କାଈ ଚଟଣୀରେ ରହିଛି ଭରପୁର ଭିଟାମିନ୍, ଦୂର କରେ ଶ୍ବାସ ଏବଂ ଆଣ୍ଠୁଗଣ୍ଠି ଦରଜ

1 min read

ନନ୍ଦିଘୋଷ ବ୍ୟୁରୋ: ଆମ ଦେଶର ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ଚଟଣୀ ଖିଆଯାଏ | ଆମେ ଚଟଣୀକୁ ପ୍ରାୟ ସବୁଦିନ ଖାଇଥାଉ | ଧନିଆ ଚଟଣୀ, ପୁଦିନା ଚଟଣୀ, ବାଦାମ ଚଟଣୀ, ନଡିଆ ଚଟଣୀ ଏମିତି ବିଭିନ୍ନ ପ୍ରକାର ଚଟଣୀ ଆମେ ଖାଇଥାଉ । ଏହି ସବୁ ଚଟଣୀ ବ୍ୟତିତ ଆମ ଓଡ଼ିଶାରେ କାଈ ଚଟଣୀ ମଧ୍ୟ ଖିଆଯାଏ | କାଈ କହିଲେ ଗୋଟେ ପ୍ରକାର ପିମ୍ପୁଡି ଯାହାକୁ ଚଟଣୀ କରି ଲୋକେ ଖାଇଥାନ୍ତି । ଏବେ ଏହି ଲାଲ୍ ପିମ୍ପୁଡ଼ି ଚଟଣୀ ବା କାଈକୁ ଜିଆଇ ଟ୍ୟାଗ୍ ମିଳିଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଓଡ଼ିଶାର ଏହି ଚଟଣୀ କେବଳ ଓଡ଼ିଶାରେ ମିଳେନି ଏହା ଝାଡଖଣ୍ଡ ଏବଂ ଛତିଶଗଡରେ ମଧ୍ୟ ତିଆରି କରି ଖିଆଯାଏ | ଏହି ରାଜ୍ୟଗୁଡିକର ଆଦିବାସୀଙ୍କ ପାଇଁ ଏହା ନୀତିଦିନିଆ ଖାଦ୍ୟ |

ଏହି ଚଟଣୀ ଖାଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ପିମ୍ପୁଡ଼ିରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଏହା ବ୍ୟତୀତ ଆଇରନ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଏହି ଚଟଣୀରେ ରହିଥାଏ । ଏହା ହାଡକୁ ମଜବୁତ କରେ | ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଏହି ଚଟଣୀ । ଏହି ପିମ୍ପୁଡ଼ିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀର ପାଇଁ ଖୁବ୍ ଭଲ |

କାଈ ଚଟଣୀ ଓଜନ ହ୍ରାସ କରିବାରେ ବି ସାହାଯ୍ୟ କରେ । ଏଥିରେ ଏନଜାଇମ୍ ମିଳିଥାଏ, ଯାହା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରିଥାଏ | ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଚଟଣୀ ଖାଇ ପାରିବେ । ଏହି ପିମ୍ପୁଡ଼ି ଗୁଡ଼ିକରେ କ୍ୟାଲୋରୀ ଏବଂ ଚର୍ବି ବହୁତ କମ୍ ଥାଏ | ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥିବାରୁ ଅନେକ ରୋଗ ଭଲ କରିବାର କ୍ଷମତା ରଖିଥାଏ। ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧରେ ଲାଲ୍ ପିମ୍ପୁଡ଼ି ବ୍ୟବହୃତ ହୁଏ | ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଏହି କାଇ ଚଟଣୀ ମୁକ୍ତି ଦେଇଥାଏ।