ଶ୍ରୀଲଙ୍କାରେ ସୁନା ବନ୍ଧକ ପାଇଁ ଭିଡ଼, ସନ୍ୟାସୀ କଲେ ଆନ୍ଦୋଳନ

କଲମ୍ବୋ: ଦିନକୁ ଦିନ ଜଟିଳ ହେଉଛି ଶ୍ରୀଲଙ୍କା ସ୍ଥିତି  ।  ଘନୀଭୂତ ହେଉଛି ଶ୍ରୀଲଙ୍କା ସଂକଟ । ସାରା ଦେଶରେ ଜାରି ରହିଛି ବିକ୍ଷୋଭ ଆନ୍ଦୋଳନ । ରାସ୍ତାଘାଟରେ ରାଜପକ୍ଷ ସରକାର ବିରୋଧରେ ତୀବ୍ର ହୋଇଛି ସ୍ୱର । ତେଣେ ଦେଶରେ ଦରବୃଦ୍ଧି ଶ୍ରୀଲଙ୍କା ବାସୀଙ୍କୁ ଶ୍ରୀହିନ କରିପକାଇଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରୟୋଗ କରିଛି ଲୁହାବୁହା ଗ୍ୟାସ । ଆନ୍ଦୋଳନରେ ବିଭିନ୍ନ ସ୍ଥାନରେ ସାମିଲ ହୋଇଛନ୍ତି ଶହ ଶହ ଛାତ୍ର । ଦେଶରେ ବର୍ତ୍ତମାନ ଖାଦ୍ୟ, ଇନ୍ଧନ, ମେଡିସିନର ବ୍ୟାପକ ଅଭାବ ଦେଖାଦେଇଛି ।

ସେପଟେ  ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି ବିକ୍ଷୋଭକାରୀ । କଲମ୍ବୋରେ ହୋଇଥିବା ଆନ୍ଦୋଳନରେ ବହୁ ସଂଖ୍ୟକ ବୌଦ୍ଧ ସନ୍ନ୍ୟାସୀ ସାମିଲ ହୋଇଛନ୍ତି । ସାରା ଦେଶରେ ଆନ୍ଦୋଳନକାରୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗୋଟାବାୟା ଗୋ ବ୍ୟାକ ଧ୍ୱନି ଦେଇଛନ୍ତି । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ୭୦୦ ବେସିସ ପଏଣ୍ଟ ବୃଦ୍ଧି କରିଛନ୍ତି । ତେଣେ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବାଯୋଗୁ ବହୁ ଆନ୍ତର୍ଜାତିକ ସଂସ୍ଥା ଶ୍ରୀଲଙ୍କାର ରେଟିଂକୁ ହ୍ରାସ କରିଛନ୍ତି । ଶ୍ରୀଲଙ୍କାରେ ସ୍ଥିତି ଏମିତି ହୋଇଛି ଯେ, ବଞ୍ଚିବା ଲାଗି ସାଧାରଣ ଲୋକେ ସୁନା ବନ୍ଧକ ରଖିବା ଲାଗି ଦୋକାନଗୁଡ଼ିକରେ ଭିଡ଼ ଲଗାଉଛନ୍ତି ।