ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କରିବ L&T, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ କେତେକ ପ୍ରସ୍ତାବ ଦେଇଛନ୍ତି । ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସାଙ୍ଗକୁ ଏରୋସ୍ପେସ୍ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ମାଇଣ୍ଡ ଟ୍ରି ପକ୍ଷରୁ ରାଜ୍ୟରେ ଗ୍ଲୋବାଲ ଲର୍ଣ୍ଣିଂ ଓ ସଫ୍ଟେୱେୟାର ଡେଲିଭରି ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହାକୁ ଡେଭଲପମେଣ୍ଟ ସେଣ୍ଟର ଭାବେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପ ଭଳି ତିନୋଟି ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଲ ଆଣ୍ଡ ଟି ପକ୍ଷରୁ ଉଭୟ ସାମରିକ ଓ ବାଣିଜ୍ୟିକ ଜାହଜ ମରାମତି କାରଖାନା ପ୍ରତିଷ୍ଠା କରାଯାଉ ।

ସେହିପରି ଦକ୍ଷତା ବିକାଶ ଦିଗରେ ଏଲ ଆଣ୍ଡ ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ ବଢୁଥିବାରୁ ଆଗାମୀ ଦିନରେ ମାଇନିଂ, ମେକାନିକାଲ ଯନ୍ତ୍ରାଂଶ ସାଙ୍ଗକୁ ଶିଳ୍ପ ଓ ସାମାଜିକ ଭିତ୍ତିଭୂମିରେ ମଧ୍ୟ ବିକାଶ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏଲ ଆଣ୍ଡ ଟି ନିଜର କ୍ଷମତା ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।