spot_img

Latest Posts

ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ

ନନ୍ଦିଘୋଷ ବ୍ୟୁରୋ :  ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଜିଲ୍ଲାର ପ୍ରସିଦ୍ଧ ଯଶବାଡି ମାରୁତି ମନ୍ଦିର ପରିସରରେ ଏକ ବଡ଼ ଅଘଟଣ ଘଟିଯାଇଛି। ମନ୍ଦିରରେ ଚାଲିଥିବା ଏକ ନିର୍ମାଣାଧୀନ ସଭା ମଣ୍ଡପ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଅତିକମରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବ୍ୟାପକ ଜୀବନ ହାନି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଅଘଟଣ ସମୟରେ ମାରୁତି ମନ୍ଦିର ପରିସରରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ନିର୍ମାଣ ଚାଲିଥିବା ସଭା ମଣ୍ଡପର ଭାରି କଂକ୍ରିଟ୍ ଛାତଟି ହଠାତ୍ ଭୁଶୁଡ଼ି ପଡ଼ିବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ନିଜକୁ ରକ୍ଷା କରିବା ପାଇଁ ସୁଯୋଗ ପାଇନଥିଲେ ଏବଂ ତଳେ ଚାପି ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ରୁ ଅଧିକ ଶ୍ରଦ୍ଧାଳୁ ସେହି ଭଙ୍ଗା ମାଟି ଓ କଂକ୍ରିଟ୍ ସ୍ଲାବ୍ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ମଲବେ ଏତେ ଭାରି ରହିଛି ଯେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଏହି ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଛାତ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଗ୍ୟାସ କଟର ଏବଂ ଜେସିବି ମେସିନର ସାହାଯ୍ୟ ନିଆଯାଉଛି। ଉଦ୍ଧାର କରାଯାଉଥିବା ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

Latest Posts

Don't Miss