ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

1 min read

ଭୁବନେଶ୍ବର: ବିଶିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଥିଲେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି । ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା । କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାର ସ୍କାରରେ ସେ ସମ୍ମାନିତ ହୋଇଛନ୍ତି । ତାଙ୍କ ବିୟୋଗ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ଘଟିଛି । ସିନେମା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ ।

୩୮ଟି ଓଡ଼ିଆ ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି । ସେହିପରି ୫ଟି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଉଭୟ ହିନ୍ଦି ଓ ଓଡ଼ିଆ ଫିଲ୍ମରେ ଖ୍ୟାତି ଅର୍ଜନ କରିଛନ୍ତି ସାଧୁ ମେହେର । ଅଙ୍କୁର, ମୃଗୟା, ଭୁବନ, ସୋମ୍ ଓ ମନ୍ଥନ ଭଳି ଚଳଚ୍ଚିତ୍ରରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟର ଛାପ ।