ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ, ଦେଉନି ହକ୍ ଟଙ୍କା

1 min read

ଭୁବନେଶ୍ବର: ପୁଣି ଓଡ଼ିଶାକୁ ଅବହେଳା । ପଦାକୁ ଆସିଲା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ । ୨୦୨୧-୨୨ ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ ପ୍ରାୟ ୨୦ ହଜାର କୋଟି ଟଙ୍କା ମିଳିବାକୁ ଥିବା ବେଳେ ୯ ମାସ ପରେ ମିଳିଛି ମାତ୍ର ୨୭ ପ୍ରତିଶତ । ଆହୁରି ୭୩ ପ୍ରତିଶତ ଅର୍ଥ ଆସିନଥିବାରୁ ଆଉ ୩ ମାସ ମଧ୍ୟରେ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ପାଲଟିଛି । ସେଥିପାଇଁ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ ସହଯୋଗରେ ବିଭିନ୍ନ ମନ୍ତ୍ରାଳୟ ସହ କଥା ହୋଇ ତ୍ବରିତ ପଦକ୍ଷେପ ନେବାକୁ ୧୯ଟି ବିଭାଗର ସଚିବଙ୍କୁ ଅର୍ଥ ସଚିବ ଲେଖିଲେ ଚିଠି ।

ରାଜ୍ୟ ସରକାର କେନ୍ଦ୍ରୀୟ ଅର୍ଥକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ଗତ ମେ ମାସରେ ଅର୍ଥ ମନ୍ତ୍ରାଳୟ ନୂଆ ଗାଇଡ଼ ଲାଇନ ଜାରି କଲେ । ବିଭାଗ ଓ୍ବାରୀ କେନ୍ଦ୍ରୀୟ ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଜନା ପାଇଁ ଆକାଉଣ୍ଟ ଖୋଲିଲେ । ହେଲେ କେନ୍ଦ୍ରୀୟ ଅଂଶଧନର ଦେଖାନାହିଁ । ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୨୦ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିବା କଥା । ହେଲେ ୯ ମାସ ପରେ ମିଳିଛି ମାତ୍ର ୨୭ ପ୍ରତିଶତ । ବକେୟା ୭୩ ପ୍ରତିଶତ ଏ ଯାଏଁ ଆସିନଥିବାରୁ ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଆଗକୁ ବଢାବାରେ ସମସ୍ୟା ଦେଖା ଦେଇଛି । ଗୋଟେ ପଟେ, ଅର୍ଥ ଦେବାରେ ଜାଣିଶୁଣି ବିଳମ୍ବ, ଅନ୍ୟପଟେ ଠିକ୍ ସମୟରେ ୟୁସି ନଦେଲେ କୈଫିୟତ ମାଗିବା ଠିକ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ କହିଛନ୍ତି ।

ଗତବର୍ଷ ବି ସମାନ ସ୍ଥିତି ଉପୁଜିଥିଲା । କଷ୍ଟେ ମଷ୍ଟେ ରାଜ୍ୟ ସରକାର ଯୋଜନାଗୁଡ଼ିକ ଚଲାଇ ରଖିଥିଲେ । କେନ୍ଦ୍ରୀୟ ଅଂଶଧନ ଧୀରେ ଧୀରେ କମୁଥିବା ବେଳେ ଯୋଜନା ଚଲାଇବା ବିଭାଗ ପକ୍ଷରେ ମୁସ୍କିଲ ହୋଇଛି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ନରେଗା, ସାମାଜିକ ସୁରକ୍ଷା, ପିଏମଜିଏସ୍ଓ୍ବାଇ, ଅଙ୍ଗନବାଡ଼ି, ସର୍ବଶିକ୍ଷା ଯୋଜନାରେ କେନ୍ଦ୍ରୀୟ ଅଂଶଧନ ବକେୟା ପଡ଼ୁଛି । ଗତବର୍ଷ ମଧ୍ୟ ୪ହଜାର ୬୨୫କୋଟି ବକେୟା ପଡ଼ିଥିଲା । ଚଳିତବର୍ଷ ନଭେମ୍ବର ୧୪ ସୁଦ୍ଧା ୫ହଜାର ୯୭୭କୋଟି ମିଳିଥିବା ବେଳେ ପ୍ରାୟ ୧୩ହଜାର ୨୯୦କୋଟି ବାକି ପଡ଼ିଛି । ନରେଗା ଯୋଜନାରେ ସର୍ବାଧିକ ୫ହଜାର ୩୬୩କୋଟି ବାକି ଥିବା ବେଳେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଇଁ ୧୪ଶହ ୭୫କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୧୧ଶହ ୯୯କୋଟି, ମହିଳା ଓ ଶିଶୁ ବିକାଶ ବିଭାଗର ୯୫୭ କୋଟି, କୃଷି ବିଭାଗର ୯ଶହ କୋଟି ବାକି ପଡ଼ିଛି ।

ଆର୍ଥିକ ସଂସ୍କାର ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେବା କଥା କହୁଥିଲେ ମଧ୍ୟ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ଓଡ଼ିଶାକୁ ଠିକ୍ ସମୟରେ କେନ୍ଦ୍ରୀୟ ଅଂଶଧନ ନମିଳିଲେ ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ନେଇ ପ୍ରଶ୍ନ ଉଠିଛି ।

Leave a Reply