ଆଜି ଦ୍ବିତୀୟ ସେମିଫାଇନାଲ; ମୁହାଁମୁହିଁ ହେବେ ଫ୍ରାନ୍ସ ଓ ମରକ୍କୋ

1 min read

କତାର: ବିଶ୍ବକପର ଆଜି ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ମରକ୍କୋ। ଆଜି ରାତି ସାଢେ ୧୨ଟାରେ କତାରର ଅଲଖୋରର ଅଲବାୟତ ଷ୍ଟାଡିୟମରେ ହେବ ମୁକାବିଲା। ସପ୍ତମ ଥର ପାଇଁ ସେମିଫାଇନାଲ ଖେଳି ତୃତୀୟ ଥର ବିଶ୍ବ କପ ଟ୍ରଫି ହାତେଇବା ଚକ୍କରରେ ରହିଛି ଫରାସୀ ବାହିନୀ ।

ସେହିପରି ପ୍ରଥମ ଆଫ୍ରିକୀୟ ରାଷ୍ଟ୍ରଭାବେ ବିଶ୍ବ କପର ସେମିଫାଇନାଲରେ ପହଞ୍ଚିଥିବା ମରକ୍କୋ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି। ଐତିହାସିକ ସଫଳତା ରାସ୍ତାରେ ଫ୍ରାନ୍ସ ବଡ଼ ପ୍ରତିବନ୍ଧକ ସାଜିଛି। ଗ୍ରୁପ ଏଫରେ ସ୍ଥାନ ପାଇଥିବା ମରକ୍କୋ ସ୍ପେନ ଓ ପର୍ତ୍ତୁଗାଲ ପରି ଦଳକୁ ନକଆଉଟ ପର୍ଯ୍ୟାୟରେ ହରାଇ ମନୋବଳ ଦୃଢ କରିଛି। ତେବେ ଫ୍ରାନ୍ସ ବଢିଆ ଫର୍ମରେ ରହିଛି। ଡିଫେନସରେ ଜୁଏଲ୍ସ କୁଣ୍ଡେ, ଥୋଇ ହର୍ଣ୍ଣାଣ୍ଡେଜ ପ୍ରମୁଖ ବିପକ୍ଷର ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଛନ୍ତି ।

ଅପରପକ୍ଷେ ତାରକା ଖେଳାଳି କିଲିଆନ ଏମବାପେ ମଧ୍ୟ ଜବରଦସ୍ତ ଫର୍ମରେ ଥାଇ ୫ଟି ଗୋଲ କରିସାରିଲେଣି। ଏମାନେ ମରକ୍କୋ ଆକ୍ରମଣକୁ ରୋକିବାରେ ସଫଳ ହେବେ ବୋଲି କୁହାଯାଉଛି । ଦଳରେ ଆହତ ସମସ୍ୟା ଲାଗି ରହିଥିବାବେଳେ ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ପ୍ରଶିକ୍ଷକ ଡେ ଡିୟର ଡେସଚାମ୍ପ। ଗତକାଲି ପ୍ରଥମ ସେମିଫାଇନାଲ ଲଢେଇରେ ଆର୍ଜେଣ୍ଟିନା, କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଆସନ୍ତା ୧୮ ତାରିଖରେ ଫାଇନାଲ ମ୍ୟାଚ ହେବ ।