କେନ୍ଦ୍ରର ଚାରଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ: କେନ୍ଦ୍ରର ଚାରଧାମ ପ୍ରକଳ୍ପକୁ ସୁପ୍ରିମ ଝଟ୍‌କା । ଚାରିଧାମ ହାଇଓ୍ୱେ ପ୍ରଶସ୍ତୀକରଣ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ଦେଶର ସୁରକ୍ଷା ଆଳରେ ପରିବେଶ ନଷ୍ଟ କରାଯାଇ ପାରିବ ନାହିଁ । ହିମାଳୟର ବିଭିନ୍ନ ଅଞ୍ଚଳରେ ହାଇଓ୍ୱେ ପ୍ରଶସ୍ତୀକରଣ ପ୍ରୋଜେକ୍ଟକୁ ବିରୋଧ କରି ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଚାରିଧାମ ଯାତ୍ରୀଙ୍କ ପାଇଁ ହିମାଳୟ ବକ୍ଷରେ ହାଇଓ୍ୱେ ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ପାଇଁ ଏବେ ସୁଦ୍ଧା ପ୍ରାୟ ୨୫ହଜାର ଗଛ କଟା ସରିଲାଣି । ଏଥିଯୋଗୁ ଭୂସ୍ଖଳନ ଓ ହିମସ୍ଖଳନ ବୃଦ୍ଧି ପାଉଥିବା ବେଳେ ଏହି କ୍ଷତିକୁ ଭରଣା କରାଯାଇପାରିବ ନାହିଁ ବୋଲି ବହୁ ପରିବେଶବିତ୍ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା ।

ତେବେ ଉକ୍ତ ପ୍ରକଳ୍ପ କେବଳ ଚାରିଧାମ ଯାତ୍ରୀଙ୍କ ପାଇଁ ନୁହେଁ ବରଂ ସୀମାରେ ସେନା ନିକଟକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଓ ସେନା ଅଧିକାରୀଙ୍କ ଯା’ଆସ ପାଇଁ ବ୍ୟବହାର ହେବ ବୋଲି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ । ମାତ୍ର ହିମାଳୟ ହାଇଓ୍ୱେ ପ୍ରଶସ୍ତୀକରଣ କାର୍ଯ୍ୟ ଚୀନ୍ ସୀମାଠାରୁ ଶହେ କିମି ଦୂରରେ ହେଉଥିବାରୁ ଏହା ସେନାର କୌଣସି କାର୍ଯ୍ୟରେ ଆସିବନି ବୋଲି ପ୍ରତିପକ୍ଷ ଓକିଲ ଯୁକ୍ତି ବାଢ଼ିଥିଲେ । ଦୁଇପକ୍ଷର ଯୁକ୍ତି ଶୁଣିବା ପରେ ଦେଶର ସୁରକ୍ଷା ସାଙ୍ଗକୁ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

Leave a Reply