ନନ୍ଦିଘୋଷ ବ୍ୟୁରୋ : ସରକାର ଗୋଟିଏ ପଟେ NEET ରି-ଏଗ୍ଜାମ୍ କୁ ସ୍ୱଚ୍ଛ ଓ ସୁରୁଖୁରୁରେ କରିବା ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ, ଅନ୍ୟପଟେ ଏଜେନ୍ସିର ବେପରୁଆ ମନୋଭାବ ଶେଷ ହେବାର ନାଁ ନେଉନାହିଁ। ଜୁନ୍ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ଜଣେ ଭାରତୀୟ ଛାତ୍ରଙ୍କୁ ଯେଉଁ ପରୀକ୍ଷା କେନ୍ଦ୍ର ମିଳିଛି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ନାଗପୁରର NEET ପରୀକ୍ଷାର୍ଥୀ ଅବ୍ଦୁଲ୍ଲାଙ୍କୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ର ବଡ଼ ବୈଷୟିକ ତ୍ରୁଟି ଯୋଗୁଁ ସିଧାସଳଖ ୟୁଏଇ (UAE)ର ଆବୁଧାବି ପରୀକ୍ଷା କେନ୍ଦ୍ର ଆଲର୍ଟ କରିଦିଆଯାଇଥିଲା। ତେବେ ପରୀକ୍ଷା ପାଇଁ ମାତ୍ର ଦିନଟିଏ ବାକି ଥିବାବେଳେ ଏଭଳି ବିଦେଶୀ ସେଣ୍ଟର ଦେଖି ଛାତ୍ର ଏବଂ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଛାତ୍ରଜଣକ ନିଜ ଆବେଦନ ପତ୍ରରେ ପ୍ରଥମ ପସନ୍ଦ ଭାବେ ନାଗପୁର ଏବଂ ୱାର୍ଦ୍ଧାକୁ ବାଛିଥିଲେ। ହେଲେ NTA ସ୍ଥାନୀୟ କେନ୍ଦ୍ର ବଦଳରେ ସିଧାସଳଖ ଦୂର ସେଣ୍ଟର ଦେଇଦେଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ପାସପୋର୍ଟ ଏବଂ ଭିସା ପ୍ରକ୍ରିୟା ଶେଷ କରି ବିଦେଶ ପହଞ୍ଚିବା କୌଣସି ସ୍ତରରେ ସମ୍ଭବ ନଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ତୁରନ୍ତ NTA ହେଲ୍ପଲାଇନରେ ଅଭିଯୋଗ କରିଥିଲେ। ପ୍ରାଥମିକ ସ୍ତରରେ NTA ନିଜର ବୈଷୟିକ ଭୁଲ୍ ସ୍ୱୀକାର କରିଥିଲା। ଏହାପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଏଜେନ୍ସି କହିଛି, ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ସଠିକ୍ ଯାଞ୍ଚ ପରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ନାଗପୁରରେ ହିଁ ଏକ ନୂଆ ପରୀକ୍ଷା କେନ୍ଦ୍ର ପ୍ରଦାନ କରାଯିବ। ଏବଂ ଶେଷରେ NTA ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ବଦଳାଇ ନାଗପୁର ସେଣ୍ଟର ଆଲର୍ଟ କରାଯାଇଛି ।
NEET UG ୨୦୨୬ର ଏହି ପୁନଃ-ପରୀକ୍ଷାରେ ସାମିଲ ହେଉଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଜରୁରୀ ସୂଚନା ଏବଂ ସେଣ୍ଟର ଆଲର୍ଟ ବିଷୟରେ ଜଣାଇବା ପାଇଁ NTA ଏକ ନୂଆ ପଦକ୍ଷେପ ନେଇଛି। ଏଜେନ୍ସି ଏବେ ନିଜର ଅଫିସିଆଲ୍ WhatsApp ଚ୍ୟାନେଲ୍ ଜରିଆରେ ସମସ୍ତ ଅପଡେଟ୍ ସିଧାସଳଖ ଛାତ୍ରଛାତ୍ରୀଙ୍କ ପାଖକୁ ପଠାଇବ।
ତେବେ ଜୁନ୍ ୨୧ ରେ ହେବାକୁ ଥିବା ପରୀକ୍ଷା ପୂର୍ବରୁ ଯେପରି କୌଣସି ପରୀକ୍ଷାର୍ଥୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନରହେ, ସେଥିପାଇଁ ଏହି ସେବା ଆରମ୍ଭ କରାଯାଇଥିବା ଏଜେନ୍ସି ପ୍ରକାଶ କରିଛି।

