ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ସମ୍ମାନରେ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ, ସୁଲେଖିକା କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାର ପ୍ରାପ୍ତ  ବୀଣାପାଣି ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି  । ଏକ ଶୋକବର୍ତ୍ତାରେ ମୁଖ୍ୟମନ୍ତ୍ରୀ ବୀଣାପାଣି ମହାନ୍ତିଙ୍କ ସ୍ମୃତି ଚାରଣ କରିଛନ୍ତି  ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି  । ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ  । ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି  ।

ସେପଟେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏଥି ସହିତ ସ୍ୱର୍ଗତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।