୬ ଜିଲ୍ଲା ବୁଲି ‘ଜଓ୍ବାଦ’ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍

1 min read

ଭୁବନେଶ୍ବର: ଜଓ୍ବାଦ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌ ୬ ଜିଲ୍ଲାକୁ ଗସ୍ତ କରିଛନ୍ତି । ସକାଳେ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍‌ ଏନେଇ ଏସଆରସିଙ୍କ ସହ ଆଲୋଚନା କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ଆସନ୍ତାକାଲି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ‌। ରାଜ୍ୟ ସରକାର ମଧ୍ୟ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କୁ କ୍ଷତି ଭରଣା ପାଇଁ ସ୍ମାରକପତ୍ର ଦେବେ ।

ସ୍ବରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ୬ ଜଣିଆ ଟିମ୍‌ ୩ ଭାଗରେ ବିଭକ୍ତ ହୋଇ ଜିଲ୍ଲା ଗସ୍ତ କରିଛନ୍ତି । ଟିମ-ଏ ପୁରୀ ଓ ଗଞ୍ଜାମ ଯାଇଥିବା ବେଳେ ଟିମ୍‌-ବି କଟକ ଓ ଜଗତସିଂହପୁର ଏବ୍ଂ ଟିମ୍‌-ସି କେନ୍ଦ୍ରାପଡ଼ା ଓ ଯାଜପୁର ଯାଇଛନ୍ତି । ଗସ୍ତ ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଏସଆର୍‌ସିଙ୍କ ସହ ଆଲୋଚନା କରିଥିଲେ।  କ୍ଷୟକ୍ଷତି ଆକଳନ ପରେ ସ୍ବରାଷ୍ଟ ମନ୍ତ୍ରାଳୟକୁ ରିପୋର୍ଟ ଦେବେ କେନ୍ଦ୍ରୀୟ ଟିମ୍‌ । ରାଜ୍ୟ ସରକାର ମଧ୍ୟ କ୍ଷୟକ୍ଷତି ଆକଳନ କରୁଛନ୍ତି । ଶୁକ୍ରବାର ସୁଦ୍ଧା ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଏସଆର୍‌ସିଙ୍କୁ ରିପୋର୍ଟ ଦେବେ । ଏହା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର ।

କ୍ଷୟକ୍ଷତି ଆକଳନ ସମୟରେ କେନ୍ଦ୍ରୀୟ ଟିମ ସଦସ୍ୟମାନେ କ୍ଷତିଗ୍ରସ୍ତ ଚାଷୀ ଓ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅମଳ ସମୟରେ ବ୍ୟାପକ ଫସଲ ନଷ୍ଟ ଯୋଗୁଁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି  । ଅନେକ ଅଞ୍ଚଳରେ ଅମଳକ୍ଷମ ଧାନ ପାଣିରେ ବୁଡ଼ି ଗଜା ହୋଇଗଲାଣି । ପନିପରିବା ପଚି ନଷ୍ଟ ହୋଇଯାଇଛି ।

ଦୁଇ ଦିନିଆ ଗସ୍ତ ସାରି କେନ୍ଦ୍ରୀୟ ଟିମ୍‌ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ।

Leave a Reply