ୍ରତି ଆମର ପ୍ରତିବଦ୍ଧତା ବିରୁଦ୍ଧ ଅଟେ । ହୁଣ୍ଡାଇ ବ୍ରାଣ୍ଡ ପାଇଁ ଭାରତ ହେଉଛି ଦ୍ୱିତୀୟ ଘର ଏବଂ କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି । ଏହି ଦେଶ ତଥା ଏହାର ଲୋକଙ୍କ ଉନ୍ନତି ପାଇଁ ଆମେ ଉଦ୍ୟମ ଜାରି ରଖିବୁ।’

ବୟାନ ପରେ ବି କାହିଁକି ବଢ଼ୁଛି ଭାରତୀୟଙ୍କ କ୍ରୋଧ ?

କାଶ୍ମୀର ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ଦେଇଥିବା ବିବୃତ୍ତି ପରେ ଭାରତୀୟ ବ୍ୟବହାରକାରୀଙ୍କ କ୍ରୋଧ ଆହୁରି ବୃଦ୍ଧି ପାଇଛି । ଲୋକମାନେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କମ୍ପାନୀ କ୍ଷମା ମାଗିବା ଉଚିତ । ଟ୍ୱିଟରରେ ୟୁଜର୍ସ ମାନେ ୩ଟି ଦାବି ରଖିଛନ୍ତି । ଯାହା ହେଉଛି କମ୍ପାନୀର ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା, କମ୍ପାନୀ ତରଫରୁ ଟ୍ୱିଟରରେ ବ୍ଲକ କରାଯାଇଥିବା ଭାରତୀୟ ୟୁଜର୍ସଙ୍କୁ ଅନବ୍ଲକ କରିବା ଏବଂ କାଶ୍ମୀରକୁ ଭାରତର ଅଂଶ ମାନିବା ।

ଟ୍ୱିଟରରେ ଲଗାତାର ଟ୍ରେଣ୍ଡ କରୁଛି Boycott Hyundai

ହୁଣ୍ଡାଇର ଏପରି ଟ୍ୱିଟ ପରେ ଭାରତୀୟମାନଙ୍କ ଦ୍ୱାରା #BoycottHyundai ଟ୍ରେଣ୍ଡ କରୁଛି । ୨୦୨୦ ମସିହାରେ ଚୀନ ସହ ସୀମା ବିବାଦ ପରେ ଠିକ ଏହିପରି #BoycottChineseGoods ଟ୍ରେଣ୍ଡ କରିଥିଲା ।

ଗତ ବର୍ଷ ଡିସେମ୍ବରରେ, ଅଟୋମେକର୍ ୨୦୨୮ ସୁଦ୍ଧା ଭାରତରେ ପ୍ରାୟ ୬ ଟି ବୈଦ୍ୟୁତିକ ଗାଡି ଚଲାଇବା ପାଇଁ ପ୍ରାୟ ୪,୦୦୦ କୋଟି ଡଲାର ବିନିଯୋଗ କରିବା ନେଇ ଯୋଜନା ଘୋଷଣା କରିଥିଲା । ଆଗାମୀ କିଛି ବର୍ଷ ମଧ୍ୟରେ ଏହାର ଗ୍ଲୋବାଲ୍ ପ୍ଲାଟଫର୍ମ ‘E-GMP’ ଉପରେ ଆଧାର କରି କମ୍ପାନୀ ନୂଆ ଗାଡ଼ି ସହ କିଛି ମିଶ୍ରିତ ମଡେଲ ଲଞ୍ଚ କରିବାକୁ ଯୋଜନା କରୁଛି । ଏଭଳି ପରିସ୍ଥିତିରେ ହୁଣ୍ଡାଇ ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ନିକଟରେ କ୍ଷମା ମାଗିବ କି ନାହିଁ ତାହା ଦେଖିବା ବାକି ରହିଲା ।

Leave a Reply