spot_img
Home Blog Page 970

ପଥର ଖାଦାନରେ ବ୍ଲାଷ୍ଟ ଯୋଗୁଁ ଘର ଫାଟି ଯାଉଥିବା ଅଭିଯୋଗ

ରାଉରକେଲା : କାନ୍ଥ ଫାଟି ଦୁଇଫାଳ । ଘରୁ ମାଟି ଝଡ଼ି ଦେଖାଗଲାଣି ଇଟା । କୌଣସି ସମୟରେ ଭଶୁଡ଼ି ଯାଇପାରେ ଘର । ଏହା କୌଣସି ଭୂମିକମ୍ପର ଦୃଶ୍ଯ ନୁହେଁ । ସୁନ୍ଦରଗଡ଼ ଲାଠିକଟା ବ୍ଲକ ଗୋଟିଧର ଗ୍ରାମର ଦୃଶ୍ୟ । ଗାଁ ନିକଟରେ ଥିବା ପଥର ଖାଦାନରେ ନିୟମିତ ବ୍ଲାଷ୍ଟିଂ ଯୋଗୁଁ ଗାଁରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ପ୍ରଚଣ୍ଡ ଶବ୍ଦରେ ଲୋକେ ଶୋଇ ପାରୁ ନଥିବା ଅଭିଯୋଗ କରିଛନ୍ତି । କୌଣସି ସମୟରେ ଘର ଧସିଯିବାର ଭୟ ରହିଥିବା ଅଭିଯୋଗ କରିଛନ୍ତି ବଲଣ୍ଡା ପଞ୍ଚାୟତ ଓ ଝାଡ଼ତରଙ୍ଗ ଗ୍ରାମପଞ୍ଚାୟତର ୧୦ ରୁ ଅଧିକ ଗ୍ରାମବାସୀ । ଏପରିକି ଖାଦାନ ନିକଟରେ ପିତାମହଲ ଡ଼୍ୟାମ ମଧ୍ଯ ବ୍ଲାଷ୍ଟିଂ ଯୋଗୁ ଫାଟି ଯିବା ସହ ତଳକୁ ଦବି ଯାଉଥିବା କହିଛନ୍ତି ଲୋକେ ।

ବ୍ଲାଷ୍ଟିଂ ହେଲେ ଗ୍ରାମବାସୀ ଭୟରେ ଘରୁ ବାହାରି ଆସୁଛନ୍ତି । ଏନେଇ ଗ୍ରାମବାସୀ ରାଜସ୍ଵ ଵିଭାଗ, ପ୍ରଦୂଷଣ ଵିଭାଗ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି । ଘର ସବୁ ଭାଙ୍ଗି ଯାଉଥିବାରୁ କିପରି ମରାମତି କରିବେ ସେନେଇ ଚିନ୍ତାରେ ଲୋକେ । ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ବିଭାଗ ସୂଚନା ଦେଇଥିଲେ ସୁଦ୍ଧା ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଲୋକେ ଚେତାବନୀ ଦେଇଛନ୍ତି ।

କୋରାପୁଟ ମିନାକ୍ଷୀ ହାଇଡ୍ରା ପ୍ରକଳ୍ପର ମନମୁଖି କାର୍ଯ୍ୟକୁ ବିରୋଧ

ଜୟପୁର : ମିନାକ୍ଷୀ ହାଇଡ୍ରୋ ବିଦ୍ୟୁତ ପ୍ରକଳ୍ପ । ଗୋଟିଏ ଚୁକ୍ତିରେ ଚାଲିଛି ୩ ତିନିଟି ପ୍ରକଳ୍ପ । ନା ହୋଇଛି ପଲ୍ଲୀସଭା ନା ଅଛି ପରିବେଶ ମଞ୍ଜୁରୀ । ନଷ୍ଟ ହେଉଛି ସଂରକ୍ଷିତ ଜଙ୍ଗଲ । ମନମୁଖି କାମ ଚଳାଇଛି ତେଲେଙ୍ଗାନା କମ୍ପାନୀ । ପ୍ରତିବାଦରେ ଏକାଠି ହେଲେ ୧୯ ଖଣ୍ଡ ଗାଁର ଲୋକେ । ହାଇଦ୍ରାବାଦର ଏହି କଂପାନୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ୨୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି । ହେଲେ ଏହାରି ଭିତରେ ଦ୍ବିତୀୟ ପ୍ରକଳ୍ପ ସାରି ତୃତୀୟ ପ୍ରକଳ୍ପ ନିର୍ମାଣ କରୁଛି । ପ୍ରକଳ୍ପ ନିର୍ମାଣ ପୂର୍ବରୁ କୌଣସି ଗ୍ରାମସଭା କିମ୍ବା ପଲ୍ଲିସଭା କରାଯାଇ ନଥିବାବେଳେ ଜଙ୍ଗଲ ଓ ପରିବେଶ ସମ୍ବନ୍ଧୀୟ କୌଣସି କାଗଜପତ୍ର ନଥିବା ଅଭିଯୋଗ ହୋଇଛି । ଏହାସହ ବିନା ସୁରକ୍ଷାରେ ନଦୀର ୩୫ ଫୁଟ ଉଚ୍ଚରେ କାମ କରୁଛନ୍ତି ଶ୍ରମିକ । ଏହି ଅଞ୍ଚଳ ଧଣ୍ଡରାଖୋଲ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ କିପରି ପ୍ରକଳ୍ପ ନିର୍ମାଣ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଏହାଦ୍ବାର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।

କୋରାପୁଟ ଜିଲ୍ଲା ବୈପାରୀଗୁଡା ଧଣ୍ଡରାପୋଲ ରିଜର୍ଭ ଫରେଷ୍ଟରେ ଚାଲିଛି ପ୍ରକଳ୍ପ ନିର୍ମାଣ କାର୍ଯ୍ଯ । କଂପାନୀ ମୂଳ ପ୍ରକଳ୍ପର ସରକାରୀ ମଞ୍ଜୁରିରେ ଚଞ୍ଚକତା କରି ତୃତୀୟ ପ୍ରକଳ୍ପ ଜାରି ରଖିଥିବା ଅଭିଯୋଗ ହୋଇଛି । ଯାହାଦ୍ବାରା ବାଦୁଡିପାର, ଅଟାଲଗୁଡା ଓ ମାଳିପଦର ଗାଁ ଜଳମଗ୍ନ ହେବା ଆଶଙ୍କା କରିଛନ୍ତି ଗ୍ରାମବାସୀ । ଏହାଦ୍ବାରା ଅନ୍କ ମୂଲ୍ଯବାନ ଗଛ କଟାଯାଉଥିଲେ ବି ପୂନଃ ବୃକ୍ଷ ରୋପଣ କରାଯାଉ ନାହିଁ । ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ଦେଇ ବାହାର ଅଞ୍ଚଳର ଲୋକଙ୍କୁ ନେଇ କାମ୍ କରୁଛି କମ୍ପାନୀ । ଏନେଇ ପ୍ରକଳ୍ପ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନଥିବାବେଳେ ଗ୍ରାଉଣ୍ଡ ଜିରୋ କୁ ଯାଇ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ । ପ୍ରତିବାଦରେ ୧୯ ଖଣ୍ଡ ଗ୍ରାମ ବାସୀ ଏକାଠି ହୋଇ ବୈଠକ କରିଥିବାବେଳେ କାର୍ଯ୍ଯାନୁଷ୍ଠାନ ନନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରର ନୂଆ ୟୁଟୁବ୍ ଚ୍ୟାନେଲ

ପୁରୀ : ଶ୍ରୀମନ୍ଦିର ଫଟୋ ଭାଇରାଲ କଲେ ରକ୍ଷାନାହିଁ । ଆରମ୍ଭ ହେବ ଶ୍ରୀମନ୍ଦିର ନୂଆ ୟୁଟ୍ୟୁବ୍ ଚ୍ଯାନେଲ । କୋଠଭୋଗରେ ଜୈବିକ ପଦ୍ଧତିରେ ବ୍ୟବହାର ହେବ ଅମୃତ ଅନ୍ନ । ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।  ଶ୍ରୀମନ୍ଦିର ଉପରେ ଡ୍ରୋନ ଓ ଭିତରେ ମୋବାଇଲ ଫୋନ ନେଇ ଫୋଟୋ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏ ନେଇ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦିଆଯିବ । ପ୍ରସ୍ତାବ ପାରିତ ହେଲା ପରେ ଟ୍ରିପଲ ଆକ୍ଟ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଠକରେ ଚଳିତ ବର୍ଷ ରଥଯାତ୍ରା ସୁରୁଖୁରେ ଅନୁଷ୍ଠିତ ହେବା ନେଇ କରାଯାଇଛି ଆଲୋଚନା । ରତ୍ନଭଣ୍ଡାର ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ୫ଟି ବିମ୍ ଲାଗିଥିଲା । ସେସବୁ କଳଙ୍କି ଲାଗିଥିବାରୁ କଢ଼ାଯାଇ ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ଖଞ୍ଜା ଯାଇଛି । ଦୁର୍ବଳ ପଥର ବଦଳାଯାଉଛି । କେମିକାଲ ୱାସିଂ ଚାଲିଛି । ବାହାର ରତ୍ନଭଣ୍ଡାରକୁ ଡିପ୍ଲାଷ୍ଟରିଂ ସମୟରେ ପଥର ଖରାପ ବାହାରୁଛି । ପରେ ଚଟାଣ ମରାମତି ହେବ । ଅକ୍ଷୟ ତୃତୀୟା ବେଳକୁ ମରାମତି ଓ ସଂରକ୍ଷଣ ଶେଷ ହୋଇପାରେ।

ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ନୂଆ ୟୁଟୁବ୍ ଚ୍ୟାନେଲ । ଗୁଣ୍ଡିଚା ମନ୍ଦିର ଆଗରେ କରାଯିବ ସୂଚନା କେନ୍ଦ୍ର । ଏଲଇଡି ଡିସପ୍ଲେ ମାଧ୍ୟମରେ ଗୁଣ୍ଡିଚା ମନ୍ଦିର ସମ୍ପର୍କିତ ତଥ୍ୟ ଜାଣିପାରିବେ ଶ୍ରଦ୍ଧାଳୁ । ଏହାସହ କୋଠଭୋଗରେ ଜୈବିକ ପଦ୍ଧତିରେ ବ୍ୟବହାର ହେବ ଅମୃତ ଅନ୍ନ । ୟୁନିଫର୍ମ ପଲିସି ପରିଚାଳନା କମିଟିରେ ପାସ୍ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ହେବାପରେ ଲାଗୁ ହେବ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ହୋଇଛି । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏକ୍ସପର୍ଟ ମାନେ ଡାଇଗ୍ରାମ ଦେଖାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଇଦ୍, ରାମନବମୀ ପାଇଁ କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ

ଭୁବନେଶ୍ବର : ଉତ୍ସାହର ସହ ପର୍ବ ପାଳନ କର, କିନ୍ତୁ ଆଇନକୁ ହାତକୁ ନିଅନି । ମହଙ୍ଗା ପଡିପାରେ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ । ରେଞ୍ଜ ଆଇଜି ଓ ଡ଼ିଆଇଜି ଙ୍କ ସହ ଡିଜିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୋଭାଯାତ୍ରା ପାଇଁ ଅନୁମତି ପୂର୍ବରୁ ହେବ କଡାକଡି ଯାଞ୍ଚ । ଆଗକୁ ଇଦ, ରାମ ନବମୀ ଓ ପଣା ସଂକ୍ରାନ୍ତି । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ବେଶ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଭାଇଚାରା ଓ ସଦଭାବନା ସହ ରାଜ୍ୟରେ ଏହି ପର୍ବକୁ ପାଳନ ନିମନ୍ତେ ଅଣ୍ଟା ଭିଡ଼ିଛି ପୋଲିସ ପ୍ରଶାସନ । ବରିଷ୍ଠ ପୋଲିସ ଅଧିକାରୀ ଏ ନେଇ ଏସପି, ଆଇଜି ଓ ଡ଼ିଆଇଜିଙ୍କ ସହ ବୈଠକ କରିବା ପରେ ବଛା ବଛା ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ଠାରୁ ଆରମ୍ଭ କରି କମିଶନରେଟ ପୋଲିସ ପର୍ଯ୍ୟନ୍ତ ଅପରାଧୀଙ୍କ ଗତିବିଧି କୁ ଲକ୍ଷ କରାଯାଇଛି । ଭୁବନେଶ୍ୱରରେ ପେଶାଦାର ତଥା ଫେରାର ଅପରାଧୀଙ୍କ ଘରେ ଲଟକା ଲାଗୁଛି । ସହରକୁ ଅପରାଧ ମୁକ୍ତ କରିବା ପାଇଁ ନିଶା ମାଫିଆଙ୍କ ବିରୋଧରେ ଜିରୋ ଟଲରାନ୍ସ ଗ୍ରହଣ କରାଯାଉଛି ।

ସମ୍ବଲପୁର, ସୁନ୍ଦରଗଡ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଖୋର୍ଦ୍ଧା ଉପରେ ଅଧିକ ନଜର ରହିଛି । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ସଦଭାବନା କ୍ଷୁର୍ଣ୍ଣ ହେଉଥିବା ବାର୍ତ୍ତା ଓ ପୋଷ୍ଟ ନକରିବାକୁ ଅନୁରୋଧ କରାଯାଇଛି । ଧର୍ମକୁ ନେଇ କଟାକ୍ଷ ଓ ଗୁଜବ ଉପରେ ନଜର ରଖିବାକୁ ଓଡିଶା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ଫେଷ୍ଟିଭ ସିଜିନକୁ ଦୃଷ୍ଟିରେ ରଖି ପୁରୁଣା ଦାଗି ବା ୱାରେଣ୍ଟିଙ୍କୁ ଚିହ୍ନଟ ଚାଲିଛି । ଥାନାରେ ହାଜିରା ଦେଉନଥିବା ଅପରାଧୀଙ୍କ ଘରେ ଲଟକା ଲାଗୁଛି । କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଥାନା ଅଧିନରେ ଲଟକା ଲଗାଇ ଅପରାଧୀଙ୍କ ଛାତିରେ ଛନକା ପୁରାଇଛନ୍ତି ଡିସିପି ଜଗମୋହନ। ପୂର୍ବରୁ ଥାନା ଅଧିକାରୀ ଓ ଏସିପିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଡିସିପି । ମାତ୍ରାଧିକ ଅପରାଧରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ସହ ତଡିପାର କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ପୂର୍ବ କାମ ଉପରେ ପତଳା ପିଚୁ ଢଳାଯାଇ ଅର୍ଥ ହଡ଼ପ

ବରୀ : ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଚଞ୍ଚକତା । ପୂର୍ବ କାମ ଉପରେ ପତଳା ପିଚୁ ଢଳାଯାଇ ଅର୍ଥ ହଡ଼ପ । ଲାଗିନି ସୂଚନା ଫଳକ । ବିଭାଗୀୟ ଅଧିକାରୀଙ୍କ ସହ  ଠିକାଦାରଙ୍କ ମଧୁଚନ୍ଦିକା ଅଭିଯୋଗ । ପୂର୍ତ୍ତ ବିଭାଗ ପକ୍ଷରୁ ବରୀ ମାଉଣ୍ଡ ଠାରୁ ଵିଦୃପା ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ରାସ୍ତା କାମ। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟକ ଭାରି ଯାନ ଯାତାୟତ କରିଥାଏ । ଏପରି କି ଏହି ରାସ୍ତା ଦେଇ ନିତିଦିନ ସ୍କୁଲ, କଲେଜ, ବରୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର, ବରୀ ବ୍ଲକ ଓ ବୌଦ୍ଧ ପୀଠ ରତ୍ନଗିରିକୁ ଶତାଧିକ ପର୍ଯ୍ୟଟକ ଯାତାୟତ କରିଥାନ୍ତି। ଯାହାକୁ ଆଖି ଆଗରେ ରଖି ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ସମ୍ପ୍ରସାରଣ ନିମନ୍ତେ 21 କୋଟି ରୁ ଅଧିକ ଟଙ୍କା ମଞ୍ଜୁର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ସୂଚନା ଫଳକ ଲଗାଯାଇନାହିଁ । ସମ୍ପୃକ୍ତ ଠିକାଦାର ନିୟମର ଖୋଲା ଖୋଲି ଉଲଘଂନ କରିଥିବା ଅଭିଯୋଗ ହୋଇଛି।

୭ ମାସ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଅଗ୍ରଗତି ହୋଇନାହିଁ । କାମର ଯାଞ୍ଚ ପାଇଁ  ବିଭାଗୀୟ ଅଧିକାରୀ ଆସୁନଥିବା ଅଭିଯୋଗ ହୋଇଛି । ଅଧିକାରୀ ମାନଙ୍କ ଲାଞ୍ଚ ଖୋର ମନୋଭାବ ଯୋଗୁଁ କାମର ମାନ ଅତି ନିମ୍ନମାନର ହେଉଥିବା ସ୍ଥାନୀୟ ଗ୍ରାମବାସୀ ମାନେ କହିଛନ୍ତି। ଏ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ  କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ଏହି କାର୍ଯ୍ୟ ପ୍ରତି ବିଭାଗୀୟ ଉପରିସ୍ଥ ଅଧିକାରୀ ମାନେ ନଜର ଦେବା ସହିତ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଗେଣ୍ଡୁ ଫୁଲ ଚାଷ କରି ଚର୍ଚ୍ଚାରେ ଅଣ୍ଢରା ଗ୍ରାମର ଅମ୍ବିକା

ପଟ୍ଟାମୁଣ୍ଡାଇ : ଗେଣ୍ଡୁ ଫୁଲ ଚାଷରେ ପୂର୍ବତନ ମହିଳା ସରପଞ୍ଚ । ନିଜେ ସ୍ବାଲମ୍ବି ହେବା ସହ ଅନ୍ୟ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ପଟ୍ଟାମୁଣ୍ଡାଇ ଅଣ୍ଢରା ଗାଁର ଅମ୍ବିକା ମଲିକଙ୍କୁ ସବୁଠି ପ୍ରଶସା ।ସେ ନିଜ ଜମିରେ ଚାଷ କରିଛନ୍ତି ଗେଣ୍ଡୁ ଓ ସୂର୍ଯ୍ୟମୁଖୀ ସହ ଅନେକ ପନି ପରିବା । ତେବେ ସେ ଗଣ୍ଡୁ ଫୁଲକୁ ମୁଖ୍ୟ ରୋଜଗାରର ମାଧ୍ୟମ କରିଛନ୍ତି । ପରୀକ୍ଷାମୂଳକ ଭାବେ ୨ବର୍ଷ ହେବ ଗେଣ୍ଡୁଫୁଲ ଚାଷ କରି ସେ ବେଶ ସଫଳତା ପାଇଛନ୍ତି ।  ଅମ୍ବିକାଙ୍କୁ ଚାଷରେ ସହଯୋଗର ହାତ ବଢ଼ାଇଛନ୍ତି ସ୍ୱାମୀ ସଞ୍ଜୟ ।

ଚାଷ ଦ୍ୱାରା ଅମ୍ବିକା ନିଜେ ସ୍ୱାବଲମ୍ବୀ ହେବା ସହିତ ୮ ରୁ ୧୦ ପରିବାରକୁ ଯୋଗାଇଛନ୍ତି ନିଯୁକ୍ତି ସୁଯୋଗ । ଅମ୍ବିକାଙ୍କୁ ଦେଖି ଏବେ ଅଞ୍ଚଳର ଅନେକ ଲୋକ ଗେଣ୍ଡୁଫୁଲ ଚାଷ ପ୍ରତି ମନ ବଳାଇଛନ୍ତି । ଏହି ଚାଷ ନିଶ୍ଚିତ ରୂପେ ଯୁବପିଡିଙ୍କୁ ନଯୁକ୍ତି ଯୋଗାଇ ପାରିବ ବୋଲି କହିଛନ୍ତି ଅମ୍ବିକା । ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଜାଗାକୁ ଫୁଲ ଯୋଗାଇବାରେ ସମର୍ଥ ହେବେ ବୋଲି କହିଛନ୍ତି ଅମ୍ବିକା ଓ ସଞ୍ଜୟ ।

ନିର୍ମାଣ ହୋଇଛି ପରିବା ହାଟ, ହେଲେ କାମରେ ଆସୁନି

ଭୁବନ : ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟରେ ଚାଲିଛି ପରିବା ହାଟ । ରାସ୍ତାରୁ ହଟୁନି ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଅଞ୍ଚଳ ।  ଢେଙ୍କାନାଳ ଜିଲ୍ଲାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ମୂଖ୍ଯ ରାସ୍ତାରେ ଚାଲିଛି ଦୈନନ୍ଦିନ ପରିବା ହାଟ। ନିତିଦିନ ଶହ ଶହ ପରିବା ଚାଷୀ ଖରା ବର୍ଷାରେ ଏହି ମୁଖ୍ଯ ରାସ୍ତାରେ ପରିବା ବିକ୍ରି କରୁଛନ୍ତି । ହାଟ ସରିଗଲେ ପଚା ସଢା ପରିବା ରାସ୍ତାରେ ପଡୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଚାଲୁଥିବା ପରିବା ହାଟରେ ଶୌଚାଳୟ ନଥିବାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପାଚୋରୀ ଓ ହାଇସ୍କୁଲ ଖେଳପଡିଆକୁ ଶୌଚାଳୟ ଭଳି ବ୍ୟବହାର କରାଯାଉଛି ।  ଫଳରେ ଗନ୍ଧମୟ ପରିବେଶରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ପିଲା।

ଭୁବନରେ ସ୍ଥାୟୀ ପରିବା ହାଟ ରଗଡ଼ି ଛକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ। ହେଲେ ସେଠାରେ ପାନୀୟଜଳ ଓ ଶୈଚାଳୟର ସୁବିଧା ନଥିବା କାରଣରୁ ବ୍ୟବସାୟୀ ମାନେ ସ୍ଥାନାନ୍ତରିତ ହେବାକୁ ଅମଙ୍ଗ । ତେବେ ବର୍ତ୍ତମାନ ସମୟରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଡାକବଙ୍ଗଳା ଛକରେ ପରିବା ବଜାର କୋଭିଡ ସମୟରୁ ଅସ୍ଥାୟୀ ରୂପେ ଚାଲିଆସିଛି । ତେବେ ଡାକବଙ୍ଗଳା ଛକ ନିକଟରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହୁଥିବା କାରଣରୁ ଅନେକ ସମୟରେ ଜନସାଧାରଣଙ୍କ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ହାଟକୁ ଆସୁଥିବା ବ୍ୟବସାୟୀଙ୍କ ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମୁଣ୍ଡ ପିଛା ୨୦ ଟଙ୍କା ମହାସୁଲ ଆଦାୟ କରୁଥିବା ସେମାନଙ୍କ ମୋଳିକ ସୁବିଧାରୁ ବଞ୍ଚିତ ରଖାଯାଉଥିବା ଅଭିଯୋଗ ହୋଇଛି ।  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ମିତ ସ୍ଥାୟୀ ପରିବା ହାଟରେ ଖୁବଶୀଘ୍ର ପରିବା ଚାଷୀମାନଙ୍କୁ ଥଇଥାନ କରାଯିବା ନେଇ ସୁଚନା ପ୍ରଦାନ କରିଛନ୍ତି ନିର୍ବାହୀ ଅଧିକାରୀ

ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ହଡ଼ପ !

ନୂଆପଡା : ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ହଡ଼ପ । ଖଡ଼ିଆଳ ବ୍ଲକ ନରସିଂହପୁର ଗାଁରୁ ଆସିଛି ସାଂଘାତିକ ଅଭିଯୋଗ। ବିଭିନ୍ନ କାମରେ ଶ୍ରମିକ ଭାବେ ନିୟୋଜିତ ହୋଇ ଜୀବିକା ନିର୍ବାହ କରନ୍ତି ବିଷ୍ଣୁ ପ୍ରସାଦ ବାଗ । ୨୦୧୬ରେ ସେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଶ୍ରମିକ କାର୍ଡ ପଞ୍ଜୀକରଣ କରିଥିଲେ । ୨୦୧୯ ରେ ପଞ୍ଜୀକରଣର ନବୀକରଣ ପାଇଁ ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ହୋଇସାରିଛି ଓ ତାଙ୍କ ନାମରେ ମୃତ୍ୟୁକାଳୀନ ସହାୟତା ଯାଇ ସାରିଥିବା ଜାଣିବାକୁ ପାଇଥିଲେ ବିଷ୍ଣୁ। କିଛି ଭୁଲ ହୋଇଥାଇ ପାରେ ବୋଲି କହି ପଞ୍ଜୀକରଣର ନବୀକରଣ କରିବାକୁ ସେ ଅନୁରୋଧ କରିଥିଲେ ବି  ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ କାର୍ଡ ନବୀକରଣ ପାଇଁ ମନା କରିଦେଇଥିବା ଅଭିଯୋଗ ହୋଇଛି ।

ସରକାରୀ ଫାଇଲରେ ନିଜ ମୃତ୍ୟୁ ଘଟଣାକୁ ନେଇ ବିଷ୍ଣୁ  ଦୀର୍ଘ ୬ବର୍ଷ ହେବ ଶ୍ରମ ବିଭାଗ କାର୍ଯ୍ୟାଳୟ ଓ ରାଜ୍ୟ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଶୂନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଶହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶ୍ରମିକ। ଶ୍ରମିକ ବଞ୍ଚି ଥାଉ ଥାଉ ତାଙ୍କୁ କିଭଳି ସରକାରୀ ଫାଇଲରେ ମୃତ ଘୋଷଣା କରାଗଲା ? ଏହି ଚଞ୍ଚକତା ପଛରେ କାହାର ହାତ ? ମୃତ୍ୟୁକାଳୀନ ସହାୟତା କିଏ ହଡ଼ପ କରିଛି ? ଏଭଳି ଅନେକ ପ୍ରଶ୍ନ ଏବେ ଶ୍ରମିକଙ୍କ ମନରେ ଛିଡା ହୋଇଛି । ଏପଟେ ଜିଲ୍ଲା ଶ୍ରମ ଅଧିକାରୀ କଂପ୍ୟୁଟର ରେ କିଛି ତୃଟି ଥିବା ଅନୁମାନ କରିଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଣ୍ଣୁ ଆରଟିଆଇରେ ତଥ୍ୟ ମାଗିଥିବା ବେଳେ ଶ୍ରମ ବିଭାଗ ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି । ଶ୍ରମ ବିଭାଗ ଜାଣିଶୁଣି ନୀରବତା ଅବଲମ୍ବନ କରି ଦୋଷ ଲୁଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି  । ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏପରି ଅନେକ ଘଟଣା ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଡବଲ ଇଞ୍ଜିନର ଗୋଟିଏ ଇଞ୍ଜିନ ଆର ଇଞ୍ଜିନର ପକ୍ଷ ଛେଦନ କରୁଛି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର ; ଏପ୍ରିଲ ପହିଲା ଓଡିଶା ଦିବସଠାରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ଯ ସରକାର ଓଡ଼ିଆ ପକ୍ଷ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ଯାହାକୁ ବିଜେଡି କଟାକ୍ଷ କରିଛି । ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି । ଏମିତିରେ ସରକାର କି ଓଡ଼ିଆ ପକ୍ଷ ପାଳନ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି । ଓଡିଶା ସରକାର ଦଶ ମାସରେ କେତେ କେନ୍ଦ୍ରୀୟ ଅନୁଦାନ ପାଇଛନ୍ତି ? ତାର ହିସାବ ଦେବେ କି ସରକାର ? କେନ୍ଦ୍ର ସରକାର ପ୍ରତ୍ଯେକ ଦିନ ରାଜ୍ୟ ସ୍ୱାର୍ଥର ପକ୍ଷ ଛେଦନ କରୁଛନ୍ତି । ଓଡ଼ିଆ ପକ୍ଷ ପାଳନ କେବଳ ଏକ ପ୍ରହେଳିକା ।  ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ । ବିନା ଭୟରେ ବିନା ରାଜନୀତିରେ କେନ୍ଦ୍ର ପାଖରେ ନିଜର ପକ୍ଷ ଜୋରଦାର ଉପସ୍ଥାପନ କରନ୍ତୁ । ଯେମିତି ନବୀନ ବାବୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରି ସଫଳ ହେଉଥିଲେ ତାହା କରନ୍ତୁ । ନିର୍ବାଚନ ଜିତିବା ପାଇଁ କେବଳ ଅସ୍ମିତା କଥା କୁହନାହିଁ । ଏହାକୁ କାମରେ କରି ଦେଖାଇବାକୁ ଆହ୍ବାନ ଦେଇଛି ବିଜେଡି । ପ୍ରତ୍ଯେକ ଦିନ ଓଡ଼ିଆ ଅସ୍ମିତା କ୍ଷୁଣ୍ଣ ହେଉଛି । ତେଣୁ ଓଡ଼ିଆ ପକ୍ଷ ପାଳନ ଏକ ଘୋଡ଼ଣି ମାତ୍ର । ଏ ସରକାର ସବୁବେଳେ ଦୋ ଛୋକିରେ। କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ସରକାରଙ୍କୁ ରାସ୍ତା ମିଳୁନି ବୋଲି କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ଟ୍ରେନ ଦୁର୍ଘଟଣାରେ ଜଣେ ମୃତ, ମିଳିଲା ପରିଚୟ

ଚୌଦ୍ବାର :  ନିର୍ଗୁଣ୍ଡି ନିକଟରେ ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଦୁର୍ଘଟଣାରେ ମୃତ ବରଣ କଣିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତକ ଜଣଙ୍କ ଶୁଭଙ୍କର ରାୟ ଓ ସେ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡିଛି । ଶୁଭଙ୍କର ପରିବାର ସହ ବେଙ୍ଗାଲୁରୁରୁ ଅଲ୍ଲୀପୁର ଫେରୁଥିଲେ । ମା’ ଚିତ୍ରା ରୟଙ୍କ ହୃଦରୋଗ ଚିକିତ୍ସା ପାଇଁ ଯାଇଥିଲେ ଶୁଭଙ୍କର।

କଟକ ନିର୍ଗୁଣ୍ଡିରେ ଟ୍ରେନ ଦୁର୍ଘଟଣା । ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଟ୍ରେନ ନମ୍ବର ୧୨୫୫୧ ଲାଇନଚ୍ଯୁତ । ଟ୍ରାକରୁ ୧୧ଟି ଏସି ବଗି ଖସିବା ଫଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି ଏସସିବି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ପ୍ରାୟ ୧୨ଟା ପାଖାପାଖି ଏହି ଦୁର୍ଘଟଣା ଘଟିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କ୍ଷତିଗ୍ରସ୍ତ ବଗି ଭିତରୁ ଏନଡିଆରଏଫ ଟିମ ଯାତ୍ରୀଙ୍କୁ ଉଦ୍ଧାର କରିଛି ।

ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପ୍ରାଥମିକତା ଦିଆଯାଉଛି । ତିନିଟି ଟ୍ରେନର ଗତିପଥ ବଦଳିଛି । ସେଗୁଡିକ ହେଲା ୧୨୮୨୨-ଧଉଳି ଏକ୍ସପ୍ରେସ, ୧୨୮୭୫-ନୀଳାଚଳ ଏକ୍ସପ୍ରେସ, ୨୨୬୦୬-ପୁରୁଲିଆ ଏକ୍ସପ୍ରେସର ଗତିପଥ ବଦଳିଛି ।

ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ ଡେସ୍କ ନମ୍ବର ୮୧୧୪୩ ୮୨୩୭୧ ଜାରି କରାଯାଇଛି । ସେହିପରି ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ପାଇଁ ୮୪୫୫୮ ୮୫୯୯୯, ଭଦ୍ରକ ହେଲ୍ପ ଲାଇନ୍ ନମ୍ବର ୯୪୩୭୪ ୪୩୪୬୯, କଟକ ହେଲ୍ପ ଲାଇନ ନମ୍ବର ୭୨୦୫୧ ୪୯୫୯୧ଳ, ଭୁବନେଶ୍ବର ହେଲ୍ପ ଲାଇନ ନମ୍ବର ୮୪୫୫୮ ୮୫୯୯୯ ଜାରି କରାଯାଇଛି ।

ପଲାସା ହେଲ୍ପ ଲାଇନ ନମ୍ବର ୯୨୩୭୧ ୦୫୪୮୦, ଯାଜପୁର-କେନ୍ଦୁଝର ରୋଡ ହେଲ୍ପ ଲାଇନ୍ ନମ୍ବର ୯୧୨୪୬ ୩୯୫୫୮ ଓ ଖୋର୍ଦ୍ଧା ରୋଡ ହେ ହେଲ୍ପ ଲାଇନ ନମ୍ବର ୦୬୭୪୨ ୪୯୨୨୪୫ ଜାରି କରାଯାଇଛି ।