ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସୀ,ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ୍ କରେନ୍ସୀ ( ସିବିଡିସି) ପ୍ରଚଳନ ପାଇଁ ଆରବିଆଇ ତତ୍ପର

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବ ଡିଜିଟାଲ୍ କରେନ୍ସୀ ପ୍ରଚଳନ। ଅର୍ଥାତ୍ ଆପଣଙ୍କୁ କୌଣସି ସାମଗ୍ରୀ କିଣିବାକୁ ହେଲେ ଆଉ ଟଙ୍କା ବା ନୋଟ୍ ନଦେଇ ଡିଜିଟାଲ୍ କାରବାର କରିବାକୁ ପଡ଼ିବ। ଘରୋଇ କ୍ଷେତ୍ରରେ ଯେଉଁପରି ଭାବେ କ୍ରିପ୍ଟୋ କରେନ୍ସୀ ବା ବିଟ୍ କଏନ୍ର ପ୍ରଚଳନ ଚାଲିଛି ତାହାକୁ ମାତ୍ ଦେବା ଲାଗି ସରକାର ଏ ବିଷୟରେ ଚିନ୍ତା କରୁଥିବା ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭଣ୍ଣର ଟି ରବିଶଙ୍କର ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟ ସହ ତାଳ ଦେଇ ଲୋକଙ୍କ ପୁଞ୍ଜିକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଏଥିଲାଗି କିଛି ନୂଆ ଆଇନ ବ୍ୟବସ୍ଥା ଘୋଷଣା କରିପାରନ୍ତି । ଯେଉଁ ଆଇନ୍ ଅନୁସାରେ ଏହି ଡିଜିଟାଳ୍ କରେନ୍ସୀ କାରବାରକୁ ରିଜର୍ଭ ବ୍ୟାଙ୍କ ଗ୍ୟାରେଣ୍ଟି ଦେବ। ଆଉ ଯେମିତି ଆତଙ୍କବାଦୀ ଓ ଠକଙ୍କ ଦ୍ୱାରା ଏହି କାରବାର ନିୟନ୍ତ୍ରଣ ବା ପ୍ରୋତ୍ସାହିତ ନହେବ ସେଥିଲାଗି ବ୍ୟାଙ୍କ ବ୍ୟବସ୍ଥା କରିବ।
ଏବେ ଘରୋଇ ଭାବେ ଏହି ଡିଜିଟାଲ୍ କରେନ୍ସୀ ପ୍ରଚଳନ କରାଯାଉଛି। ଭାରତରେ ମଧ୍ୟ ବିଟ୍ କଏନ୍ ଓ କ୍ରିପ୍ଟୋ କରେନ୍ସୀ ଭଳି ଡିଜିଟାଲ୍ କରେନ୍ସୀ ପ୍ରଚଳନ କରାଯାଉଛି। ଯଦିଓ ତିନି ବର୍ଷ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ପ୍ରକାର ଡିଜିଟାଲ୍ କରେନ୍ସୀ କାରବାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ପ୍ରତି ବ୍ୟାଙ୍କକୁ ଏହି ନିୟମ ପାଳନ କରିବାକୁ କହିଥିଲେ କିନ୍ତୁ ଗତ ବର୍ଷ ସୁପ୍ରିମକୋର୍ଟ ଏହି କଟକଣା ଉଠାଇ ଦେଇଛନ୍ତି। ଏହିକ୍ରମରେ ଭାରତରେ ଏହିପରି ଅନେକ କାରବାର ବିନା କୌଣସି ଆଇନରେ ଚାଲିଛି। ଏହି ହେତୁ ଆତଙ୍କୀ କାରବାର ଓ ଟଙ୍କା ଠକେଇ ପରିମାଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ବ୍ୟାଙ୍କଗୁଡ଼ିକରେ ରହିଥିବା ସରକାରୀ ଡିପୋଜିଟ୍ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଣୁ ରିଜର୍ଭ ବ୍ୟାଙ୍କ୍ ଏହି ନୂଆ ନୀତି କଥା ଚିନ୍ତା କରୁଥିବା ଜଣାପଡ଼ିଛି।
ତେବେ ନିକଟରେ ୟୁରୋପୀୟ ରାଷ୍ଟ୍ର ସଂଘ ମଧ୍ୟ ଡିଜିଟାଲ୍ ୟୁରୋ ପ୍ରଚଳନ ପାଇଁ ଯୋଜନା କରିଛନ୍ତି । ସେଠାରେ ପର୍ଯ୍ୟାୟକ୍ରମେ ଆସନ୍ତା ୨୪ ମାସ ଯାଏ ଏହି ଡିଜିଟାଲ୍ ୟୁରୋ ପ୍ରଚଳନ ହେବ। ଏହି ସମୟରେ ସାମ୍ନାକୁ ଆସୁଥିବା ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ଲାଗି ବ୍ୟବସ୍ଥା ହେବ ବୋଲି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିଛନ୍ତି। । ଚୀନ୍ ମଧ୍ୟ ଡିଜିଟାଲ୍ କରେନ୍ସୀ ପ୍ରଚଳନ ଟ୍ରାଏଲ୍ ଶେଷ ହୋଇଛି। ଆମେରିକାର ଫେଡେରାଲ୍ ରିଜର୍ଭ ଏବଂ ଇଂଲଣ୍ଡ ବ୍ୟାଙ୍କ ଏହି ଡିଜିଟାଲ୍ କରେନ୍ସୀ କାରବାରକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି। ଗ୍ରେନେଡା, ସେଣ୍ଟ କିଟିସ୍ ଏବଂ ନେଭିସ୍ ସମେତ ପୂର୍ବ କାରବୀୟ ସଗରରେ ରହିଥିବା ଦ୍ୱୀପ ରାଷ୍ଟ୍ରଗୁଡ଼ିକ ଏବେ ଡିଜିଟାଲ୍ କରେନ୍ସୀ ପ୍ରଚଳନ କରୁଛନ୍ତି ।
ଭାରତରେ ଏହି ଡିଜିଟାଲ୍ କରେନ୍ସୀ ପ୍ରଚଳନ ହେଲେ ବୈଦେଶିକ କାରବାର ପାଇଁ ରହିଥିବା ନିୟମକୁ ମଧ୍ୟ ବଦଳାଇବାକୁ ହେବ। ଏହାଛଡ଼ା ସରକାରୀ ବଣ୍ଡଗୁଡ଼ିକର ସ୍ଥାୟୀତ୍ୱ ରକ୍ଷା ଏବଂ ଲୋକଙ୍କ ଟଙ୍କାର ସୁରକ୍ଷା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ଚିନ୍ତା କରିବାକୁ ହେବ। କିନ୍ତୁ ସମୟର ଆହ୍ୱାନ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ଆବଶ୍ୟକତାକୁ ଅନୁଭବ କରି ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରୟ ଏବେ ଡିଜିଟାଲ୍ କରେନ୍ସୀ ମୁହାଁ ହୋଇଥିବାରୁ ଆମ ଦେଶ ମଧ୍ୟ ସେଥିରେ ତାଳ ଦେବାର ସମୟ ଆସିଛି। ଏଣୁ ଆପଣଙ୍କୁ ୱାଲେଟ୍ରେ ଆଉ ନଗଦ ଟଙ୍କା ନରଖି ଡିଜିଟାଲ୍ ବାଲାନ୍ସ ରଖିବାକୁ ହେବ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା: ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Leave a Reply