ମହଙ୍ଗା ପଡ଼ିଲା କାନ୍ଥରେ ପୋଷ୍ଟର ଲଗାଇବା, ଏତଲା ଦେଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମସି । ମହଙ୍ଗା ପଡ଼ିଲା କାନ୍ଥରେ ପୋଷ୍ଟର ଲଗାଇବା । ନିୟମ ଭାଙ୍ଗି ରାଜଧାନୀର କାନ୍ଥରେ ପୋଷ୍ଟର ଲଗାଇବାରୁ ବିଏମସି ପକ୍ଷରୁ ବିଭିନ୍ନ ଥାନାରେ ଏକାଧିକ ଏତଲା ଦାୟର ହୋଇଛି । କେତେକ ସଂସ୍ଥା ବିରୋଧରେ ଏଫଆଇଆର ହୋଇଛି । ଭୁବନେଶ୍ବରରେ ରାସ୍ତାକଡ଼ କାନ୍ଥ ଓ ଗଛରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବରୁ ବିଏମସି ସଚେତନ କରାଇଥିଲା ।

ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଲକ୍ଷ୍ୟରେ ବିଏମସି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଇଥିଲା । ଆଗକୁ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । ହେଲେ କିଛି ଅସାଧୁ ଲୋକ ଏହି ନିୟମକୁ ବେଖାତିର କରି ବାରମ୍ବାର ପୋଷ୍ଟର ଲଗାଇ ଚାଲିଛନ୍ତି। ବିଶ୍ବକପ୍ ଓ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦିଆଯାଉଛି। କାନ୍ଥରେ ବିଭିନ୍ନ ବିଷୟ ବସ୍ତୁକୁ ନେଇ ରଙ୍ଗୀନ ଚିତ୍ର ଅଙ୍କାଯିବ ।