ରାଜଧାନୀ ଭୁବନେଶ୍ବର ହେବ ଜଳାନ୍ତକ ମୁକ୍ତ ସହର

ଭୁବନେଶ୍ବର: ରାଜଧାନୀରେ କମିବ ବୁଲା କୁକୁରଙ୍କ ଆତଙ୍କ । ଭୁବନେଶ୍ୱର ହେବ ଜଳାନ୍ତକ ରୋଗ ମୁକ୍ତ ସହର । ଆଜି କୁକୁର ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି ବିଏମସି ମେୟର ଓ ବିଧାୟକ । ଏହି କେନ୍ଦ୍ରରେ ୨୪୦ କୁକୁର ରହିବାର କ୍ଷମତା ରହିଛି । ଏଥିରେ ୪୮ଟି ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ରହିଛି । ପ୍ରତିଦିନ ଶହେ କୁକୁରଙ୍କ ବନ୍ଧ୍ୟାକରଣ ହୋଇ ପାରିବ ।

କୁକୁରଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଯାନ ରହିଛି । ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି । ସରକାରୀ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୁକୁରଙ୍କୁ ପୃଥକ ଭାବେ ରଖାଯିବା ସହ ସେମାନଙ୍କର ଖାଇବା, ପିଇବା ଏବଂ ଯତ୍ନ ନିଆଯିବ । ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ବନ୍ଧ୍ୟାକରଣ ଓ ଟୀକାକରଣ କରାଯାଇ ଚିକିତ୍ସା କରାଯିବ । ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜ ସ୍ଥାନରେ ସୁରକ୍ଷିତ ଭାବେ ଛାଡି ଦିଆଯିବ । ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ୨ ହଜାର ୮ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିଛି । ଖାଲି ବନ୍ଧ୍ୟାକରଣ ନୁହେଁ, ସେମାନଙ୍କୁ ଜଳାନ୍ତକ ବା ଆଂଟି ରାବିସ୍ ଟିକା ମଧ୍ୟ ଦିଆଯାଉଛି । ପୂର୍ବର ସହିଦ ନଗରଠାରେ ଅଳ୍ପ ସଂଖ୍ୟକ କୁକୁରଙ୍କର ବନ୍ଧ୍ୟାକରଣ କରାଯାଉଥିଲା ।