ଅଲୋଡ଼ା ଦିବ୍ୟାଙ୍ଗ ଶିଶୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର

ଢେଙ୍କାନାଳ: ଅଲୋଡ଼ା ହୋଇଛି ଦିବ୍ୟାଙ୍ଗ ଶିଶୁ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ଶିଶୁ ଉଦ୍ଧାର ହୋଇଛି । ଖବର ପାଇ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ଅନୁରାଧା ଗୋଷ୍ୟାମୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଶିଶୁକୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଗଲା ପରେ ଥଇଥାନ କରାଯିବ ।

ଶିଶୁକୁ କିଏ ଓ କାହିଁକି ଏପରି ଛାଡ଼ିଚାଲିଗଲେ, ତାହାର କାରଣ ଅସ୍ପଷ୍ଟ ରହିଛି  ।  ଏହି ଘଟଣାର ସଠିକ ତଦନ୍ତ କରାଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି । ଶିଶୁଟିର ଆନୁମାନିକ ବୟସ ୩ରୁ ୪ବର୍ଷ ହେବ । ତେବେ ଯେହେତୁ ଶିଶୁଟି ଅପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ତେଣୁ କେହି ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ତାହାକୁ ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି  ।

ଏଭଳି ଘଟଣା ସାଧରଣରେ ଚର୍ଚ୍ଚା ପାଲଟିଛି  । ନିଜ ସନ୍ତାନକୁ ଏମତି ମରଣ ମୁହଁରେ ଛାଡିଦେବା ଗ୍ରହଣୀୟ ନୁହେଁ  । ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ  । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ  ।