ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କମିବ ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିବ ମୁକ୍ତି । ଆଭ୍ୟନ୍ତରୀଣ ଓଡ଼ିଶାକୁ ଛାଡିଦେଲେ ବାକି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କମିବ ତାପମାତ୍ରା । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାରୁ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପାମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ଉପକୂଳ ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ମେଘୁଆ ପାଗ ରହିବ । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଷ୍କ ବାୟୁ ଏବଂ ନିର୍ମଳ ଆକାଶ ପାଇଁ ତାତି ବୃଦ୍ଧି ପାଇବ ।

ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରା ବଢିବ । ସେପଟେ ଆସନ୍ତା ୬ ତାରିଖରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ୮ ତାରିଖ ମଧ୍ୟରେ ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି ।