ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ୍, ଓଡିଶାର ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଅମରାବତୀ: ଭୟଙ୍କର ହେଉଛି ବାତ୍ୟା ମିଗଜୋମ୍। ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ । ସଜାଗ ରହିଛି ଓଡ଼ିଶା । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟକୁ ଅରେଞ୍ଜ ଆଲର୍ଟ। ୭୦ ରୁ ୨୦୦ ମିଲିମିଟର ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ। କ୍ଷତିଗ୍ରସ୍ତ ହେବ ଅମଳ ଉପଯୋଗୀ ଧାନ। ଏସ୍ଆରସିଙ୍କ ଜରୁରୀ ସମୀକ୍ଷା ବୈଠକ। ଯେକୌଣସି ପରିସ୍ଥିତି ମୁକାବିଲା ନେଇ ପ୍ରସ୍ତୁତ ହୋଇଛି ବ୍ଳୁପ୍ରିଣ୍ଟ। ୫ ଜିଲ୍ଲାରେ ମୁତୟନ ହେଲା ଓଡ୍ରାଫ ଟିମ୍।

ଅତିରିକ୍ତ ଅଗ୍ନିଶମ ବାହିନୀ ସଜାଗ । କୂଳକୁ ଫେରିଆସିଲା ୨୦ ହଜାର ମାଛଧରା ଡଙ୍ଗା । କୃଷି, ଶକ୍ତି ଓ ମତ୍ସ୍ୟ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ। ଆନ୍ଧ୍ରରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇବ ମିଗଜୋମ୍। ଏଭଳି ଆକଳନ ପରେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ବିଭିନ୍ନ ବିଭାଗ ସହ ଏସ୍ଆରସି ଜରୁରୀ ବୈଠକ କରିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାକୁ ଆଖି ଆଗରେ ରଖି ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମଣ୍ଡିରେ ଥିବା ଅଫିସରଙ୍କ ସହ ଯୋଗାଯୋଗ କରାଯାଇଛି। ଚାଷୀ ଯେପରି ହଇରାଣ ନହେବେ, ସେନେଇ ପଦକ୍ଷେପ ନେବାକୁ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଆଜି ଆହୁରି ଘନୀଭୁତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ବେଳକୁ ଭୀଷଣ ବାତ୍ୟା ମିଗଜୋମ୍ ଉତ୍ତର ଦିଗରେ ଗତିକରି ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲାର ନିକଟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାକୁ ୯୦ ରୁ ୧୦୦କିଲୋମିଟର ବେଗରେ ପବନ ବହିବ। ଭୀଷଣ ବାତ୍ୟା ପ୍ରଭାବରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ପାଇଁ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ାର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୬ ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଏହାସହ ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ କେନ୍ଦ୍ର।

ବାତ୍ୟା ପ୍ରଭାବରେ ଆଜି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ୬ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୭ ତାରିଖରେ ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୮ ତାରିଖ ବେଳକୁ ପାଗ ବଦଳିବ।