କରୋନା ଫଟୋଗ୍ରାଫି, ଦାନିଶ୍ ସିଦ୍ଦିକଙ୍କୁ ପୁଲିତଜର ପୁରସ୍କାର
ନୂଆଦିଲ୍ଲୀ: ଆମେରିକାର ସର୍ବ ବୃହତ ପୁଲିତଜର ପୁରସ୍କାର ୨୦୨୨ର ବିଜେତାଙ୍କ ନାମ ସୋମବାର ଘୋଷଣା ହୋଇଛି । ଭାରତରେ କରୋନା ସମୟରେ ଉଲ୍ଲେଖନୀୟ ଫଟୋଗ୍ରାଫ ପାଇଁ ଦାନିଶ୍ ସିଦ୍ଦିକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଦାନିଶ୍ ସିଦ୍ଦିକଙ୍କ ସହ ରଏଟର୍ସ ସାମ୍ବାଦିକ ଅଦନନ୍ ଅବିଦି, ସାନା ଇରଶାଦ ମାତ୍ତୋ ଏବଂ ଅମିତ୍ ଦେବଙ୍କୁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଛି । ଗତ ବର୍ଷ ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିଲେ ସାମ୍ବାଦିକ ଦାନିଶ୍ ସିଦ୍ଦିକ । ସମାଚାର ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିବା ଦାନିଶ୍ ସିଦ୍ଦିକ ଜାମିବ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ ।
ଗତବର୍ଷ ଜୁଲାଇ ୧୬ରେ ଆଫଗାନିସ୍ତାନରେ ସେ କର୍ତ୍ତବ୍ୟରତ ଥିବାବେଳେ ତାଲିବାନ ଗୁଳିରେ ପ୍ରାଣ ହରାଇଥିଲେ । ସିଦ୍ଦିକ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶ ସ୍ଥିତି ସ୍ପିନ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେ ସେଠାକୁ ଯାଇଥିଲେ। ସେ ଆଫଗାନ ସୈନ୍ୟଙ୍କ ଗହଣରେ ରହି ଫଟୋ ଉଠାଉଥିଲା ବେଳେ ତାଲିବାନି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟବେଳକୁ ଦାନିଶ୍ ସିଦ୍ଦିକଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ୨୦୧୮ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦାନିଶ୍ ସିଦ୍ଦିକ ଏବଂ ତାଙ୍କ ଟିମକୁ ପ୍ରଥମ ଥର ପାଇଁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଥିଲା ।
କରୋନାର ଦ୍ୱିତୀୟ ଲହରରେ ଡାନିଶ୍ ସିଦ୍ଦିକିଙ୍କ ଦ୍ୱାରା ଉଠାଯାଇଥିବା କିଛି ଫଟୋ …
ଏହି ଫଟୋ ମେ’ ୪ରେ ନୂଆଦିଲ୍ଲୀର ଶବଦାହ ସ୍ଥଳରେ ଉଠାଯାଇଥିଲା । ଏଥିରେ ପରିବାର ସଦସ୍ୟମାନେ କରୋନା ରୋଗୀଙ୍କ ଶବଦାହ କରିବା ପାଇଁ ଅପେକ୍ଷା କରିଥିଲେ ।
ଏହି ଫଟୋ ୪ ମେ’ରେ ନୂଆଦିଲ୍ଲୀର ଶ୍ମଶାନ ଘାଟରେ ଉଠାଯାଇଥିଲା । ଏଥିରେ ୧୯ ବର୍ଷୀୟ ପ୍ରଣବ ମିଶ୍ର ତାଙ୍କ ମାଆ ମମତା ମିଶ୍ରଙ୍କ ମୃତଦେହ ପାଖରେ ବସିଛନ୍ତି । ତାଙ୍କ ମା’ଙ୍କ କରୋନାରେ ମୃତ୍ୟୁବରଣ କରିଥିଲେ ।
ଏହି ଫଟୋ ୨୨ ଏପ୍ରିଲରେ ନୂଆଦିଲ୍ଲୀର ଶ୍ମଶାନ ଘାଟରେ ଉଠାଯାଇଥିଲା । ଏଥିରେ କରୋନା ଭାଇରସରେ ମୃତ୍ୟବରଣ କରିଥିବା ପୀଡିତଙ୍କ ସାମୂହିକ ଶବଦାହ କରାଯାଉଛି ।
ଏହି ଫଟୋ ୨୮ ଏପ୍ରିଲରେ ନୂଆଦିଲ୍ଲୀର ଶ୍ମଶାନ ଘାଟରେ ଉଠାଯାଇଥିଲା । ଏଥିରେ ଅଭିଷେକ ଭରଦ୍ୱାଜ ତାଙ୍କ ମାଆଙ୍କର ଅନ୍ତିମ ସଂସ୍କାର କରିବା ପରେ ଠିଆ ହୋଇଛନ୍ତି ।