ସାଢେ ୩ ଫୁଟ ଉଠିବ କଟକ ଫ୍ରେଣ୍ଡସ କଲୋନୀ ସର୍ପେଶ୍ବର ମନ୍ଦିର, ଖର୍ଚ୍ଚ ହେବ ୮ ଲକ୍ଷ

କଟକ: କଟକ ଫ୍ରେଣ୍ଡସ କଲୋନୀ ସର୍ପେଶ୍ବର ଶିବ ମନ୍ଦିର । ୪୦ ବର୍ଷର ଏହି ପୁରୁଣା ମନ୍ଦିର ପ୍ରତି ସମସ୍ତଙ୍କ ରହିଛି ଆସ୍ଥା ଓ ବିଶ୍ବାସ । ହେଲେ ସହରିକରଣ ଭିତରେ ଏହା ତଳକୁ ଖସିଛି । ଫଳରେ ବର୍ଷା ଦିନ ହେଲେ ବଜ୍ରକବାଟୀ ମୁଖ୍ୟ ନାଳ ପାଣି ମନ୍ଦିରରେ ପ୍ରବେଶ କରିବା ସହ ମନ୍ଦିର ଜଳବନ୍ଦୀ ରହୁଛି । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ମନ୍ଦିର ପରିଚାଳନା କମିଟି । ମନ୍ଦିରକୁ କୌଣସି କ୍ଷତି ନକରି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଉଠାଇବାକୁ ଉଦ୍ୟମ କରାଯାଉଛି । ଲୁହା ଜଗ୍ ସାହାଯ୍ୟରେ ସାଢେ ତିନି ଫୁଟ ଉପରକୁ ଉଠାଯିବ । ନଭେମ୍ବର ୨୨ ତାରିଖରୁ କାମ ଆରମ୍ଭ ହୋଇଥିବାବେଳେ ଜାନୁଆରୀ ପ୍ରଥମ ସପ୍ତାହରେ କାମ ଶେଷ ହେବ । ଏହାର ଦାୟିତ୍ୱ ନେଇଛି ହରିୟାଣାର ଏକ ସଂସ୍ଥା ।

ପୂର୍ବରୁ କଟକ ଓ ଭୁବନେଶ୍ବରରେ ରାଜ୍ୟ ବାହାରର ନିର୍ମାଣକାରୀ ସଂସ୍ଥା ଏକାଧିକ ବିଲଡିଂକୁ ଉପରକୁ ଉଠାଇବା କାମ କରିଥିଲେ । ତେବେ ଜଗ୍ ସାହାଯ୍ୟରେ ଏକ ମନ୍ଦିରକୁ ଉପରକୁ ଉଠାଇବା କାମ ପ୍ରଥମ ଥର ଲାଗି ହେଉଛି । ଏଥିପାଇଁ ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମନ୍ଦିର ଉପରକୁ ଉଠିବା ସହ ସେହିପରି ଦୃଢ ରହିବ ବୋଲି କହିଛନ୍ତି କାରିଗର ।