ବଢୁଛି ସଂକ୍ରମଣ; ସାରା ଦେଶରେ ଲାଗୁ ହୋଇପାରେ ଲକଡାଉନ କଟକଣା

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇପାରେ ଲକଡାଉନ କଟକଣା। କରୋନାର ଦ୍ବିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ନେଇ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ଲୋକଙ୍କ ହିତ ପାଇଁ ଲକଡାଉନ ଆପଣାଇବାକୁ ମତ ରଖିଛନ୍ତି ସୁପ୍ରିମକୋର୍ଟ।
ଏଥିସହ ଅକ୍ସିଜେନ ସମସ୍ୟା ଦୂର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରବିବାର ରାତିରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମିତଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିଲେ ମଧ୍ୟ ମେଡିକାଲରେ ଭର୍ତ୍ତି ସହ ଜରୁରୀ ଔଷଧ ମଧ୍ୟ ଯୋଗାଇ ଦିଆଯାଉ। ଏ ସମ୍ବନ୍ଧରେ କେନ୍ଦ୍ରସରକାର ଦୁଇ ସପ୍ତାହ ମଧ୍ୟରେ ରାଷ୍ଟ୍ରନୀତି ଆଣିବାକୁ କହିଛନ୍ତି କୋର୍ଟ ।
ସେହିପରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେଉଁ ପର୍ଯ୍ୟନ୍ତ ରାଷ୍ଟ୍ରନୀତି ନଆସିଛି, ସେବେଯାଏଁ ବିନା ପ୍ରମାଣପତ୍ରରେ ମେଡିକାଲରେ ଭର୍ତ୍ତି କରାଯାଉ। ଦିଲ୍ଲୀରେ ଅକ୍ସିଜେନ ଅଭାବ ଉପରେ ମଧ୍ୟ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ମଧ୍ୟରାତ୍ର ସୁଦ୍ଧା ଅକ୍ସିଜେନ ଅଭାବ ପୂରଣ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।