ବିଏମସି ପକ୍ଷରୁ ସ୍ବତନ୍ତ୍ର ଅଭିଯାନ, ୬୭ଟି ଓ୍ବାର୍ଡରେ ଆରମ୍ଭ

ଭୁବନେଶ୍ୱର: ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଘର ଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ ସହିତ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହ ଆଶୁ ସମାଧାନ ଉପରେ ଗୁରୁତ୍ୱ ଦିଆଯିବ। ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରିଙ୍କ ନିର୍ଦ୍ଦେଶ ପରେ ବିଏମସିର ସମସ୍ତ ୬୭ଟି ଓ୍ବାର୍ଡରେ ଆରମ୍ଭ ହୋଇଛି ଏହି ଅଭିଯାନ।

ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ଗୋଟିଏ ୟୁନିଟ ଭାବେ ଗ୍ରହଣ କରି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଏହି ଅଭିଯାନରେ ବସ୍ତି ଅଞ୍ଚଳକୁ ଫୋକସରେ ରଖାଯାଇଛି। ଭୁବନେଶ୍ବରରେ ମୋଟ ୩୭୭ ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ୪୩୬ ବସ୍ତି ଚିହ୍ନଟ ହୋଇଛି । ଏହି କାର୍ଯ୍ୟରେ ୪୫୦ କର୍ମଚାରୀ ନିୟୋଜିତ ରହି ତଥ୍ୟ ସଂଗ୍ରହ କରୁଛନ୍ତି । ପ୍ରତ୍ୟେକ ଟିମରେ ଜଣେ ଅଙ୍ଗନବାଡି କର୍ମୀ, ଜଣେ ଆଶାକର୍ମୀ ଓ ଜଣେ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି ।

ତେବେ ପ୍ରଥମ ପର୍ଯ୍ୟାୟରେ ୪୩୬ ବସ୍ତିରେ ୨ ଲକ୍ଷ  ୮୧ ହଜାର ୭୮୫ଟି ପରିବାରର ତଥ୍ୟ ସଂଗ୍ରହ ହୋଇସାରିଛି। ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ଜାରି ରହିଛି । ତଥ୍ୟ ସଂଗ୍ରହ ସମୟରେ ପରିବାରର ସଦସ୍ୟ ସଂଖ୍ୟା, ବୃତ୍ତି, ଟେଲିଫୋନ ନମ୍ବର, ୫୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା, ସଦସ୍ୟଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କିଛି ଲକ୍ଷଣ ବା ସ୍ବାସ୍ଥ୍ୟଗତ ସମସ୍ୟା ଆଦିର ତଥ୍ୟ ସଂଗ୍ରହ କରାଯାଉଛି। ତଥ୍ୟ ସଂଗ୍ରହ ପରେ ଟେଲିଫୋନ ଯୋଗେ ନିୟମିତ ବ୍ୟବଧାନରେ ଯୋଗାଯୋଗ କରାଯାଇ ସମ୍ପର୍କ ସ୍ଥାପନ କରି ଅପଡେଟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

Leave a Reply