ପୁରୀ ଜିଲ୍ଲାରେ ବନୀକରଣ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

1 min read

ପୁରୀ: ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପୁରୀ ଜିଲ୍ଲା ଗସ୍ତ ଅବସରରେ ଆଜି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ପରାମର୍ଶ ଦେଇଛନ୍ତି । ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ, ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ, ନୂଆ ମୁହାଣ ଅଞ୍ଚଳ, ପୁରୀ-ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଜିଲ୍ଲାରେ ୧ ଲକ୍ଷ ୭୮ ହଜାର ୩୭୫ ଟି ଚାରାରୋପଣ ସହ ୧୪ ହଜାର ୬୦୦ ଚାରା ବଣ୍ଟନ କରାଯାଇଛି ।

ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬ ଲକ୍ଷ ୮୫ ହଜାର ୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଡିଏଫ୍ଓ ପି. ର‍ମସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।