ଛତ୍ରବଜାର ବ୍ରିଜ ଭୁଶୁଡ଼ିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଭୁବନେଶ୍ବର: କଟକ ଛତ୍ରବଜାର ପୁରୁଣା ବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ଘଟଣାର ଆରଡିସି ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, କଟକ ଛତ୍ର ବଜାରର ପୁରୁଣା ପୋଲ ନିକଟରେ ଥିବା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । କାନ୍ଥ ତଳେ ଦବି ଥିବା ଆହତଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଳଦଣ୍ଡା କେନାଲ ପୁନରଉଦ୍ଧାର ସହ ରାସ୍ତା ଚୌଡା ଏବଂ ପୋଲର ପାର୍ଶ୍ବ ପାଚେରୀ ମରାମତି ପାଇଁ ଖୋଳା ଯାଉଥିଲା । ଏହି ସମୟରେ ପୋଲ ନିକଟରେ ଥିବା ଏକ କାନ୍ଥ ଭୁଶୁଡି ପଡିଥିଲା । ଦେଢ ଘଣ୍ଟାରୁ ଦୁଇଘଣ୍ଟା ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ । ଜିଲ୍ଲାପାଳ ଓ ପୋଲିସ କମିଶନର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡିସିପିଙ୍କ ସହ ଅଘଟଣ ନେଇ ଆଲୋଚନା କରିଛନ୍ତି ପୋଲିସ କମିଶନର । ସେପଟେ କାନ୍ଥଟି କିଭଳି ଭୁଶୁଡିଲା ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।