ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : କରୋନା ମୁକାବିଲା ପାଇଁ ଦେଲେ ୫ ପ୍ରସ୍ତାବ

ଭୁବନେଶ୍ୱର: ଲକଡାଉନ୍ ୩.୦ ଶେଷ ହେବାକୁ ଆଉ ୬ ଦିନ ବାକି ଅଛି । ତାହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଗାମୀ ପଦକ୍ଷେପ ବାବଦରେ ଆଲୋଚନା କରୁଛନ୍ତି । ଲକଡାଉନ୍ ଅବଧି ବଢିବ କି ନାହିଁ ,କରୋନା ମୁକାବିଲା ପାଇଁ ଦେଶର ରଣନୀତି କଣ ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ୫ ପ୍ରସ୍ତାବ ଦେଇଛନ୍ତି । ସେ ଲକଡାଉନ୍ ସଂପର୍କରେ ଜାତୀୟ ନୀତି ନିର୍ଦ୍ଧାରଣ କରିବାକୁ କହିଛନ୍ତି । ସ୍ଥାନୀୟ ପ୍ରଶାସନକୁ ଲକଡାଉନ ସମ୍ବନ୍ଧିତ ନିୟମ ଲାଗୁ କରିବା ଅଧିକାର ଦିଆଯାଉ ବୋଲି ସେ ମତ ରଖିଛନ୍ତି । ଏହାସହ  ଅର୍ଥନୀତିକୁ ପୁଣି ମଜବୁତ କରିବା ପାଇଁ କେନ୍ଦ୍ର ଜାତୀୟ ସ୍ତରରେ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏସଓପି ଅର୍ଥନୀତିକୁ ଗତି ପ୍ରଦାନ କରିବ ।  ବର୍ତ୍ତମାନର ଯୋଜନା ଗୁଡିକର ଅଧିକ ଉନ୍ନତୀକରଣ କରାଯାଉ ।  କୋଭିଡ୍ ମୁକାବିଲାରେ ପଂଚାୟତି ରାଜ ଅନୁଷ୍ଠାନକୁ ସାମିଲ କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।  ।

ସେହିଭଳି ସଂପୂର୍ଣ୍ଣ ଜିଲ୍ଲାକୁ ଜୋନ୍ ନକରାଯାଇ ,ଛୋଟଛୋଟ ଅଂଚଳକୁ ନେଇ ଜୋନ୍ ଗଠନ ହେଉ ।ସ୍ଥାନୀୟ ପ୍ରଶାସନକୁ ସେହି ଅଂଚଳକୁ ନେଇ ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଶେଷ ପ୍ରସ୍ତାବ ଭାବେ ମୁଖ୍ୟମନ୍ତ୍ରୀ  ରେଳଚଳାଚଳକୁ ଅଧିକ ନିୟନ୍ତ୍ରିତ କରାଯିବା କଥା କହିଛନ୍ତି ।

Leave a Reply