ସୋମବାର ଶ୍ରୀକ୍ଷେତ୍ର ଯାଉଛନ୍ତି ନବୀନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜର କରିବେ ଉଦଘାଟନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରକୁ ସୋମବାର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଅବଗତ ହୋଇଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବା ସ୍ଥାନରେ ମଧ୍ୟ ଜିଲ୍ଲାପାଳ ଓ ଏସପି ଯାଞ୍ଚ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସାକାର ହେବାକୁ ଯାଉଛି ପୁରୀବାସୀଙ୍କ ବହୁପ୍ରତିକ୍ଷିତ ସ୍ୱପ୍ନ। ଆସନ୍ତାକାଲି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ବାଲିଗୁଆଳି ନିକଟରେ 5ଶହ କୋଟି ଟଙ୍କା ବିନିମୟରେ ନିର୍ମିତ ମେଡିକାଲ କଲେଜରେ ୪୫୦ ଛାତ୍ରଛାତ୍ରୀଙ୍କ ରହିବା ନିମିତ୍ତ ହଷ୍ଟେଲ ସହ ଲ୍ୟାବ, କ୍ଲାସରୁମ, ପ୍ରଶାସନିକ ଭବନ ପ୍ରସ୍ତୁତ ରହିଛି ।

ସୋମବାର ଠାରୁ ୧୦୦ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ 150 ଛାତ୍ରୀ ଓ 300 ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ବେଶ ଉତ୍ସାହିତ ଥିବା ବେଳେ ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।