ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର

1 min read

ଭୁବନେଶ୍ବର: ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ତଥା ଓଡିଆ ପୁଅ ସଂତୃପ୍ତ ମିଶ୍ର । ନବୀନ ନିବାସରେ ଆଜି ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ । ଉପସ୍ଥିତ ଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସେହ୍ନାଙ୍ଗିନୀ ଛୁରିଆଙ୍କ ପ୍ରମୁଖ ନେତା ।

ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ତଥା ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ଯକ୍ଷ ଥିବା ସଂତୃପ୍ତ ମିଶ୍ର କର୍ପୋରେଟ ଜଗତର ଜଣେ ବଡ଼ ବ୍ଯକ୍ତିତ୍ବ । ସୀମିତ ସମୟରେ ସଫଳତାର ଏତେ ସୋପାନ ଆରୋହଣ କରିବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ଯୁବ ପିଢି ପାଇଁ ସେ ହେଉଛନ୍ତି ଆଦର୍ଶ । ବିର୍ଲା ଗ୍ରୁପର ସଫଳତା ପଛରେ ତାଙ୍କର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ । କମ୍ପାନୀର ପାଞ୍ଚ ପାଞ୍ଚଟି ପଦବୀରେ ରହି ସେ ସଫଳତାର ସହ ଦାୟିତ୍ବ ତୁଲାଇବାରେ ସମର୍ଥ ହୋଇଥିଲେ । ବିଚକ୍ଷଣ ବିଜିନେସ୍ ଅପରେସନ୍, ଷ୍ଟ୍ରାଟେଜି, ଭିଜନ୍, ମ୍ୟାନେଜମେଣ୍ଟ ଓ ଚେଞ୍ଜ୍ ଅପରେସନ୍ ପାଇଁ ଜଣାଶୁଣା ସଂତୃପ୍ତ ମିଶ୍ର ଦେଶ ବିଦେଶରୁ ଅନେକ କର୍ପୋରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସଂତୃପ୍ତ ମିଶ୍ର ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି । ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରରୁ ଶିକ୍ଷା ସଂପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଜିନେସ୍ ସ୍କୁଲରେ ନାମ ଲେଖାଇ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଯେତେବେଳେ ଯେଉଁ ବିଶ୍ବବିଦ୍ୟାଳୟରେ ପଢିଛନ୍ତି, ସବୁଠି ଫାଷ୍ଟ କ୍ଲାସ୍ ଫାଷ୍ଟ ହୋଇଛନ୍ତି । ଛାତ୍ର ଜୀବନରେ ୪ ଥର ଗୋଲଡ ମେଡାଲ ପାଇଛନ୍ତି । ଇଂଲଣ୍ଡର ଆଷ୍ଟନ୍ ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡିଏସସି ଉପାଧି ପ୍ରଦାନ କରିଛି ।