ନିଟ୍ ପେପର୍ ଲିକ୍ ମାମଲା: ବେଉର ଜେଲରେ ଅଭିଯୁକ୍ତଙ୍କୁ ସିବିଆଇର ପଚରାଉଚରା

1 min read

ପାଟନା: ନିଟ୍ ପେପର ଲିକ୍ ମାମଲାରେ ସିବିଆଇର ଖୋଳତାଡ଼ । ପାଟନାର ବେଉର ଜେଲରେ ପହଞ୍ଚି ଜେଲରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା ଆରମ୍ଭ କରିଛି ସିବିଆଇ ଟିମ୍ । ପୂର୍ବରୁ ରିମାଣ୍ଡରେ ନେଇଥିବା ଅଭିଯୁକ୍ତଙ୍କୁ ଠାରୁ ମିଳିଥିବା ତଥ୍ୟକୁ ନେଇ ବିହାର ବେଉର ଜେଲରେ ପହଞ୍ଚିଛି ସିବିଆଇ ଟିମ୍ ।

ସୂଚନାଯୋଗ୍ୟ, ଅଭିଯୁକ୍ତଙ୍କୁ ଅଲଗା ଅଲଗା ପଚରାଉଚରା ବେଳେ ସମସ୍ତଙ୍କଠାରୁ ନୂଆ ନୂଆ ତଥ୍ୟ ପାଇଛି ସିବିଆଇ । ଅଭିଯୁକ୍ତଙ୍କ ବୟାନରେ ତାଳମେଳ ରହୁ ନଥିବା ସିବିଆଇ ଜାଣିବାକୁ ପାଇଛି । ପଚରାଉଚରା ବେଳେ ଅଧିକାଂଶ ଅଭିଯୁକ୍ତ ସଞ୍ଜୀବ ମୁଖିଆ ଏବଂ ସିକନ୍ଦର ୟାଦବେନ୍ଦୁଙ୍କ ନା ନେଇଛନ୍ତି ।

ଘଟଣାରେ ସୁପ୍ରିମକୋର୍ଟ ସମେତ ସିବିଆଇ ଏବଂ ରାଜ୍ୟ ପୋଲିସ ମଧ୍ୟ ତନାଘନା ଚଳାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତନରାମ ମାଁଝୀ । ଅଭିଯୁକ୍ତଙ୍କ ଗିରଫଦାରୀ ଚାଲିଛି । ଯେଉଁମାନେ ବି ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ନିଟ୍ ପେପର ଲିକ୍ ମାମଲାରେ ତଦନ୍ତ ଭାର ହାତକୁ ଆସିବା ପରେ ଜୋରସୋର ତନାଘନା ଚଳାଇଛି ସିବିଆଇ । ବିହାରର ଅର୍ଥନୈତିକ ଅପରାଧ ଶାଖା ହଜାରୀବାଗରେ ଥିବା ଓଏସିସ ସ୍କୁଲ ଲିଙ୍କ ଖୋଜି ବାହାର କରିଥିଲା । ଏହାକୁ ନେଇ ସିବିଆଇ ତନାଘନା ଜୋରଦାର କରିଛି । ଗତକାଲି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ସିବିଆଇ । ଏହା ପୂର୍ବରୁ ବିହାର ପୋଲିସଠାରୁ ମିଳିଥିଲା ଦସ୍ତାବିଜକୁ ନେଇ ଏକାଧିକ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଜୁନ ୨୭ରେ ନିଟ-ୟୁଜି ପେପର ଲିକ୍ ମାମଲାରେ ପାଟନାରୁ ପ୍ରଥମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସିବିଆଇ । ଜୁନ ୨୮ରେ ସିବିଆଇ ଝାଡଖଣ୍ଡ ହଜାରୀବାଗର ଓଏସିସ ସ୍କୁଲର ପ୍ରିନ୍ସିପାଲ ଓ ଭାଇସପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା । ଏହି ପରୀକ୍ଷାକୁ ନେଇ ଅନେକ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ଭାର ସିବିଆଇକୁ ଦିଆଯାଇଛି ।