ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, କହିଲେ ଏହି ସମ୍ମିଳନୀ ସବୁଦିନ ପାଇଁ ଏକ ଲ୍ଯାଣ୍ଡମାର୍କ ହୋଇ ରହିବ

ଭୁବନେଶ୍ବର: ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଯାପନୀ ଦିବସରେ ଉଦବୋଧନ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ଏକ ଇତିହାସ । ସମ୍ମିଳନୀରେ ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ ପ୍ରମୁଖ ସାମିଲ ହୋଇଥିଲେ । ଏଥିପାଇଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ । ଆମ ଭାଷା ଇତିହାସରେ ଏହି ସମ୍ମିଳନୀ ସବୁଦିନ ପାଇଁ ଏକ ଲ୍ଯାଣ୍ଡମାର୍କ ହୋଇ ରହିବ । ପ୍ରତି ୫ ବର୍ଷରେ ଥରେ ଭାଷା ସମ୍ମିଳନୀର ଆୟୋଜନ କରାଯିବ । ଭାଷା ପାଇଁ ଆମେ ସମସ୍ତେ ପୁଣି ଏକାଠି ହେବା । ଏହି ତିନିଦିନ ମଧ୍ଯରେ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଏଥିରେ ଖୁବ ଭଲଭଲ ପ୍ରସ୍ତାବ ମଧ୍ଯ ଆସିଛି । ବର୍ତ୍ତମାନ ବିଧାନସଭା ଚାଲିଛି । ଭାଷା ସମ୍ପର୍କରେ ନିଷ୍ପତ୍ତି ବିଧାନସଭାରେ ଘୋଷଣା ହେବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି । ଯୁଗଯୁଗ ଧରି ଓଡ଼ିଆ ଭାଷା ଓଡ଼ିଶା ଜାତିର ପରିଚୟକୁ ଆଗକୁ ନେଇଛି । ସମସ୍ତେ ଓଡ଼ିଆରେ ନୂଆ ନୂଆ ସମ୍ବନ୍ଧ ସୃଷ୍ଟି କରିବା  ସହ ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବାକୁ ମୁଖ୍ଯମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ନବୀନ କହିଛନ୍ତି, ଓଡ଼ିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମ ଭାଷାର ଗୌରବଙ୍କୁ ଅନୁଭବ କଲେ ଏହା ନିଶ୍ଚୟ ଆଗକୁ ଯିବ । ସମ୍ମିଳନୀ ଅବସରରେ ଆୟୋଜିତ ମ୍ଯୁଜିୟମ ସମସ୍ତଙ୍କ ମନକୁ ଛୁଇଁଛି । ଏଣୁ ଏହାର ଅବଧିକୁ ଆହୁରି ତିନିଦିନ ବୃଦ୍ଧି କରାଗଲା ବୋଲି ମୁଖ୍ଯମନ୍ତ୍ରୀ ଘୋଷଣା କରିଛନ୍ତି । ୫ ତାରିଖ ବଦଳରେ ୮ ତାରିଖ ପର୍ଯ୍ୟନ୍ତ ଏହାକୁ ପରିଦର୍ଶନ କରିବାର ସୁଯୋଗ ମିଳିବ ।