ଭୁବନେଶ୍ଵର: ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଶ୍ରୀବିହାରର ରାସ୍ତା କଡରେ ଦୀର୍ଘ ବର୍ଷ ଧରି ଥିବା ଉଠା ଦୋକାନ ଉଚ୍ଛେଦ। ଗେଲ ଇଣ୍ଡିଆକୁ ଜାଗା ଦେବା ପାଇଁ ବିଡିଏ ବୁଲଡୋଜର ଲଗାଇ ଭାଙ୍ଗିଦେଲା ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିଏମସି ତରଫରୁ ଦୋକାନୀମାନଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ଲିଖିତ ପତିଶ୍ରୁତି ମିଳିଥିଲା। ହେଲେ ବିଡିଏ କିଛି ନ ଶୁଣି ଦୋକାନ ଭାଙ୍ଗି ଦେଇଛି ବୋଲି ଅଭିଯୋଗ କରିଛନ୍ତି ଦୋକାନୀମାନେ । ବହୁ ବର୍ଷ ଧରି ଚନ୍ଦ୍ରଶେଖର ପୁର ଶ୍ରୀ ବିହାର ରାସ୍ତା କଡରେ ଦୋକାନ କରି ପରିବାର ଚଳାଉଥିଲେ ୨୦ରୁ ଉର୍ଦ୍ଧ ପରିବାର। ହେଲେ ବିଡିଏ ହଠାତ ଦୋକାନ ଭାଙ୍ଗି ଦେବା ଫଳରେ ବେସାହାରା ହୋଇ ରାସ୍ତାରେ ବସିଛନ୍ତି ଲୋକେ ।
ସାତ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ
ଫୁଲବାଣୀ: ୭ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ । ପୋଲିସ ସହୟତାରେ ବିକ୍ରି ଶିଶୁପୁତ୍ରକୁ ଉଦ୍ଧାର କଲା ଟାଇଲ୍ଡ ଲାଇନ । ଏଭଳି ଅଭିଯୋଗ ଆସିଛି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଦଧିବାବନ ସାହିରୁ । ଜଣେ ମହିଳା ବିବାହର ୧୦ ବର୍ଷ ପରେ କୌଣସି ସନ୍ତାନ ନଥିବାରୁ ସେ ଅନ୍ୟଜଣେ ମହିଳାଙ୍କ ଠାରୁ ସାତ ମାସର ଶିଶୁପୁତ୍ରକୁ ନେଇଥିଲେ। ଏବେ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ନିଜ ଇଚ୍ଛାରେ ଶିଶୁକୁ ଟେକିଦେଇଥିବା ମହିଳା ଜଣଙ୍କ କହିଥିବା ବେଳେ ମହିଳାଙ୍କର ଅଙ୍ଗନବାଡି କିମ୍ବା ମେଡିକାଲରେ ପ୍ରସବର କୌଣସି ତଥ୍ୟ ନାହିଁ । ଶିଶୁଟି କାହାର ଏ ପର୍ଯ୍ୟନ୍ତ କିଛି ସଠିକ୍ ତଥ୍ୟ ମିଳିନାହିଁ । କଣ ପାଇଁ ମହିଳା ଶିଶୁପୁତ୍ରକୁ ଜଣେ ଅଜଣା ମହିଳାକୁ ଦେଇଥିଲେ । ତାହା ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।
ଘଟଣାକୁ ସ୍ଵିକାର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ହେଲ୍ପଲାଇନ ଓ ଫୁଲବାଣୀ ଟାଉନ ଥାନା ପୋଲିସ ଶିଶୁପୁତ୍ର ଉଦ୍ଧାର ପରେ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଶିଶୁ ପୁତ୍ରକୁ ମହିଳା ଜଣଙ୍କ ଅଚିହ୍ନା ମହିଳାଙ୍କୁ ଦେଇଥିଲେ ତାହା ଉପରେ ପଚାର ଉଚରା ଜାରି ରହିଛି । ନାବାଳିକା ଗର୍ଭବତୀ କୁହନ୍ତୁ ବା ନାରୀ ନିର୍ଯାତନା କୁହନ୍ତୁ ଦିନକୁ ଦିନ ଏପରି ଘଟଣା ବଢ଼ିଚାଲିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀର ଦଧିବାବନ୍ ସାହିରେ ।
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର
ପୁରୀ: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦରେ ମୁହଁ ଖୋଲିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ସେ କହିଛନ୍ତି, ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ। ଅନ୍ୟ ସ୍ଥାନରେ ଜଗନ୍ନାଥ ମନ୍ଦିର ହୋଇପାରିବ। କିନ୍ତୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ନାଁ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି।
ଏହା ସହିତ ସେ ସ୍ପଷ୍ଟ କରିଛନ୍ତି, କେବଳ ପୁରୀରେ ଦାରୁବ୍ରହ୍ମଙ୍କର ବ୍ରହ୍ମ ସ୍ଥାପନା ହୁଏ। ଅନ୍ୟ କୌଣସି ସ୍ଥାନରେ ହୁଏ ନାହିଁ। ମହାପ୍ରଭୁଙ୍କ ରୀତି ନୀତିରେ କୌଣସି ତ୍ରୁଟି ବିଚ୍ୟୁତି ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି। ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପୁୁରୀର ସେବାୟତଙ୍କ ସମେତ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।
ପ୍ରବଳ ବର୍ଷାରେ ବେହାଲ ଦେଶର ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ବେହାଲ ଦେଶର ରାଜଧାନୀ ଦିଲ୍ଲୀ। ଗତ ରାତିରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା। ମୂଷଳ ଧାରାରେ ବର୍ଷା ସାଙ୍ଗକୁ ଅଣଚାଷ ପବନ ବହିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ସକାଳୁ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଏଥିରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଲୋକେ ଘରୁ ବାହାରି ପାରି ନାହାନ୍ତି। ସ୍କୁଲ ଯିବାକୁ ମଧ୍ୟ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ପାଣ ମଧ୍ଯ ଜମି ରହିଛି। ରାସ୍ତାରେ ଚାଲୁଛି ଆଣ୍ଠୁଏ ପାଣି। ପ୍ରବଳ ବର୍ଷା ପବନ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶତାଧିକ ଫ୍ଲାଇଟ୍ ଡେରି ହୋଇଥିବା ବେଳେ ଅନେକ ଫ୍ଲାଇଟକୁ ବାତିଲ କରାଯାଇଛି।
ବାପାକୁ ପିଟିପିଟି ହତ୍ୟା କଲା ପୁଅ
କଟକ: ବାପାକୁ ପିଟିପିଟି ହତ୍ୟା କଲା ପୁଅ। ବାଲିପାଟଣା ଥାନା ତିହୁରୀ ଗ୍ରାମରେ ହତ୍ୟାକାଣ୍ଡ । ନାବାଳକ ପୁଅର ରଡ୍ ମାଡରେ ବାପାର ମୃତ୍ୟୁ ହୋଇଛି । ମୃତକ ତିହୁରୀ ଗ୍ରାମର ଗଜରାଜ ଭୋଇ । ଗତକାଲି ରାତିରେ ମଦ ପିଇ ଗଜରାଜ ଘରେ ଗଣ୍ଡଗୋଳ କରିଥିଲେ । ଘଟଣାକୁ ନେଇ ବାପା-ପୁଅ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାପାକୁ ରଡରେ ଆକ୍ରମଣ କରିଥିଲା ପୁଅ। ଗୁରୁତର ଅବସ୍ଥାରେ ଗଜରାଜଙ୍କୁ ଅଡଶପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରୋଗୀଣା ମାକୁ ଜଙ୍ଗଲରେ ଛାଡିଦେଲା ଜନ୍ମ କଲା ପୁଅ
ଅନୁଗୁଳ: ବୃଦ୍ଧା ମାଆକୁ ଜଙ୍ଗଲରେ ଛାଡିଦେଲା ଜନ୍ମ କଲା । ତିନି ଦିନ ଧରି ଅଖିଆ ଅପିଆ ଅବସ୍ଥାରେ ଜଙ୍ଗଲରେ ପଡ଼ି ରହିବା ପରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁରେ। ଏନଟିପିସି ଥାନା ଟୋଲୋକ ବଡ଼ା ବିଷ୍ଣୁ ମନ୍ଦିର ନିକଟ ଜଙ୍ଗଲରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, କିଆଝାର ଗ୍ରାମର ବୃଦ୍ଧା ବୈଦେହୀ ନାଏକ କିଛି ଦିନ ହେବ ଅସୁସ୍ଥ ଥିଲେ। ପୁଅ ଟିକନ୍ ନାଏକ ତାଙ୍କର ଚିକିତ୍ସା କରିବା ବଦଳରେ ଘରୁ ୭ କିଲୋମିଟର ଦୂରରେ ଥିବା ଘଞ୍ଚ ଜଙ୍ଗଲରେ ଛାଡ଼ି ପଳାଇଥିବା ବୃଦ୍ଧା ଜଣକ କହିଛନ୍ତି। ଟୋଲକ ବେଡ଼ା ଗାଁର କିଛି ମହିଳା ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ସେହି ବୃଦ୍ଧାଙ୍କୁ ଦେଖିଥିଲେ। ଏହା ପରେ ସେମାନେ ତାଙ୍କୁ ଉଦ୍ଧାର କରି ଗାଁକୁ ଆଣିଛନ୍ତି।
ଜଳେଶ୍ବରରେ ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
ବାଲେଶ୍ୱର: ଜଳେଶ୍ବରରେ ପୋଲିସ ଉପରକୁ ଆକ୍ରମଣ। ଜଳେଶ୍ୱର ଥାନା SI ଓ ମହିଳା କନଷ୍ଟେବଳଙ୍କୁ ଆକ୍ରମଣ କଲେ ବେଆଇନ ଚାନ୍ଦା ଆଦାୟକାରୀ। NH -୬୦ ଶାନ୍ତିଆ ନିକଟରେ ବେଆଇନ ଚାନ୍ଦା ଆଦାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଜଣେ ଟ୍ରକ ଡ୍ରାଇଭର ଗାଡ଼ି ରଖି ଚା ପିଇବାକୁ ଯାଇଥିବାବେଳେ କିଛି ଯୁବକ ଟ୍ରକ ହେଲ୍ପର ଓ ଡ୍ରାଇଭରଙ୍କୁ ଘେରି ଦାଦାବଟି ମାଗୁଥିଲେ। ଟଙ୍କା ନଦେବାରୁ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ଡ୍ରାଇଭର ଜଣକ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଜଳେଶ୍ବର ଥାନା SI ସୃଷ୍ଟିଧର ବେହେରା ଓ ଜଣେ ମହିଳା କନଷ୍ଟେବଳ ପହଞ୍ଚିଥିଲେ। ସେଠାରେ ଉଭୟଙ୍କୁ ଆକ୍ରମଣ କରିଥିଲେ ବେଆଇନ ଚାନ୍ଦା ଆଦାୟକାରୀ। ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ। ଟ୍ରକ ଡ୍ରାଇଭର ଓ ମହିଳା କନଷ୍ଟେବଳଙ୍କ ଅଭିଯୋଗ ପରେ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।
ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ; ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ଜଣେ ISI ଏଜେଣ୍ଟକୁ ଗିରଫ କରାଯାଇଛି। ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା। ଜୈସଲମେରରୁ ତାକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ପଠାନ ଖାନ ବୋଲି ଜଣାପଡିଛି। କୁହାଯାଉଛି ଯେ ଅଭିଯୁକ୍ତ ପଠାଣ ଖାନଙ୍କୁ ଗୋଟିଏ ମାସ ପୂର୍ବରୁ ଅଟକ ରଖାଯାଇଥିଲା। ତାଙ୍କ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ, ୧୯୨୩ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଛି। ପାକିସ୍ତାନକୁ ସାମରିକ ଗୁପ୍ତ ତଥ୍ୟ ଯୋଗାଉଥିଲା ପଠାନ।
ସୂଚନା ଅନୁଯାୟୀ, ୨୦୧୩ରେ ସେ ପାକିସ୍ତାନ ଯାଇଥିଲା। ସେଠାରେ ISI ର ଜାଲରେ ପଡ଼ିଥିଲା। ଟଙ୍କା ଲୋଭରେ ଅନେକ ଗୁପ୍ତତଥ୍ୟ ସେ ପାକିସ୍ତାନକୁ ଦେଇଥିବା ଜଣାପଡ଼ିଛି।
ଅଭିଯୁକ୍ତ ପଠାଣ ଖାନ ଜୈସଲମେରର ବାସିନ୍ଦା। ପାକିସ୍ତାନର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ରାଜ୍ୟରେ ହେଉଥିବା ଯେକୌଣସି କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଜୟପୁରର ରାଜ୍ୟ ସ୍ୱତନ୍ତ୍ର ଶାଖା ପଠାଣ ଖାନଙ୍କ ଉପରେ ସନ୍ଦେହ କରିଥିଲା। ପଠାନ ଖାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ହେବାରୁ ତାଙ୍କୁ ଗିରଫ କରାଯାଇଥିଲା।
ପଠାନ ଖାନଙ୍କ ଉପରେ ପାକିସ୍ତାନକୁ ସୂଚନା ପଠାଉଥିବା ଅଭିଯୋଗ ଥିବା ସ୍ଥାନଗୁଡ଼ିକୁ ଭାରତୀୟ ସେନା ପ୍ରାୟତଃ ପରିଦର୍ଶନ କରିଥାଏ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ, ସେଠାରେ ଭାରତୀୟ ସେନାର ସୈନିକମାନେ ନିୟୋଜିତ ହୁଅନ୍ତି ଏବଂ ସାମରିକ ଅଭ୍ୟାସ କରିବା ପାଇଁ ନିରନ୍ତର ଅପରେସନ୍ କରାଯାଏ।
ଆଉ ଏକ ଘଟଣାରେ ଝାଡ଼ଖଣ୍ଡରୁ ଏକ ଆତଙ୍କବାଦୀକୁ ଗିରଫ କରଯାଇଛି। ସେ ହେଉଛି ହିଜ୍ ଉତ୍ ତାହିର୍ ର ସଦସ୍ୟ। ଆଗରୁ ସେ ଇଣ୍ଡିଆନ ମୁଜହିଦ୍ଦିନରେ କାମ କରୁଥିଲା। ଝାଡ଼ଖଣ୍ଡ ଏଟିଏସ୍ ତାକୁ ଗିରଫ କରିଛି। ଅଭିଯୁକ୍ତର ନାଁ ହେଲା ଅମର ୟଶର୍ । ଝାଡ଼ଖଣ୍ଡର ଧାନବାଦରୁ ତାକୁ ଗିରଫ କରାଯାଇଛି। ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ତାକୁ ୧୦ ବର୍ଷ ଜେଲ୍ ହୋଇଥିଲା।
ଏତେ ସତ୍ତ୍ଵେ ମାନୁନି ପାକିସ୍ତାନ; ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ
ନନ୍ଦିଘୋଷ ବ୍ୟୁରୋ: ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଗତ ରାତିରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ପାକିସ୍ତାନ ପକ୍ଷରୁ ଘନ ଘନ ଗୁଳିଗୋଳା ମାଡ଼ କରାଯାଇଛି। LOC ର କୁପୱାଡ଼ା, ବାରାମୁଲା, ପୁଞ୍ଚ, ନୌସେରା, ଅଖନୁର ସେକ୍ଟରରେ ସୀମା ଆରପଟୁ ଫାୟାରିଂ କରାଯାଇଥିଲା। ଏହାର କଡ଼ା ଜବାବ ଦେଇଛନ୍ତି ଭାରତର ସୁରକ୍ଷାକର୍ମୀ। ଗୁଳିର ଜବାବ ଗୁଳିରେ ଦିଆଯାଇଛି।
ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ହେବା ପରଠୁ ସୀମାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ପଟରୁ ବାରମ୍ଵାର ଗୁଳିଗୋଳା ବର୍ଷଣ ହେଉଛି। ଆତଙ୍କବାଦୀଙ୍କ ଅନୁପ୍ରବେଶରେ ସାହାଯ୍ୟ କରିବା ପାଇଁ ସେପଟୁ ବାରମ୍ବାର ବିନା କାରଣରେ ଫାୟାରିଂ କରାଯାଉଛି। ଭାରତର ସୁରକ୍ଷାକର୍ମୀ ମଧ୍ୟ ଏହାର ଜବାବ ଦେଉଛନ୍ତି।

