spot_img
Home Blog Page 911

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍ : ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କୀଙ୍କୁ ଯୋଗାଇଆସୁଥିଲା ସମ୍ବଳ

ନନ୍ଦିଘୋଷ ବ୍ୟୁରୋ:  ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ପ୍ରସ୍ତାବକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି  । ଏହି ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି ଯେ , ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ଉପରେ ଏଇଆଇପିଏଲବି(AIMPLB) ର ସଦସ୍ୟ ମୌଲାନା ଖଲିଦ ରସିଦ ଫିରଙ୍ଗୀ ମହଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।

AIMPLB ସଦସ୍ୟ ମୌଲାନା ଖାଲିଦ ରସିଦ ଫିରଙ୍ଗୀ ମହଲୀ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ଉପରେ କହିଛନ୍ତି ଯେ, “ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନରୁ ଜଣାପଡୁଛି ଯେ ପାକିସ୍ତାନ ଗତ 30 ବର୍ଷ ଧରି ଆତଙ୍କବାଦକୁ ପାଣ୍ଠି ଯୋଗାଇ ଆସୁଛି ଯାହା କି ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣ୍ୟ ବୟାନ।

ଭାରତ ପ୍ରଥମ ଦିନରୁ ଏହା କହି ଆସୁଛି ଯେ, ଅନ୍ତର୍ଜାତୀୟ ଗୋଷ୍ଠୀଗୁଡ଼ିକ ମଧ୍ୟ ଆଗକୁ ଆସି ପାକିସ୍ତାନରୁ ସମସ୍ତ ପ୍ରକାରର ଆତଙ୍କବାଦକୁ ଶେଷ କରିବା ଉଚିତ। ଏହା ସତ୍ତ୍ବେ ବି ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଯୋଗାଇ ଆସୁଛି  । ଭାରତ ପାକିସ୍ତାନ ସହିତ ତାର ସମସ୍ତ କୂଟନୈତିକ ସମ୍ପର୍କ ସମାପ୍ତ କରିବା ଉଚିତ ଯାହା ଦ୍ୱାରା ଆମେ ସବୁଦିନ ପାଇଁ ଆତଙ୍କବାଦରୁ ମୁକ୍ତି ପାଇପାରିବା।”

ସୂଚନାନୁସାରେ,ଏକ ସାମ୍ପ୍ରତିକ ସାକ୍ଷାତକାର ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ, ତାଲିମ ଏବଂ ଟଙ୍କା ଦେଇ ଆସୁଛି। ସେ ଏହାକୁ ଏକ ଭୁଲ ବୋଲି କହିଥିଲେ ଯାହା ପାଇଁ ଏବେ ପାକିସ୍ତାନକୁ କ୍ଷତି ସହିବାକୁ ପଡୁଛି। ଖୱାଜା ଆସିଫ୍ ସ୍ୱୀକାର କରିଛନ୍ତି ଯେ ଆମେ ଗତ ତିନି ଦଶନ୍ଧି ଧରି ଆମେରିକା ଏବଂ ବ୍ରିଟେନ ପାଇଁ ବି ଏହି ଘୃଣ୍ୟ କାମ କରିଆସୁଛୁ। ତଥାପି, ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଛି।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ବହୁତ କଠୋର ପଦକ୍ଷେପ ନେଇଛି । ଏହି କ୍ରମରେ, ମୋଦି ସରକାର ପାକିସ୍ତାନ ବିରୋଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ନେଇଛନ୍ତି  ।  1960 ର ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ ଲଗାଇଛନ୍ତି। ଏହା ସହିତ, ପାକିସ୍ତାନୀ ନାଗରିକଙ୍କ ଭିସା ମଧ୍ୟ ବାତିଲ କରାଯାଇଛି ଏବଂ ପାକିସ୍ତାନ ହାଇ କମିଶନକୁ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ କୁହାଯାଇଛି।

 

୪୫ ବର୍ଷ ପରେ ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା

ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ଅପେକ୍ଷାର ହେଲା ଅନ୍ତ । ୪୫ ବର୍ଷ ପରେ ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା । ଗତକାଲି ଅର୍ଥାତ୍ ଏପ୍ରିଲ ୨୪ରେ ଶିମିଳିପାଳକୁ ସରକାରୀ ଭାବେ ନ୍ୟାସନାଲ ପାର୍କ ବା ଜାତୀୟ ଉଦ୍ୟାନ ରୂପେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧୯୮୦ ମସିହାରେ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ୧୯୮୫-୮୬ ମସିହାରେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସବୁ ପ୍ରକ୍ରିୟା ସରିବା ପରେ ଗତକାଲି ଏଥିନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଉଦ୍ୟାନ ଘୋଷଣା ପରେ ଏବେ ଶିମିଳିପାଳ ଉପରେ କୌଣସି ବ୍ୟକ୍ତି ବିଶେଷଙ୍କର କୌଣସି ଅଧିକାର ନାହିଁ । ସମ୍ପୂର୍ଣ୍ଣ ଅଧିକାର ସରକାରଙ୍କର । ଏବେ ଶିମିଳିପାଳର ୮୪୫ ବର୍ଗ କିଲୋମିଟର ଅଞ୍ଚଳରେ କୌଣସି ଜନବସତି ନାହିଁ । ଏବେ ଶିମିଳିପାଳରେ ୪୦ ଟି ବାଘ ଅଛନ୍ତି । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି ବୋଲି ଜଣାପଡିଛି ।

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସେନସେକ୍ସ କ୍ରାସ : ୧୦୦୦ ପଏଣ୍ଟ କ୍ରାସ କଲା ସେନସେକ୍ସ

ନନ୍ଦିଘୋଷ ବ୍ୟୁରୋ :  ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ପରେ ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୮,୮୦୦ ପଏଣ୍ଟ ସ୍ତରରେ କାରବାର କରୁଛି। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୩୦୦ ପଏଣ୍ଟରୁ ଅଧିକ ଖସି ୨୩,୯୪୧.୨୦ ପଏଣ୍ଟରେ ରହିଛି। ପ୍ରାରମ୍ଭିକ କାରବାରରେ ବଜାରରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ, ଦିନ ଗଡ଼ିବା ସହ ଏହା ତୀବ୍ର ହ୍ରାସ ପାଇଥିଲା। ସେନସେକ୍ସରେ ଘାଟା ପରେ ଚିନ୍ତାରେ ନିବେଶକ ।

ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ବଜାରରେ ନକାରାତ୍ମକ ପ୍ରଭାବ ପକାଇଛି। ଏହା ନିବେଶକଙ୍କ ମନୋବଳକୁ ଦୁର୍ବଳ କରିଛି, ଯାହା ବଜାରରେ ବିକ୍ରି ଚାପ ବୃଦ୍ଧି କରିଛି। ବଜାର ବିଶେଷଜ୍ଞଙ୍କ ମତର, ଏହି ହ୍ରାସ ଅସ୍ଥାୟୀ ହୋଇପାରେ, କିନ୍ତୁ ରାଜନୈତିକ ଏବଂ ବୈଶ୍ୱିକ ଅର୍ଥନୈତିକ ସ୍ଥିତି ଉପରେ ନିର୍ଭର କରି ବଜାରର ଗତିବିଧି ଆଗକୁ ମଧ୍ୟ ଅସ୍ଥିର ରହିପାରେ। ନିବେଶକମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ଦୀର୍ଘମିଆଦୀ ନିବେଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି।

ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ସେନାର ଏନକାଉଣ୍ଟର। ସର୍ଚ୍ଚ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଲସ୍କର ଆତଙ୍କବାଦୀ ଅଲତାଫ ଲାଲି ନିପାତ ହୋଇଥିବା ଜଣାପଡିଛି। ସେନାର ଗୁଳିରେ ଟଳି ପଡିଛି ଆତଙ୍କବାଦୀ ଅଲତାଫ। ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ପ୍ରଥମେ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କୀ । ଗୁଳି ଚଳାଇବା ପରେ ଚାଲିଥିଲା ଜବରଦସ୍ତ ଫାୟାରିଂ। ବାନ୍ଦିପୋରା କୁଲନାର ବାଜିପୋରା ଜଙ୍ଗଲରେ ଏବେବି ଗୁଳିବିନିମୟ ଜାରି ରହିଛି। ଆତଙ୍କୀଙ୍କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।

ବ୍ଲକ୍ ବିଜେଡି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ବ୍ଲକ୍ ବିଜେଡି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ । ପ୍ରତିବାଦରେ ଦଶରଥପୁର ଥାନାରେ ବିଜେଡି ସମର୍ଥକଙ୍କ ହୋ ହାଲ୍ଲା । ଗତକାଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ । ଏହି ସମୟରେ କାଟିଆ ଛକ ଠାରେ ରାଜେଶ ମହାନ୍ତି ଏବଂ ଭରତ ମହାନ୍ତି ତାଙ୍କୁ ଅଟକାଇ ଥିଲେ । ଅଜୟଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ବେକରୁ ସୁନା ଚେନ ଓ ୧୫ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିବାରୁ ନିକଟରେ ଲୁଚି ରହିଥିବା ଗୌରାଙ୍ଗ ମହାନ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଜୟ ପାଟି କରିବାରୁ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ ଅଜୟ ଚିକିତ୍ସା କରିବା ପରେ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି । ଖବର ଜଣାପଡିବା ପରେ ଶତାଧିକ ବିଜେଡି ସମର୍ଥକ ଦଶରଥପୁର ଥାନାରେ ପହଁଚି ପ୍ରବଳ ହୋ -ହଲ୍ଲା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ଜଣାଇଛନ୍ତି ।

ପହଲଗାଓଁ ଆକ୍ରମଣ ଘଟଣା : ଦିଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ବଜାର ବନ୍ଦ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀର ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ପ୍ରତିବାଦ କରି  ଦିଲ୍ଲୀ ବ୍ୟବସାୟୀ ସଂଘର ବନ୍ଦ ଘୋଷଣା । ଶୁକ୍ରବାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଲ୍ଲୀର ବଜାର ବନ୍ଦ ଘୋଷଣା କରାଯାଇଛି । ଏହି ଘଟଣାକୁ ନେଇ ଦେଶବ୍ୟାପି ବିରୋଧ ଏବଂ ପ୍ରତିବାଦ କରାଯାଉଛି ଏବଂ ନାଗରିକ ମାନେ ଏହାକୁ ଘୋର ନିନ୍ଦା ମଧ୍ୟ କରୁଛନ୍ତି ।

ଅନ୍ୟପକ୍ଷେ ଦିଲ୍ଲୀ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଯାହାକୁ ସମସ୍ତ ବ୍ୟବସାୟୀ ସଂଗଠନ ସମର୍ଥନ ଜାଣାଇ ବଜାର ବନ୍ଦ ରଖିବାର ନିର୍ଣ୍ଣୟ ନେଇଛନ୍ତି । ଯାହା ଫଳରେ ୯୦୦ରୁ ଅଧିକ ଦୋକନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଏଥିସହିତ କଳା ବ୍ୟାଚ୍ ପିନ୍ଦି ବ୍ୟବସାୟୀ ମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧ କରିଛନ୍ତି । ସଂଘ ପକ୍ଷରୁ ଶନିବାର ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ବ୍ୟବସାୟୀଙ୍କୁ ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।

ପାକ୍ ଉପପ୍ରଧାନମନ୍ତ୍ରୀ ଇଶାକ ଦରଙ୍କ ବିଚିତ୍ର ବୟାନ; ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଦର୍ଶାଇଲେ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ହମଲାରେ ସାମିଲ ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ଦର୍ଶାଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଇଶାକ ଦର୍ । ପହଲଗାଓଁ ଘଟଣାରେ ପାକିସ୍ତାନର ସମ୍ପୃକ୍ତି ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ବୈଦେଶିକ ମନ୍ତ୍ରୀଙ୍କ ବୟାନ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ଦୁଇ ଦେଶ ମଧ୍ୟରେ ଭିସା, ସିନ୍ଧୁ ଜଳ, କୂଟନୀତିଜ୍ଞ ଆଦି କ୍ଷେତ୍ରରେ ବିବାଦ ଜାରି ରହିଥିବାବେଳେ ତାଙ୍କ ବୟାନ ଅଧିକ ବିବାଦ ସୃଷ୍ଟି କରିଛି । ପାକିସ୍ତାନର ୨୪ କୋଟି ଲୋକ ପାଣି ଚାହାଁନ୍ତି । ସିନ୍ଧୁ ଜଳ ଚୁକ୍ତି ବାତିଲ ନାମରେ ଭାରତ ପାଣି ବନ୍ଦ କରିପାରିବ ନାହିଁ ବୋଲି ସେ ଧମକ ଦେଇଛନ୍ତି । ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

ଜେଲରୁ ଇମରାନଙ୍କ ୬ ପ୍ରସ୍ତାବ : ଆର୍ମିଚିଫ୍ ସୟଦ ଆସିମ ମୁନୀର ଅହମ୍ମଦଙ୍କ ଉପରେ ଚାପ ପକାଇଲେ ଇମରାନ

ନନ୍ଦିଘୋଷ ବ୍ୟୁରୋ : ଜେଲରେ ଥାଇ ସୁଦ୍ଧା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ପଦକ୍ଷେପ । ପାକ୍ ସେନାମୁଖ୍ୟ ସୟଦ ଆସିମ ମୁନୀର ଅହମ୍ମଦ ଶାହଙ୍କ ଉପରେ ଚାପ ପକାଇଛନ୍ତି ଇମରାନ । ୨୦୨୩ରୁ ଜେଲରେ ଥିବା ପାକିସ୍ତାନ ତେହରିକ ଇ ଇନସାଫ ନେତା ଇମରାନ ବର୍ତ୍ତମାନ ରାଓଲପିଣ୍ଡିର ଆଦିଆଲା ଜେଲରେ ଅଛନ୍ତି । ତାଙ୍କ ବିବୃତିକୁ ଦଳର ନେତାମାନେ ପ୍ରସାରିତ କରୁଛନ୍ତି । ଆର୍ମିଚିଫଙ୍କ ନିକଟରେ ଇମରାନ ୬ଟି ପ୍ରସ୍ତାବ ରଖିଛନ୍ତି । ତୁରନ୍ତ ଆର୍ମିଚିଫ ଜେନେରାଲ ମୁନୀର ଇସ୍ତଫା ଦେବା, ୧୨ ମାସ ଭିତରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା, ୨୦୨୪ ନିର୍ବାଚନ ଜାଲିଆତିର ତଦନ୍ତ ଜାତିସଂଘ କମିଟି ଜରିଆରେ କରିବା, ହତ୍ୟା, ଅପହରଣ, ନିର୍ଯାତନା ଆଦି ମାନବାଧିକାର ଉଲ୍ଲଂଘନରେ ସାମିଲ ଥିବା ଅଫିସରମାନଙ୍କ ବିରୋଧରେ ମାମଲା, ରାଜନୈିତିକ ଅସ୍ଥିରତାର ଶିକାର ନାଗରିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ସାଲିସ କରୁଥିବା ବିଚାରପତିମାନଙ୍କୁ ବାହାର କରି ବିଚାରବିଭାଗୀୟ ଓ ସାମରିକ ସଂସ୍କାର ଆଣିବାକୁ କହିଛନ୍ତି ଇମରାନ ।

ରାଜଧାନୀରୁ ପୁଣି ହଜିଲା ନାବାଳକ, ଖେଳିବାକୁ ଆସି ଫେରିଲାନି ପୁଅ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରୁ ପୁଣି ହଜିଲା ନାବାଳକ । ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ରହୁଥିବା ପଙ୍କଜିନି ସାହୁ ଓ ଦାଶରଥି ସାହୁଙ୍କ ୧୩ ବର୍ଷର ପୁଅ ବିଜ୍ଞାନ ସାହୁ ନିଖୋଜ । ଗତ ଏପ୍ରିଲ ୧୮ ତାରିଖରେ ବାହାରକୁ ଖେଳିବାକୁ ଯାଇ ଘରକୁ ଫେରିନଥିଲା । ଗତ ଏପ୍ରିଲ ୧୯ ତାରିଖରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଏ ମାମଲାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ପରିବାରଲୋକ ।

ଅନ୍ୟପକ୍ଷରେ ପ୍ରାୟ ୩ ବର୍ଷ ହେଲା ଭୁବନେଶ୍ୱରରେ ରହି ମା’ ବାପା କାମ କରି ପେଟ ପୋଷନ୍ତି । ବାପା ଏକ ଘରୋଇ ଲଜରେ ସଫେୟା କାମ କରୁଥିବା ବେଳେ ମା’ ଘର ଘର ବୁଲି ଘରକାମ କରନ୍ତି ତେଣୁ ପରିବାରର ଆଶାର ବାଡ଼ିକୁ ଫେରାଇ ଦେବାକୁ ନେହୁରା ହୋଇଛନ୍ତି ବାପା ମା । ଲୁହ ଝରେଇ ମା’ କାନ୍ଦୁଥିବା ବେଳେ କୋଳକୁ କେବେ ଫେରିବ ଛୁଆ ସେକଥା ପଚାରୁଛି । ସେପଟେ ରାଜଧାନୀରେ ଛୁଆମାନେ ଏବେ ସୁରକ୍ଷିତ ନଥିବା କହିଛନ୍ତି ପଡ଼ୋଶୀ ।

ରାଜଧାନୀରୁ ମିଳିଲା ଦୁଇଟି ମୃତଦେହ , ମୃତ୍ୟୁର କାରଣ ଅସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ସକାଳୁ ସକାଳୁ ରାଜଧାନୀରୁ ମିଳିଲା ଦୁଇଟି ମୃତଦେହ । ଗୋଟିଏ ମୃତଦେହ ବାଣୀବିହାର ଷ୍ଟେସନ ନିକଟ ରେଳ ଧରଣାରୁ ମିଳିଥିବା ବେଳେ ଅନ୍ୟଟି ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି । ଉଭୟଙ୍କ ପରିଚୟ ମିଳିନାହିଁ । ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଏହା ହତ୍ୟା ନା ଆତ୍ମହତ୍ୟା କି ଦୁର୍ଘଟଣାରେ ଜୀବନ ଯାଇଛି ତାର ତଦନ୍ତ କରୁଛି ପୋଲିସ । ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।