ପୋଲିସ ମୁଣ୍ଡବିନ୍ଧା ପାଲଟିଛନ୍ତି ସାଇବର ଠକ: କ୍ରିପ୍ଟୋ କରେନ୍ସି ଲୋଭ ଦେଖାଇ ମହିଳାଙ୍କ ପାଖରୁ ଲୁଟିଲେ ୬ ଲକ୍ଷ ୮୦ ହଜାର

କଟକ: ସାଇବର ଅପରାଧ ପୋଲିସ ପାଇଁ ସାଜିଛି ମୁଣ୍ଡବିନ୍ଧା । ଲୋଭନୀୟ ଅଫର ଦେଇ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି ଅଦୃଶ୍ୟ ଠକ । ଯିଏ ଥରେ ଫସିଲା ସିଏ ହରାଉଛି ଲକ୍ଷାଧିକ ଟଙ୍କା । କଟକ ସଦର ଅଞ୍ଚଳର ଜଣେ କର୍ମଜୀବୀ ମହିଳାଙ୍କୁ କ୍ରିପ୍ଟୋ କରେନ୍ସି ଲୋଭ ଦେଖାଇ ୬ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଛି ସାଇବର ଲୁଟେରା । କେବଳ ସେ ନୁହନ୍ତି ଚଳିତ ବର୍ଷକ ଭିତରେ ୧୦ କୋଟିରୁ ଊର୍ଦ୍ଧ୍ବ ଠକେଇ ସାମ୍ନାକୁ ଆସିଛି । କିଛି କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଥିବାବେଳେ ସଚେତନତା ହିଁ ଏଥିରୁ ମୁକୁଳିବାର ଏକମାତ୍ର ଉପାୟ ବୋଲି କହିଛନ୍ତି ବିଶେଷଜ୍ଞ ।

ଟେଲିଗ୍ରାମ ଫ୍ରଡର ଶିକାର ହେଲେ ପୁଣି ଜଣେ ମହିଳା । କ୍ରିପ୍ଟୋ କରେନ୍ସି ଲୋଭରେ ହରାଇଲେ ୬ ଲକ୍ଷ ୮୦ ହଜାର ଟଙ୍କା । ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଏଥର ଠକେଇର ଶିକାର ହୋଇଛନ୍ତି କଟକ ସଦର ଅଞ୍ଚଳରେ ଜଣେ କର୍ମଜୀବୀ ମହିଳା । ଲୋଭନୀୟ ଅଫର ଦେଖାଇ ଲୁଟି ନେଇଛନ୍ତି ସାଇବର ଠକ । ଖାଲି ଏହି ଗୋଟିଏ ଘଟଣା ନୁହେଁ ଏକବର୍ଷ ମଧ୍ୟରେ ଥାନାକୁ ଆସିଲାଣି ଏମିତି ଅନେକ ମାମଲା । ବର୍ଷକ ମଧ୍ୟରେ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଲେଣି ଅଦୃଶ୍ୟ ଠକ । ୧୯ ମାମଲାରେ ପୋଲିସ ଅପରାଧୀଙ୍କୁ ଧରିବା ସହିତ ଏକ କୋଟି ୫୦ ଲକ୍ଷ ଟଙ୍କା ଜବତ କରିବାକୁ ସଫଳ ହୋଇଛି । ତେବେ ବାରମ୍ବାର ସଚେତନ ସତ୍ତ୍ବେ ଲୋକେ ଲୋଭରେ ପଡ଼ି ସାଇବର ଠକେଇର ଶିକାର ହେଉଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଅନେକାଂଶରେ ଯୁବପିଢି ଓ ବରିଷ୍ଠ ନାଗରିକ ଠକେଇର ଶିକାର ହେଉଛନ୍ତି । ଅଧିକ ଟଙ୍କା ରୋଜଗାର କରିବାର ନିଶାରେ ଜାଲ ବିଛାଉଛନ୍ତି ଠକ । ପ୍ରଥମେ କିଛି ଲାଭ ଦେଇ ପରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ପୋଲିସକୁ କିଛି କ୍ଷେତ୍ରରେ ସଫଳତା ମିଳୁଥିଲେ ସୁଦ୍ଧା ସଚେତନତା ହିଁ ଏଥିରୁ ମୁକୁଳିବାର ଏକମାତ୍ର ଉପାୟ ବୋଲି କହିଛନ୍ତି ବିଶେଷଜ୍ଞ ।