ଇସ୍ରାଏଲ ବିରୋଧରେ ମେଣ୍ଟ ବାନ୍ଧିଲେ ଇରାନ, ହମାସ ଓ ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରାଚ୍ଯରେ ଅବଶମ୍ଭାବୀ ଯୁଦ୍ଧ । ବଢିପାରେ କଳେବର । ଇସ୍ରାଏଲ ବିରୋଧରେ ମେଣ୍ଟ ବାନ୍ଧିଲେ ଇରାନ, ହମାସ ଓ ହେଜବୁଲ୍ଲା । ଆଞ୍ଚଳିକ ସ୍ତରରେ ଏକ ବଡ ଧରଣର ଯୁଦ୍ଧମୁହାଁ ମଧ୍ଯପ୍ରାଚ୍ୟ । ହମାସ ମୁଖ୍ଯ ଇସମାଇଲ ହାନିୟେ ଓ ହେଜବୁଲ୍ଲା ସାମରିକ ମୁଖ୍ଯ ଫାଉଦ ଶୁକରଙ୍କୁ ହତ୍ଯା ପରେ ରକ୍ତମୁଖା ହୋଇଛନ୍ତି ଇରାନ ଓ ସହଯୋଗୀ । ଇସ୍ରାଏଲ ଉପରେ କାତ୍ୟୁଷ ରକେଟ ମାଡ କରିଛି ହେଜବୁଲ୍ଲା ।

ତେବେ ଇସ୍ରାଏଲର କେବଳ ସାମରିକ ସ୍ଥଳୀ ନୁହେଁ ବରଂ ଦେଶ ଭିତରକୁ ଏହି ହମଲା କରିବା ଲାଗି ହେଜବୁଲ୍ଲାକୁ କହିଛି ଇରାନ । ହେଜବୁଲ୍ଲା ଆକ୍ରମଣରେ କିଛି ଲୋକ ମୃତାହତ ହୋଇଥିବାବେଳେ ଇସ୍ରାଏଲର ଡ୍ରୋନ ସିଷ୍ଟମ ଅନେକ ମିସାଇଲ ଓ ରକେଟକୁ ଧ୍ବଂସ କରିବାରେ ସମର୍ଥ ହୋଇଛି । ତେଣେ ଲେବାନନର ବାଜୁରିଏରେ ଇସ୍ରାଏଲ ଡ୍ରୋନ ହମଲାରେ ପ୍ରାଣ ହରିଛନ୍ତି ହେଜବୁଲ୍ଲାର ଜଣେ କମାଣ୍ଡର ଅଲି ଆବିଦ ଅଲି । ଲେବାନନରେ ବିଦେଶୀ ନାଗରିକଙ୍କ ଜୀବନ ବିପନ୍ନ ଥିବାରୁ ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ ଲେବାନନ ଛାଡିବା ଲାଗି ପରାମର୍ଶ ଦେଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ।

ଲେବାନନ ନ ଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି କାନଡା । ସ୍ଥିତି ପ୍ରତି ସତର୍କ ରହିବାକୁ ଭାରତୀୟମାନଙ୍କୁ ବି ଦିଆଯାଇଛି ପରାମର୍ଶ । ସେପଟେ ସ୍ଥିତିର ସମାଧାନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କାତାର, ଇଜିପ୍ଟ ଓ ଆମେରିକା । ଏହି ପରିସ୍ଥିତିରେ ଇରାନ ନୀରବ ରହିବାକୁ ଆହ୍ବାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଣେ ଇରାନର ସମ୍ଭାବ୍ଯ ବିରୋଧରେ ସହଯୋଗର ହାତ ବଢାଇବା ଲାଗି ଆମେରିକା ଓ ବ୍ରିଟେନକୁ ଅନୁରୋଧ କରିଛି ଇସ୍ରାଏଲ । ମଧ୍ଯପ୍ରାଚ୍ଯରେ ନିଜ ସ୍ଥିତି ଜାହିର ଲାଗି ୟୁଏସଏସ ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ଯାରିଅରକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇସାରିଛି ଆମେରିକା । ସେପଟେ ହେଜବୁଲ୍ଲା ପରି ୟେମେନ, ଇରାକ ଓ ସିରିଆର ବହୁ ବିଦ୍ରୋହୀ ସଂଗଠନ ଇରାନ ସମର୍ଥନରେ ବାହାରିଛନ୍ତି ।