ହିଜାବ ବିବାଦ: ପବିତ୍ର କୋରାନ୍‌ର କପି ମାଗିଲେ ମାନ୍ୟବର ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ତେଜୁଛି ହିଜାବ ବିବାଦ । ସାରା ରାଜ୍ୟରେ ହିଜାବ ତାତି । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ସ୍କାର୍ଫ ପିନ୍ଧି କଲେଜ ଆସୁଛନ୍ତି । ଫଳରେ ଏହାକୁ ନେଇ ବଢ଼ିଛି ଉତ୍ତେଜନା । ସେପଟେ ହାଇକୋର୍ଟ ଜଜ୍ କୃଷ୍ଣା ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର କରିଛନ୍ତି ଶୁଣାଣି । ଉଡୁପିର ବିଭିନ୍ନ କଲେଜରେ ଜୋରଦାର ଚାଲିଛି ସ୍ଲୋଗାନବାଜି । ହିଜାବକୁ ନେଇ କୋର୍ଟରେ ଆଉ ଏକ ପିଟିସନ ଦାଏର ହୋଇଥିବା ବେଳେ ସବୁ ଦସ୍ତାବିଜକୁ ନଦେଖିବା ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିବାକୁ କୋର୍ଟରେ ଅପିଲ କରାଯାଇଛି ।

ତେବେ ଶୁଣାଣି ବେଳେ ମାନ୍ୟବର ହାଇକୋର୍ଟ ପବିତ୍ର କୋରାନ୍‌ର ଏକ ନକଲ ମାଗିଛନ୍ତି । କୋରାନ୍‌ର କପି ବେଙ୍ଗାଲୁରୁ ଶାନ୍ତିପ୍ରକାଶ ପବ୍ଳିକେଶନ୍ ପ୍ରକାଶ କରିଛନ୍ତି । ଜଷ୍ଟିସ୍ ଦିକ୍ଷୀତ ଆଡଭୋକେଟ୍ ଦେବଦତ୍ତ କାମତଙ୍କୁ କୋରାନ୍‌ର କେଉଁ ଆୟତ ଦେଖିବାର ଆବଶ୍ୟକତା ଅଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ପବିତ୍ର କୋରାନ୍‌ରର ଆୟତ ୨୪.୩୧ ଏବଂ ଆୟତ ୨୪.୩୩ରେ ମୁଣ୍ଡରେ ଦୁପଟ୍ଟା ବା ଓଠଣାକୁ ଆବଶ୍ୟକ ଧାର୍ମିକ କାର୍ଯ୍ୟ ଭାବେ ଦର୍ଶାଯାଇଥିବା କହିଛନ୍ତି ।

ଗତ ଜାନୁୟାରୀରେ ୬ଜଣ ଛାତ୍ରୀ କଲେଜକୁ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିକ୍ଷକଙ୍କ ବାରଣ ପରେ ବି ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିଥିଲେ । ଏହାପରେ ପୁରା ରାଜ୍ୟରେ ଏହି ବିବାଦ ତେଜିଥିଲା । ସେପଟେ ସ୍ଥିତି ଅଧିକ ଉତ୍ତେଜନାମୂଳକ ହେବା ପରେ ଉଡୁପି ଜିଲ୍ଲାର ମହାତ୍ମା ଗାନ୍ଧୀ ମେମୋରିଆଲ କଲେଜକୁ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବାକୁ ନୋଟିସ୍ ଜାରି କରାଯାଇଛି । ତେଣେ ଶିବମୋଗାରେ ସମସ୍ତ କଲେଜକୁ ୨ ଦିନ ଲାଗି ବନ୍ଦ ଘୋଷଣା କରାଯିବା ସହ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରଯାଇଛି । ପ୍ରଭାବିତ ଶିକ୍ଷାନୁଷ୍ଠାନଗୁଡିକୁ ସାତ ଦିନ ଲାଗି ବନ୍ଦ ନିର୍ଦ୍ଦେଶ ଦିଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ଡି.କେ. ଶିବକୁମାର । ଶିକାରିପୁରାରେ ହିଜାବ ସପକ୍ଷବାଦୀ ଛାତ୍ରଛାତ୍ରୀ ଘରୋଇ ବସ୍ ଭଙ୍ଗାରୁଜା କରଛନ୍ତି । ପୋଲିସ ଏହାକୁ ନେଇ ଲାଠିଚାର୍ଜ କରିଛି । ତେଣେ ମଧ୍ୟପ୍ରଦେଶ ସରକାର ହିଜାବକୁ ନିଷିଦ୍ଧ କରାଯାଇଛି । ଡ୍ରେସକୋଡକୁ କଠୋର ଭାବେ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାର ।

Leave a Reply