ପାକିସ୍ତାନ ଓ ଚୀନର ବୁନ୍ଧୁତା ଆହୁରି ଦୃଢ କରିବାକୁ ୫ଟି ଚୁକ୍ତିନାମା ଉପରେ ହସ୍ତାକ୍ଷର

1 min read

ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ଦୃଢ ହୋଇଥିବା ବେଳେ ଭବିଷ୍ୟତରେ ସେମାନେ ଏହି ସମ୍ପର୍କୁ ଆହୁରି ମଜବୁତ କରିବାକୁ ଚାହୁଥିବା ଚର୍ଚ୍ଚା ହେଉଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଚୀନ୍ ଏବଂ ପାକିସ୍ତାନ ପାଞ୍ଚଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ସୋମବାର ଇସଲାମାବାଦରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଏହି ଚୁକ୍ତିନାମା କରାଯାଇଛି ।

ଇସଲାମାବାଦରେ  ଅର୍ଗାନାଇଜେସନ ଅଫ୍ ଇସଲାମିକ କର୍ପୋରେସନ କାଉସିଲର ବୈଦେଶିକ ମନ୍ତ୍ରୀମାନଙ୍କର  ୪୮ତମ ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ନିମନ୍ତ୍ରଣରେ ୱାଙ୍ଗ ଏକ ବିଶେଷ ଅତିଥି ଭାବରେ ପହଞ୍ଚିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବାକୁ ପଦକ୍ଷେପ ନିଆଯାଉଛି ।

ଚୀନ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଦ୍ୱିପାକ୍ଷିକ ରଣନୈତିକ, ଆର୍ଥିକ, ସୁରକ୍ଷା ସହଯୋଗ ଏବଂ COVID-19 ମହାମାରୀ ଉପରେ ନିଜର ମାତମାତ ରଖିଥିଲେ ଏବଂ ୟୁକ୍ରେନ ସମେତ ପାରସ୍ପରିକ ସ୍ୱାର୍ଥର ଅନେକ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଦେଶ କିପରି ନିଜର ବନ୍ଧୁତ୍ୱକୁ ଆହୁରି ମଜବୁତ କରିବେ ସେନେଇ ଆଲୋଚନା ହୋଇଛି । ଏହାପରେ ପାଞ୍ଚଟି ଚୁକ୍ତିନାମା ଉପରେ ହସ୍ତାକ୍ଷର କରାଯାଇଥିଲା ।

ପ୍ରଥମ ଚୁକ୍ତିନାମା ଚୀନ୍ ଏବଂ ପାକିସ୍ତାନର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଉଚ୍ଚଶିକ୍ଷାକୁ ନେଇ ହୋଇଛି। ଏଥିରେ ଉଚ୍ଚଶିକ୍ଷା  ଏବଂ ସାର୍ଟିଫିକେଟ ଓ ଡିଗ୍ରୀଗୁଡ଼ିକୁ ପରସ୍ପରର ଦେଶରେ ସ୍ୱୀକୃତି ସମ୍ବନ୍ଧରେ ଏକ ଚୁକ୍ତିନାମା ହୋଇଥିଲା । ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେଶି ଦାବି କରିଛନ୍ତି ଯେ, ଦୁଇ ଦେଶ ଆଫଗାନିସ୍ତାନର ମାନବିକ ସଙ୍କଟକୁ ଦୃଷ୍ଟିରେ ରଖି ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା  ପାଇଁ ସହଯୋଗ ଜାରି ରଖିବେ ବୋଲି କହିଛନ୍ତି ।