ଦଶପଲ୍ଲାରେ ଗ୍ରାଫାଇଟ ଖଣି ସନ୍ଧାନ, ରିପୋର୍ଟ ଦେଲା ସାଟେଲାଇଟ ସର୍ଭେ

 ନୟାଗଡ଼: ଦଶପଲ୍ଲାରେ ମିଳିଛି ଗ୍ରାଫାଇଟ ଖଣିର ସନ୍ଧାନ । ଜିଓଲୋଜିକାଲ ସର୍ଭେରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ଦଶପଲ୍ଲାର ତୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି । ଏନେଇ ଗତ ଗତ 3 ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୁ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏବଂ ଖଣିଜ ସମ୍ପଦ ବିଭାଗ ।

ଉକ୍ତ ଅଞ୍ଚଳରେ 60 ଫୁଟ ଉଚ୍ଚ 30 ଫୁଟ ପ୍ରସ୍ତ ବିଶିଷ୍ଟ 8 କିଲୋମିଟର ପରିବ୍ୟାପ୍ତ ସ୍ଥାନରେ ଗ୍ରାଫାଇଟ ଥିବା ସାଟେଲାଇଟ ଚିତ୍ରରୁ ଆକଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା 10ଟି ଅଞ୍ଚଳରେ 100ମିଟର ଗଭୀର ଡ୍ରିଲ କରି ମାଟି ସଂଗ୍ରହ କରି ପରୀକ୍ଷା କରୁଛି ଟିମ୍ । ତେବେ କେବଳ ସେ ଅଞ୍ଚଳ ନୁହେଁ ଦଶପଲ୍ଲା ବୃତ୍ତଙ୍ଗ ନଦୀ ଅବବାହିକାରେ ମଧ୍ୟ ଗ୍ରାଫାଇଟ୍ ଥିବା ଦାବି କରିଛନ୍ତି ଅଞ୍ଚଳବାସୀ ।

1980 ମସିହାରେ ଏଠାରେ ଗ୍ରାଫାଇଟ ଉତ୍ତୋଳନ କରାଯାଉଥିଲା । ସରିଗଣ୍ଡା ନିକଟରେ ରିଫାଇନାରି ପ୍ଲାଣ୍ଟ ମଧ୍ୟ ଚାଲୁଥିଲା । ପରବର୍ତ୍ତି ସମୟରେ କୌଣସି କାରଣରୁ ଫ୍ୟାକ୍ଟ୍ରି ବନ୍ଦ ହେବା ପରେ ଖଣି ଖନନ ବନ୍ଦ ହୋଇଯାଇଛି । ଏବେ ଖଣିର ସନ୍ଧାନ ହୋଇପାରିଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।