ଭୂତ ସୈନିକଙ୍କ ପାଇଁ ହାତରୁ ଖସିଲା ଆଫଗାନିସ୍ତାନ, ଆମେରିକାର ଅସ୍ତ୍ର ଯାଉଥିଲା ତାଲିବାନ ହାତକୁ

କାବୁଲ: ଭୂତ ସୈନିକଙ୍କ ଲାଗି ଆଫଗାନିସ୍ତାନ ଶାସନ ଯାଇଛି ତାଲିବାନ ହାତକୁ । ଦୀର୍ଘ ବର୍ଷ ଧରି ଆମେରିକା ସହାୟତାରେ ଶକ୍ତିଶାଳୀ ହୋଇଥିବା ଆଫଗାନ ବାହିନୀ କାହିଁକି ସହଜରେ ତାଲିବାନ ନିକଟରେ ପରାସ୍ତ ହେଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବରେ ଆଫଗାନ ସରକାରରେ ଯେଉଁ ସୈନ୍ୟମାନେ ରହିଥିବା ଦର୍ଶାଯାଉଥିଲା ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଭୂତ ସୈନିକ । ଅର୍ଥାତ ସେହି ସୈନିକମାନେ ପ୍ରକୃତରେ ନଥିଲେ । ଜାଲ୍ ମଷ୍ଟର ରୋଲ୍ କରାଯାଇ ସେମାନଙ୍କ ଦରମା ଆତ୍ମସାତ୍ କରାଯାଉଥିଲା । ଆଫଗାନ ପୁନର୍ଗଠନ ଲାଗି ଆମେରିକାର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ବା ସିଗାର ଦର୍ଶାଇଥିଲା ଯେ ଦେଶର ପ୍ରତିରକ୍ଷା ବାହିନୀରେ ୩ ଲକ୍ଷ ସୈନ୍ୟ ରହିଛନ୍ତି । ସେମାନଙ୍କୁ ନିୟମିତ ଦରମା ଦିଆଯାଉଛି । ମାତ୍ର ବାସ୍ତବରେ ଲକ୍ଷାଧିକ ସୈନିକ ଭୂତ ସୈନିକ ଥିଲେ । ସେମାନଙ୍କ ନାଁରେ ମିଥ୍ୟା ରେକର୍ଡ ପ୍ରସ୍ତୁତ କରାଯାଇ ଅର୍ଥ ହଡପ କରାଯାଉଥିଲା ।

ଯଦିଓ ବାୟୋମେଟ୍ରିକ ସିଷ୍ଟମ ଲାଗୁ ହୋଇଥିଲା ତଥାପି ମଷ୍ଟର ରୋଲ ଓ ବାୟୋମେଟ୍ରିକରେ ବ୍ୟାପକ ଅସଙ୍ଗତି ଦେଖାଯାଉଥିଲା । ମାତ୍ର ତାଲିବାନ ନିକଟରେ ୬୦ ହଜାର ପ୍ରକୃତ ଯୋଦ୍ଧା ସମେତ ୨ ଲକ୍ଷରୁ ଅଧିକ କର୍ମୀ ଥିଲେ । ଏହା ସହ ୯୦ ହଜାରରୁ ଅଧିକ ସ୍ଥାନୀୟ ସମର୍ଥକ ଯୋଦ୍ଧା ଥିଲେ । ଆଫଗାନ ସରକାରୀ ସେନାବାହିନୀ ତୁଳନାରେ ତାଲିବାନର ସଂଖ୍ୟା କମ୍ ଥିଲେ ବି ଆତ୍ମବଳ ଯୋଗୁ ସେମାନେ ସହଜରେ ଦେଶକୁ ଅଧିକାର କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଆଫଗାନ ବାହିନୀକୁ ଆମେରିକା ଯେଉଁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ତାହା ତାଲିବାନୀଙ୍କ ହାତରେ ଶୋଭା ପାଉଥିଲା । ଏପରିକି ଆଫଗାନିସ୍ତାନକୁ ଦିଆଯାଇଥିବା ଆମେରିକୀୟ ସାମରିକ ହେଲିକପ୍ଟରକୁ ବି କବଜା କରିଥିଲା ତାଲିବାନ ।

Leave a Reply