ମୋଟା ପୋଲିସଙ୍କୁ ୩ ମାସର ମହଲତ

1 min read

ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ କେତେ ହେବା କଥା ଜଣାଇଦିଆଯିବ । ସାଧାରଣରେ ୧୯ରୁ୨୫ ଯାଏଁ ବିଏମଆଇକୁ ସ୍ୱାଭାବିକ ଧରାଯାଏ । ୩୦ ବିଏମଆଇକୁ ମେଦବହୁଳତା ଭାବେ ବିବେଚନା କରାଯାଏ ।

ଏଭଳି ଓଜନ ଓ ହିସାବ କଲା ପରେ ସମସ୍ତେ ଜାଣିପାରିବେ, ସେମାନଙ୍କ ଓଜନ କେତେ ରହିବା କଥା । ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ । ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ । ପୁଣି ତିନି ମାସ ପରେ ଅର୍ଥାତ ନଭେମ୍ବର ମାସରେ ସମସ୍ତଙ୍କ ଓଜନ ନିଆଯିବ । ତିନି ମାସ ପରେ ବିଶେଷ କରି ଯେଉଁମାନଙ୍କ ବିଏମଆଇ ୩୦ ଉପରେ ରହିବ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟମ କରିବାକୁ ଆସିବାକୁ ପଡ଼ିବ । ନଚେତ୍ ୬ ସପ୍ତାହର ରିଫ୍ରେଶର କୋର୍ସରେ ଯୋଗ ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି  । ଏହାକୁ କଡାକଡି ପାଳନ କରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି ।

ତିନିମାସ ପରେ ଦେଖାଯିବ ସମାନେ ଓଜନ କମାଇବାକୁ ଚେଷ୍ଟା କରିଛନ୍ତି କି ନାହିଁ । ଯେଉଁମାନେ ଏହି ଆଦେଶକୁ ଗୁରୁତ୍ୱର ସହ ନେବେନାହିଁ ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରମା ବୃଦ୍ଧି ବନ୍ଦ କରିବା ସହ ଦରକାର ପଡ଼ିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । କରୋନା ପାଇଁ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଏପରି ସ୍ଥିତି କେତେ ଦିନ ଲାଗି ରହିବ ତାହା କହିହେବ ନାହିଁ । ତେଣୁ, ଜୀବନଶୈଳୀରେ ପରିବର୍ତ୍ତନ ଆଣି ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ ।

Leave a Reply