ଦିଲ୍ଲୀରେ ପୁଣି ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ । ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ବଢିଥିବାବେଳେ ଆଜି ଦିଲ୍ଲୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାର ସମୀକ୍ଷା କରାଯାଇଛି । ଆସନ୍ତା ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ବୃଦ୍ଧି କରାଯାଇଛି । ସେପଟେ ଦିଲ୍ଲୀରେ ଏକ୍ୟୁଆଇ ୩୪୯ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ପବନର ଗତି ଅତି ଧୀର ରହିଥିବାରୁ ପ୍ରଦୂଷଣ ହ୍ରାସ ପାଇବାର ନାଁ ନେଉନାହିଁ । ଆସନ୍ତା ଦୁଇ ଦିନ ଯାଏଁ ପ୍ରଦୂଷଣର ମାତ୍ରା ଥମିବାର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପ୍ରଦୂଷଣ ବିଭାଗ । ଆସନ୍ତା ୨୪ ତାରିଖରୁ ଶୀତ ବଢିବା ସହ ତାପମାତ୍ରା ହ୍ରାସ ପାଇବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହି କାରଣରୁ ଦିଲ୍ଲୀରେ ପ୍ରଦୂଷଣ ଥମିବାର ସମ୍ଭାବନା ନଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ଅଞ୍ଚଳରେ ନଡା ପୋଡିବା ଜାରି ରହିଥିବାରୁ, ଏହାର ପ୍ରଭାବରେ ଦିଲ୍ଲୀବାସୀ ଆକ୍ତାମାକ୍ତା ଅବସ୍ଥାରେ କାଳ କାଟୁଛନ୍ତି । ଆନନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ସର୍ବାଧିକ ଖରାପ ସ୍ଥିତିରେ ରହିଛି । ଏଠାରେ ଏକ୍ୟୁଆଇ ରହିଛି ୩୯୪ । ସେହିପରି ଆକେ ପୁରମରେ ଏକ୍ୟୁଆଇ ରହିଛି ୩୫୯ ।

ସେପଟେ ଯମୁନା ନଦୀରେ ପୁଣି ବଢିଲା ପ୍ରଦୂଷଣ । ନଦୀରେ ପ୍ରଚୁର ଫେଣ ଭାସୁଥିବା ଦେଖାଦେଇଛି । ଗତ କିଛି ଦିନ ତଳେ ନଦୀରେ ଫେଣ ଭାସୁଥିବା ଯୋଗୁ ପ୍ରଦୂଷଣ ବଢିବା ଆଶଙ୍କା କରାଯାଉଥିଲା । ଏବେ ପୁଣି ଥରେ ପ୍ରଚୁର ଫେଣ ଭାସୁଥିବାରୁ ଚିନ୍ତା ପ୍ରକାଶ ପାଇଛି । ଗତ ୮ ତାରିଖରୁ ନଦୀରେ ଧାରାବାହିକ ଭାବେ ଫେଣ ଭାସିବା ପରିଲକ୍ଷିତ ହୋଇଆସୁଛି । ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ କ୍ଷେତ୍ରରୁ ବାହାରୁଥିବା ବିଷାକ୍ତ ଜଳ ପ୍ରଭାବରୁ ଏହି ଫେଣ ସୃଷ୍ଟି ହୋଇଥିବା ବିଶେଷଜ୍ଞ କହିଛନ୍ତି । ୱାଜିରାବାଦ ଓ ଓଖଲା ମଧ୍ୟସ୍ଥ ୨୨ କିଲୋମିଟର ନଦୀରେ ଏହି ଫେଣ ବହୁଳ ଭାବେ ପରିଲକ୍ଷିତ ହୋଇଛି ।

Leave a Reply