ନନ୍ଦିଘୋଷ ବ୍ୟୁରୋ : ତିନି ଦିନର ଲଗାଣ ବର୍ଷା ପରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ମାଲକାନଗିରିର ସ୍ଥିତି। ବର୍ଷା କମିବା ପରେ ଏବେ ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍କୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ। ଲଗାଣ ବର୍ଷା ଓ ବନ୍ୟା ପାଣି ଯୋଗୁଁ ଜିଲ୍ଲାର ମୋଟ ୧୮ଟି ବ୍ରିଜ୍ ବୁଡିଯାଇଥିଲା। ସେଥିମଧ୍ୟରୁ ୫ଟି ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ଏବେ NHର ୫ଟି ବ୍ରିଜ୍ ସମେତ ଅନ୍ୟ ୧୩ଟି ବ୍ରିଜ୍ରୁ ବନ୍ୟା ପାଣି ହଟିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ବର୍ଷାରେ ଜିଲ୍ଲାର ୮୫ଟି କଚ୍ଚା ଘର ଏବଂ ଗୋଟିଏ ପକ୍କା ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ୩୨୪ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି ।
ଧର୍ମଘଟ ପୂର୍ବରୁ ଆଜି ଖୋଲା ବ୍ୟାଙ୍କ; ୩୦ ଯାଏଁ ବନ୍ଦ
ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ଧର୍ମଘଟ ଯୋଗୁ ଆସନ୍ତାକାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ତେଣୁ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଆଜି ରବିବାରରେ ଖୋଲାଯାଇଛି ବ୍ୟାଙ୍କ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଦ୍ୱାରା ପ୍ରସ୍ତାବିତ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗତ ଜାନୁଆରୀ ଓ ସେପ୍ଟେମ୍ବର ୧୧ରେ ୫ ଦିନିଆ ଧର୍ମଘଟ ପରେ କେନ୍ଦ୍ର ସରକାର ଦାବି ପୂରଣ ନ କରିବାରୁ ପୁଣି ଏହି ୩ ଦିନିଆ ଧର୍ମଘଟ ଡାକରା ଦେଇଛି ଫେଡେରେସନ । ଜନସାଧାରଣଙ୍କ ବ୍ୟାଙ୍କିଂ ଆବଶ୍ୟକତା ଯେପରି ଦୀର୍ଘ ସମୟ ପାଇଁ ପ୍ରଭାବିତ ନ ହେବ, ତାହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଆଜି ଖୋଲା ରହିଛି। ଧର୍ମଘଟ ସମୟରେ ATM ସେବା, UPI ସେବା ଓ ଅନ୍ୟାନ୍ୟ ଇଣ୍ଟରନେଟ ବ୍ୟାଙ୍କିଂ ସେବା ଜାରି ରହିବ।
ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍; ୧୨ ଘଣ୍ଟାରେ ଅଭିଯୁକ୍ତକୁ ଧରିଲା ପାରାଦୀପ ପୋଲିସ
ନନ୍ଦିଘୋଷ ବ୍ୟୁରୋ : ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍ ଘଟଣାରେ ପାରାଦୀପ ପୋଲିସକୁ ସଫଳତା। ମାତ୍ର ୧୨ ଘଣ୍ଟା ମଧ୍ୟରେ ରାତା ରାତି ଅଭିଯୁକ୍ତକୁ ଉଠାଇ ଆଣିଲା ପୋଲିସ। ଅଭିଯୁକ୍ତ ନିକଟରୁ ସମସ୍ତ ଅଳଙ୍କାର ଜବତ କରାଯାଇଛି। ଡକାୟତିରେ ବ୍ୟବହୃତ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ବି ଜବତ କରିଛି ପୋଲିସ। ତାରିଣୀଗଡା ଗିରିଧାରୀ ଛକ ନିକଟରେ ଥିବା ଏକ କୋଠା ଘରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ଗତକାଲି ତାରିଣୀଗଡାରେ ଥିବା ଏକ ଅଳଙ୍କାର ଦୋକାନରୁ ହୋଇଥିଲା ଡକାୟତି। ଜଣେ ଯୁବକ ହଠାତ୍ ଦୋକାନ ଭିତରକୁ ପଶି ଆସି ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ୨୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ସବୁ ଦିଗକୁ ତଦନ୍ତ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଦୁର୍ବଳ ହେଉଛି ଲଘୁଚାପ; ଆଜିଠୁ କମିବ ଓଡ଼ିଶାରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ନନ୍ଦିଘୋଷ ବ୍ୟୁରୋ : ଲଘୁଚାପର ରୂପ ନେଇଛି ଅବପାତ । ଏବେ ଛତିଶଗଡ ଓ ମଧ୍ୟପ୍ରଦେଶ ମୁହାଁ ଲଘୁଚାପ । ଧୀରେ ଧୀରେ ଏହା ଦୁର୍ବଳ ହେବ । ଓଡ଼ିଶାରେ ଆଜିଠୁ କମିବ ବର୍ଷାର ପ୍ରକୋପ । କିଛି କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ନେଇ ଉପକୂଲ,ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱର୍ଣିନ ଜାରି ହୋଇଛି । ଏହି ଜିଲ୍ଲା ରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିନ ଜାରି ହୋଇଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ନୱାନାରେ ସର୍ବାଧିକ ୧୨୬.୪ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୧୫ ଟି ସ୍ଥାନରେ ୬୦ ମିଲି ମିଟର ଉପରେ ବର୍ଷା ରେକର୍ଡ ହୋଇଛି ।
ଜଟଣୀରେ ଭଷାଣ ବେଳେ ଅଘଟଣ; ଘର ତାଜା ଭାଙ୍ଗି ୧ ମୃତ, ୧୧ ଆହତ
ନନ୍ଦିଘୋଷ ବ୍ୟୁରୋ : ଜଟଣୀରେ ସମୂହ ଭଷାଣରେ ଅଘଟଣ। ଡିଜେର ଅତ୍ୟଧିକ ଧ୍ବନୀରେ ଘର ତାଜା ଭାଙ୍ଗିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୧ ଜଣ ଆହତ ହୋଇଥିବା ବେଳେ, ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭଷାଣକୁ ଆସିଥିବା ରାଜ୍ୟର ବିଭିନ୍ନ ନାମୀ ଦାମୀ ଡିଜେର ଅତ୍ୟଧିକ ଧ୍ୱନିରେ ଭାଙ୍ଗିଥିଲା ଘର ତାଜା। ଫଳରେ ଭଷାଣ ଦେଖିବାକୁ ଆସିଥିବା ଦର୍ଶକଙ୍କ ଉପରେ ପଡିଥିଲା ଭାଙ୍ଗି ପଡ଼ିଥିବା ତାଜା। ଯାହାଦ୍ୱାରା ୭ ଜଣ ଗୁରୁତର ଆହାତ ହୋଇ ପ୍ରଥମେ ରେଲୱେ ହସ୍ପିଟାଲକୁ ଯାଇଥିଲେ। ପରେ ଭୁବନେଶ୍ୱର କ୍ୟପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଗୁରୁତର ଥିବା ୭ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ପୂର୍ବରୁ ପୂଜା ପ୍ରସ୍ତୁତି ବୈଠକରେ ଅତ୍ୟଧିକ ଧ୍ୱନି ଓ କମ୍ପନ କରୁଥିବା ଡିଜେକୁ ବାରଣ କରାଯାଇଥିଲେ ସୁବିଧା କିଭଳି ଭଷାଣରେ ଅତ୍ୟଧିକ ଧ୍ୱନି ଏବଂ କମ୍ପନ କରୁଥିବା ଡିଜେ ବାଜୁଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶକ୍ତି ବିଭାଗର କାରସାଦି। ବିଦ୍ୟୁତ ଉପଭୋକ୍ତାଙ୍କ ଦେୟ ରାଶିକୁ ନେଇ ବଡ଼ ଗଡ଼ବଡ଼।
ନନ୍ଦିଘୋଷ ବ୍ୟୁରୋ :ଶକ୍ତି ବିଭାଗର କାରସାଦି। ବିଦ୍ୟୁତ ଉପଭୋକ୍ତାଙ୍କ ଦେୟ ରାଶିକୁ ନେଇ ବଡ଼ ଗଡ଼ବଡ଼। ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ସୃଷ୍ଟି କରିଛି ସନ୍ଦେହ। ଘେରିଲା ଉପଭୋକ୍ତା ମହାସଂଘ। ସମାଲୋଚନା କଲେ ଶକ୍ତି ସମୀକ୍ଷକ। ୨୦୨୦ ଓ ୨୦୨୧ରେ ନେସ୍କୋ, ଓ୍ବେସ୍କୋ, ସାଉଥକୋ ଓ ସେସୁ ହାତରୁ ଘରୋଇ କମ୍ପାନୀ ଟାଟା ହାତକୁ ଗଲା ରାଜ୍ୟର ବିଦ୍ୟୁତ ବିତରଣ ବ୍ୟବସ୍ଥା। ସେତେବେଳେ ଉପଭୋକ୍ତାଙ୍କ ଖାତାରେ ପ୍ରାୟ ୧୨ ହଜାର ୭୦୨ କୋଟି ଟଙ୍କା ବକେୟା ଥିଲା ବୋଲି ଗ୍ରୀଡ଼କୋ ସ୍ବୀକାର କରିଛି। ହେଲେ କମ୍ପାନୀର ବାଲାନ୍ସ ସିଟରେ ଏହି ପରିମାଣ ୪ ହଜାର ୮୭ କୋଟି ବୋଲି ଦର୍ଶାଯାଇଛି। ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କଥା କହିଛନ୍ତି। ଉପଭୋକ୍ତାଙ୍କ ଉପରେ ବକେୟା ପରିମାଣରେ ୮ ହଜାର ୬୧୫ କୋଟିର ତଫାତ ରହିଛି। ପ୍ରକୃତ ବକେୟା ତଥ୍ୟକୁ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ। ଉପଭୋକ୍ତାଙ୍କ ବକେୟା ରାଶି ଆଦାୟ କରିବାକୁ ଓଟିଏସ୍ ଲାଗୁ କରିବା ପାଇଁ ଓଇଆରସି ପାଖରେ ଚାଲିଛି ମାମଲା। ଏଥିରେ ଦର୍ଶାଯାଇଛି ଗ୍ରୀଡ଼କୋ ଓ କମ୍ପାନୀ ବକେୟା ପରିମାଣ ୯ ହଜାର ୨୬୦ କୋଟି। ସନ୍ଦେହଜନକ ପରିମାଣ ୫ ହଜାର ୧୭୩ କୋଟିକୁ ବାଦ୍ ଦେଇ ୪ ହଜାର ୮୭ କୋଟି ଆଦାୟ ପାଇଁ ନିଷ୍ପତ୍ତି ହୋଇଛି। ୧୨ ହଜାର ୭୦୨ କୋଟିରୁ ୯ହଜାର ୨୬୦ କୋଟିକୁ ବକେୟା ପରିମାଣ ଖସିଥିବା ବେଳେ ବଳକା ୩ହଜାର ୪୪୨ କୋଟିର ହିସାବକୁ ନେଇ ସନ୍ଦେହ ଉପୁଜିଛି। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏହା ଶକ୍ତି ବିଭାଗର ଷଡ଼ଯନ୍ତ୍ର ବୋଲି କହିଛନ୍ତି।
-ରାଜ୍ୟରେ ଏଯାଏ ବିଦ୍ୟୁତ ସଂସ୍କାର ହୋଇପାରିଲା ନାହିଁ। ତଥାପି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି ସ୍ମାର୍ଟ ମିଟର। ଏଥିପାଇଁ ସରକାର ୭୩୫ କୋଟି ବଜେଟ କରିଛନ୍ତି। ହେଲେ ବକେୟା ରାଶିର ଦ୍ଵନ୍ଦ୍ଵ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଗୋଳମାଳିଆ କରିଛି। ଏଥିପାଇଁ ବିଦ୍ୟୁତ ଉପଭୋକ୍ତା ମହାସଂଘ ସରକାରଙ୍କୁ ସମାଲୋଚନା କରିଛି। ବଡ଼ବଡ଼ିଆଙ୍କ ହଜାର ହଜାର କୋଟି ବିଜୁଳି ବକେୟା ଛାଡ଼ କରି ଗରିବଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଏହା ସହ ବନ୍ୟା ଅଞ୍ଚଳରେ ଲୋକେ ଦୁଃଖକଷ୍ଟରେ ରହିଥିବାରୁ ସେମାନଙ୍କ ବିଜୁଳି ଦେୟ ଛାଡ଼ କରିବାକୁ ସଂଘ ଦାବି କରିଛି। …
ଗ୍ରୀଡ଼କୋ ଟାଟା କମ୍ପାନୀକୁ ହସ୍ତାନ୍ତର କରିଥିବା ଆର୍ଥିକ ବିବରଣୀ ସତ୍ୟ, ସ୍ବଚ୍ଛ, ନିରପେକ୍ଷ ନୁହେଁ ବୋଲି ଅଭିଯୋଗ ହେବା ସହ ଏହା କମ୍ପାନୀ ଆଇନ, ୨୦୧୩ର ଧାରା ୧୨୯କୁ ବିରୋଧ କରୁଛି ବୋଲି ଚର୍ଚ୍ଚା ହୋଇଛି। ..
ବିଧାନସଭାକୁ ଡରୁଛି ଶାସକ ବିଜେପି । ଏମଏମଡିଆର ଆଲୋଚନା ନକରିବା ପାଇଁ ବିଧାନସଭାକୁ ମୁଲତବୀ କରୁଛି
ନନ୍ଦିଘୋଷ ବ୍ୟୁରୋ :ଆରମ୍ଭ ହେଲା ହେଲେ ଚାଲିପାରୁନି । ୪ଦିନ ଅଚଳ ବିଧାନସଭା । ଘଣ୍ଟାଏ ବି ଠିକ ସେ ଚାଲିପାରୁନି ଗୃହ । ବିରୋଧୀ କହିଲେ ଆଲୋଚନାକୁ ଡରୁଛି ଶାସକ ଦଳ । ପ୍ରଶ୍ନ, ଏମଏମଡିଆର ମୋସନ ଆଣିବାକୁ ଡର କାହିଁକି ?.. ..ବିଧାନସଭାକୁ ଡରୁଛି ଶାସକ ବିଜେପି । ଏମଏମଡିଆର ଆଲୋଚନା ପାଇଁ ଚାହୁଁନି ଟ୍ରେଜେରୀ ବେଞ୍ଚ । ଓଡିଶା ସ୍ୱାର୍ଥ ବିରୋଧୀ ଆଇନକୁ ବିଜେପିର ୨୦ ଜଣ ସାଂସଦ ସମର୍ଥନ କରିଛନ୍ତି । ଓଡିଶା ବିରୋଧରେ ହୋଇଥିବା ଷଡଯନ୍ତ୍ରରେ ଚୁପ ରହିଛନ୍ତି । ତେଣୁ ବିଜେପି ବିଧାନସଭାରେ ଏମଏମଡିଆର ଆଲୋଚନା ହେଉ ବୋଲି ଚାହୁଁନାହିଁ । ବିଜେଡି ଏମଏମଡିଆର ନେଇ ବାଚସ୍ପତିଙ୍କୁ ମୋସନ ଦେଇଛି । ହେଲେ ତାକୁ ଗ୍ରହଣ କରୁନାହିଁ ଶାସକ ଦଳ । ବିଧାନସଭାର ଅଚଳାବସ୍ଥା ପାଇଁ ବିଜେପି ଦାୟୀ ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି ୪ଦିନ ହେବ ବିଧାନସଭାରେ ଅଚଳାବସ୍ଥା କେବଳ ଶାସକ ଦଳ ପାଇଁ ହୋଇଛି । ଆଲୋଚନା ନକରାଇ ଦେବାକୁ ଜାଣିଜାଣି ଗୃହକୁ କେତେବେଳେ ୧୨ ମିନିଟ ତ କେତେବେଳେ ୧୬ ମିନିଟ ପ୍ରଶ୍ନକାଳ ଚଳାଇ ୪ଟା ଯାଏ ମୁଲତବୀ କରିଦେଉଛି । ଏମଏମଡିଆର ସଂଶୋଧନ ଆଇନ ଯୋଗୁଁ ଓଡିଶା ବାର୍ଷିକ ୧୨ରୁ ୧୪ ହଜାର କୋଟି ରାଜସ୍ବ କ୍ଷତି ସହିବା ସହ ବକେୟା ବାବଦରେ ଦେଢଲକ୍ଷ କୋଟି ଟଙ୍କା ହରାଇଛି ରାଜ୍ୟ । ହେଲେ ବିଧାନସଭାରେ ଏନେଇ ଶାସକ ଦଳ ମୋସନ ଆଲୋଚନା କରାଇ ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।
ଶାସକ ଦଳର ଓଡିଶା ସ୍ବାର୍ଥ ବିରୋଧୀ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । କଂଗ୍ରେସ ଉପନେତା ଅଶୋକ ଦାସ କହିଛନ୍ତି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉ ତାହା ବିଜେପି ଚାହୁଁନାହିଁ । ମହିଳା ସଂରକ୍ଷଣ ନେଇ ମୋସନ ଜରିଆରେ ସ୍ୱତନ୍ତ୍ର ଆଲୋଚନାରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସହଯୋଗ କଲେ । ଏମଏମଡିଆର ମୋସନ ଆଲୋଚନା ପାଇଁ ସରକାରୀ ଦଳ କାହିଁକି ବିରୋଧୀଙ୍କ ଦାବିକୁ ଗ୍ରହଣ କରୁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ଚାହୁଁନି ବିଧାନସଭା ଚାଲୁ ବୋଲି । ତେଣୁ ଶାସକ ଦଳ ପଳାୟନପନ୍ଥୀ ନୀତି ଆପଣାଇଛି । ବିଜେପି କହିଛି ଶାସକ ଦଳ ସବୁ ଆଲୋଚନା କରିବାକୁ ପ୍ରସ୍ତୁତ ।
ମୌସୁମୀ ଅଧିବେଶନର ପ୍ରଥମ ଦିନ ଶୋକ ପ୍ରସ୍ତାବକୁ ମିଶାଇ ୪୭ ମିନିଟ, ଦ୍ବିତୀୟ ଦିନ ୧୨ ମିନିଟ, ତୃତୀୟ ଦିନ ୧୬ ମିନିଟ ଓ ଚତୁର୍ଥ ଦିନ ୮ ମିନିଟ ଗୃହ ଚାଲିଛି । ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନରେ ଗୃହ ଚାଲିପାରୁନଥିବାରୁ ଶାସକ ଦଳକୁ ବିରୋଧୀ ଦାୟୀ କରିଛନ୍ତି
ରାଜରାସ୍ତାରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା । ଆବେଦନର ଦୁଇ ବର୍ଷ ପରେ ମଧ୍ୟ ହେଉନି ପରୀକ୍ଷା
ନନ୍ଦିଘୋଷ ବ୍ୟୁରୋ :ରାଜରାସ୍ତାରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା । ଆବେଦନର ଦୁଇ ବର୍ଷ ପରେ ମଧ୍ୟ ହେଉନି ପରୀକ୍ଷା । ହାଇକୋର୍ଟ ଦୌଡିବା ପରେ ସରକାରଙ୍କ ନିବଟରେ ଦାବି ଉପସ୍ଥାପିତ । ସେପଟେ ପୂର୍ଣ୍ଣ ଅନୁଦାନ ଦାବିରେ ରାଜରାସ୍ତାରେ ବେସରକାରୀ ଅଧ୍ୟାପକ । ଶ୍ରୀକ୍ଷେତ୍ରରୁ ପଦଯାତ୍ରା କରି ପହଞ୍ଚିଛନ୍ତି ଏକାମ୍ରକ୍ଷେତ୍ର । …ଗତ ୨୦୨୪ ମାର୍ଚ୍ଚ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୭୮୬ଟି Non-Government Aided College ପାଇଁ ଅଧ୍ୟାପକ ପଦବୀ ସୃଷ୍ଟି କରାଯାଇଥିଲା। ଏହି ପଦବୀଗୁଡ଼ିକ ପାଇଁ ୨୦୨୪ ମସିହା ଜୁନ୍ ମାସରେ ପରୀକ୍ଷା ହେବାର ଥିଲା । କିନ୍ତୁ ସାଧାରଣ ନିର୍ବାଚନ ଓ ସରକାର ପରିବର୍ତ୍ତନ ପରିପକ୍ଷିରେ ସେହି ପରୀକ୍ଷା ହୋଇପାରିଲା ନାହିଁ। ପରବର୍ତ୍ତୀ ସମୟରେ ଏହି ମାମଲା ଉଚ୍ଚନ୍ୟାୟାଳୟକୁ ଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମାମଲାର ନିଷ୍ପତ୍ତି ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ଏଥିରେ ସରକାର ଓ ଆଶାୟୀମାନେ ମିଳିତ ଭାବେ ଡିଭିଜନ୍ ବେଞ୍ଚ ସମ୍ମୁଖରେ ନିଜ ନିଜ ପକ୍ଷ ରଖିଥିଲେ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ସରକାର ଆଉ ତାଙ୍କ ପକ୍ଷ ରଖୁନଥିବା ଅଭିଯୋଗ ହୋଇଛି । ଏହି ବିଳମ୍ବ ମଧ୍ୟରେ ପ୍ରାୟ ୫,୦୦୦ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ଆବେଦନକାରୀ କହିଛନ୍ତି। ଏହା ସହିତ ୨୦୨୪ ପରବର୍ତ୍ତୀ ବର୍ଷଗୁଡ଼ିକରେ PG ସମାପ୍ତ କରିଥିବା ପ୍ରାୟ ୬୦,୦୦୦ ଆଶାୟୀ ଅଧ୍ୟାପକ ହେବାର ସ୍ୱପ୍ନ ନେଇ ଅପେକ୍ଷା କରିଛନ୍ତି । ସରକାର ନଭେମ୍ବର ମାସର ଶୁଣାଣି ପୂର୍ବରୁ ଆବଶ୍ୟକ ଆମେଣ୍ଡମେଣ୍ଟ ବା କୋର୍ଟ ଲିଷ୍ଟ ଦାଖଲ କରି ମାମଲାର ଆଇନଗତ ପ୍ରକ୍ରିୟାକୁ ସମାପ୍ତ କରିବା ସହ ନଭେମ୍ବର ମାସ ଶେଷ ସୁଦ୍ଧା ଅଧ୍ୟାପକ ପଦବୀ ପାଇଁ ପରୀକ୍ଷା କରିବାକୁ ଦାବି କରିଛନ୍ତି ଆବେଦନକାରୀ ।
ସେହିପରି ରାଜ୍ୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ପୁର୍ଣ୍ଣ ଅନୁଦାନ ଦାବିରେ ଗତ ୨୨ ତାରିଖରେ ଶ୍ରୀକ୍ଷେତ୍ରରୁ ପଦଯାତ୍ରାରେ ବାହାରି ଆଜି ଏକାମ୍ର କ୍ଷେତ୍ରରେ ପହଞ୍ଚିଛି । ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣ ଦେଇଛି ସଂଘ । ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଏହି ଦାବିରେ ପଦଯାତ୍ରା କରି ସରକାରଙ୍କ ନିକଟରେ ଅଭିନବ ପ୍ରତିବାଦ କରିଛି । ପ୍ରାୟ ୫ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ନିଜର ଦାବି ନେଇ ବିଧାନସଭା ଘେରାଉ ଉଦ୍ୟମ କରିଥିଲା ସଂଘ। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ସହ ଦାବି ହାସଲ ନ ହେବା ଯାଏ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଂଘ ।….
ଅନ୍ୟ ଦିଗରେ ଲୋୟର ପିଏମଜିରେ ଧାରଣାରେ ବସି ରହିଥିବା ଆଶାୟୀ ଅଧ୍ୟାପକ ୮ ଦିନ ଧାରଣା ଦେବା ପରେ କିଛି ଆବେଦନକାରୀ ଅସୁସ୍ଥ ହୋଇଛନ୍ତି । କିନ୍ତୁ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।
ରାଉରକେଲାରେ ବାଲି ଚୋରା ଚାଲାଣ, ୫ ଟ୍ରକ୍ ସହ ୫ ଡ୍ରାଇଭର ଗିରଫ
ନନ୍ଦିଘୋଷ ବ୍ୟୁରୋ : ରାଉରକେଲାରେ ମାତିଛନ୍ତି ବାଲି ମାଫିଆ । ପ୍ରଶାସର ନାକତଳେ ଚୋରା ଚାଲାଣ କରି ମାଲାମାଲ । କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛି ପ୍ରଶାସନ । ୫ଟି ଟ୍ରକ ସହ ୫ ଡ୍ରାଇଭର ଗିରଫ । ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନଦୀରୁ ବାଲି ଉଠାଇବା ପାଇଁ ନିଷେଧାଦେଶ ଜାରି କରିଛି ପ୍ରଶାସନ । ତେବେ ଏହି ନିର୍ଦ୍ଦେଶକୁ ଖାତିର କରୁ ନାହାନ୍ତି ମାଫିଆ । ରାଉରକେଲାର ବିଭିନ୍ନ ନଦୀରୁ ବେଧଡ଼କ ଚାଲିଛି ଚୋରା ବାଲି ଚାଲାଣ । ସୁନ୍ଦରଗଡ଼ ବିଶ୍ରା ରେଞ୍ଜ ଅନ୍ତର୍ଗତ ତେତେରକେଲା ଘାଟ ନିକଟରେ ବନ ବିଭାଗ ଚଢଉ କରି ୫ ଟ୍ରକ ଵାଲି ଜଵତ କରିବା ସହ ୫ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି । ଏହି ଘଟଣା ପରେ ବାଲି ଚୋରା କାରବାର ରୋକିବା ପାଇଁ ଵନ ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ରାଉରକେଲା ଡିଏଫଓ ସୂଚନା ଦେଇଛନ୍ତି । ୨୦୨୫-୨୬ ବର୍ଷରେ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୧୫ ଟି ଚୋରା ବାଲି ଗାଡ଼ି ଜବତ କରାଯାଇଥିଲା । ୩ କୋଟି ୨୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଚଳିତ ବର୍ଷ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶହେଟି ଗାଡି ଜବତ କରାଯିବା ସହ ୫ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଛି । ଅନ୍ୟପକ୍ଷରେ ରାଉରକେଲା ସହର ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଵାଲି ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ମହଜୁଦ ରଖି ଚୋରା କାରବାର କରୁଥିବା ଅଭିଯୋଗ ହେଉଛି । tittle
ଖାଦ୍ୟରେ ଅପମିଶ୍ରଣ, ମାନବସମ୍ବଳ ଅଭାବରେ ଯାଞ୍ଚ ବ୍ୟବସ୍ଥା ଦୁର୍ବଳ
ନନ୍ଦିଘୋଷ ବ୍ୟୁରୋ : ଖାଦ୍ୟରେ ବିଷ, ସବୁଥିରେ ଅପମିଶ୍ରଣ। କେଉଁଟା ଅସଲି, କେଉଁଟା ନକଲି ଜାଣିବା କଷ୍ଟ। ଅପମିଶ୍ରଣ ରୋକିବାରେ ଖାଦ୍ୟ ନିରାପତ୍ତା ବିଭାଗର କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହୋଇପାରୁନଥିବା ବେଳେ ମାନବସମ୍ବଳ ଅଭାବକୁ ଦାୟୀ କରିଛି ବିଭାଗ। ଗଞ୍ଜାମ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଦାୟିତ୍ୱକୁ ଦୁଇଟି ଡିଭିଜନରେ ବିଭକ୍ତ କରାଯାଇଛି। ବିଭିନ୍ନ ବ୍ଲକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଖାଦ୍ୟ ନିରାପତ୍ତା ବିଭାଗ କାର୍ଯ୍ୟ କରୁଥିବା ବେଳେ ବ୍ରହ୍ମପୁର ପାଇଁ ବିଏମ୍ସିର ଖାଦ୍ୟ ନିରାପତ୍ତା ବିଭାଗ ଯାଞ୍ଚ ଦାୟିତ୍ୱ ତୁଲାଉଛି। ଉପଖଣ୍ଡ ଅନୁଯାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟୋଜିତ ହୋଇଛନ୍ତି। ଭଞ୍ଜନଗରରେ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀ ଥିବା ବେଳେ ଗଞ୍ଜାମର ଅଧିକାରୀଙ୍କୁ ଛତ୍ରପୁରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ ଅନ୍ୟ ୩ ଜଣ ଏମ୍ଟିଏସ୍ ନିୟୋଜିତ ଅଛନ୍ତି। ଅର୍ଥାତ୍ ମାତ୍ର ୫ ଜଣଙ୍କୁ ନେଇ ସାରା ଜିଲ୍ଲାରେ ଯାଞ୍ଚ ଅଭିଯାନ ଚାଲୁଥିବାରୁ ଅପମିଶ୍ରଣ ରୋକିବା କେତେ କଷ୍ଟକର, ତାହା ସ୍ପଷ୍ଟ ହେଉଛି। ଗତ ପ୍ରାୟ ୧୫ ଦିନ ଧରି ଜିଲ୍ଲାରେ ଚାଲିଥିବା ଧରପଗଡ଼ ଅଭିଯାନରେ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୨୦୦ କିଲୋରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଛି। କିଛି ଖାଦ୍ୟ ନମୁନା ସଂଗ୍ରହ କରି ଲ୍ୟାବ୍କୁ ପଠାଯାଇଛି। ଚଢ଼ଉ ସମୟରେ ଭେଜାଲ୍ ପନିର୍ ମଧ୍ୟ ଜବତ ହୋଇଛି। ଏହି ପନିର୍ ଆଙ୍କୁଶପୁର, କନିଷି, ମାଣିକପୁର ଓ କୁକୁଡ଼ାଖଣ୍ଡି ଭଳି ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ତେବେ ମାନବସମ୍ବଳ ଓ ସମନ୍ୱୟର ଅଭାବ ଯୋଗୁଁ ଧରପଗଡ଼ ଅଭିଯାନ ଆଶାନୁରୂପ ସଫଳ ହୋଇପାରୁନାହିଁ।
ସେହିପରି ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଟିମ୍ରେ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ମୋଟ ୩ ଜଣ ଅଧିକାରୀ ରହିଛନ୍ତି। ସେମାନେ ସହରରେ ଖାଦ୍ୟ ସୁରକ୍ଷା ଯାଞ୍ଚ କରୁଛନ୍ତି। ଏଯାଏଁ ସହରର ୧୦୦ରୁ ଅଧିକ ଦୋକାନରେ ଚଢ଼ଉ କରାଯାଇ ୬୦୦ କିଲୋରୁ ଅଧିକ ପନିର୍ ନଷ୍ଟ କରାଯାଇଛି। ୧୯ଟି ଦୋକାନକୁ ନୋଟିସ୍ ଜାରି କରାଯିବା ସହ ମୋଟ ୫୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ତେବେ ବିଭାଗର କାର୍ଯ୍ୟାନୁଷ୍ଠାନ କେବଳ ଚଢ଼ଉ, ଖାଦ୍ୟ ନଷ୍ଟ ଓ ନୋଟିସ୍ ଜାରି ମଧ୍ୟରେ ସୀମିତ ରହିଥିବା ଅଭିଯୋଗ ହେଉଛି। ଖାଦ୍ୟ ଅପମିଶ୍ରଣର ମୂଳୋତ୍ପାଟନ ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଅଧିକ କଡ଼ା ପଦକ୍ଷେପ ସହ ଆବଶ୍ୟକ ମାନବସମ୍ବଳ ପୂରଣ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

