ଉଦଳା: ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଲକ୍ଷ୍ୟ ଥିଲା ପର୍ଯ୍ୟଟକ ଓ ପଥଚାରୀମାନେ ଏଠାରେ ବିଶ୍ରାମ ନେବେ ଓ ଖାଦ୍ୟପେୟର ମଧ୍ୟ ସୁବନ୍ଦୋବସ୍ତ ରହିବ । ୨୦୧୮ ମସିହାରେ ଉଦଘାଟନର ୨ ବର୍ଷ ପରେ ସୁବିଧା କେନ୍ଦ୍ରକୁ ବନ୍ଦ କରି ଦିଆଗଲା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରିଦିଆଗଲା । ବାଲେଶ୍ୱର ରାଜ୍ୟ ରାଜପଥର କପ୍ତିପଦା ବ୍ଲକ ଝୀଙ୍କପଦା ଠାରେ ଥିବା ଏହି ଆଲିସାନ ଘରଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ପର୍ଯ୍ୟଟକଙ୍କ ସମେତ ପଥଚାରୀମାନେ ବିଶ୍ରାମ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି ।
ଲକ୍ଷ୍ନୌକୁ ଲାଗିଲା ବଡ଼ ଝଟକା: ମୁମ୍ବାଇର କ୍ରମାଗତ ପଞ୍ଚମ ବିଜୟ
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌକୁ ଲାଗିଛି ବଡ଼ ଝଟକା । ଲକ୍ଷ୍ନୌ ବିପକ୍ଷରେ ୫୪ ରନରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାଫଳରେ ମୁମ୍ବାଇ କ୍ରମାଗତ ପଞ୍ଚମ ଥର ପାଇଁ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୧୫ ରନ୍ ସଂଗ୍ରହ କରିଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୧୬୧ ରନରେ ସୀମିତ ରହିଯାଇଥିଲା । ମୁମ୍ବାଇ ପକ୍ଷରୁ ରାନ ରିକେଲ୍ଟନ ୫୮ ରନ, ସୂର୍ଯ୍ୟକୁମାର ଯାଦବ ୫୪ ରନ୍ ଓ ଓ୍ବିଲ ଜ୍ୟାକ୍ସ ୨୯ ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଆଭେଶ ଖାନ ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ପ୍ରିନ୍ସ ଯାଦବ, ଦିଗଭେଶ ରାଠି ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ଶ ୩୪ ରନ୍, ନିକୋଲାସ ପୁରନ ୨୭ ରନ୍, ଆୟୁଷ ବଦୋନୀ ୩୫ ରନ୍ ସଂଗ୍ରହ କରିଥିଲେ । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରି ପାରନଥିଲେ । ଫଳରେ ଦଳ ଏହି ହାଇ ସ୍କୋରକୁ ପିଛା କରିବାକୁ ଅକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ଟି, ଟ୍ରେଣ୍ଟ ବୋଲ୍ଟ ୩ଟି, ଓ୍ବିଲ ଜ୍ୟା୍ସ ୨ଟି ଓ କର୍ବିନ ବୋଶଚ ଗୋଟିଏ ଓ୍ବିକେଟ ହାସଲ କରିଥିଲେ ।
ମିଳୁନି ବିଶୁଦ୍ଧ ଜଳ: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଜଣ୍ଡିସରେ ଆକ୍ରାନ୍ତ ହେଲେଣି ୧୨୦ ଜଣ ଶିଶୁ
ନୂଆପଡ଼ା: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ । ୧୫ ଦିନ ହେଲାଣି ଟ୍ୟାପରେ ଜଳ ଯୋଗାଣ ମଧ୍ୟ ବନ୍ଦ । ଦୂର ଗାଁରୁ ମୁଣ୍ଡରେ ବୋହି ଆଣିବାକୁ ପଡୁଛି ପାଣି । ଜଣ୍ଡିସ ରୋଗ ସାଙ୍ଗକୁ ଉତ୍କଟ ହେଉଛି ଜଳ କଷ୍ଟ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନରସିଂହପୁର ଗାଁରେ ବିଶୁଦ୍ଧ ପାନୀୟ ଜଳ ସଂକଟ ଦେଖାଦେଇଛି । ଗାଁରେ ଥିବା ନଳକୂପର ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ସ୍ଵାସ୍ଥ୍ୟ ପରୀକ୍ଷାରୁ ଗାଁର ୧୨୦ଜଣ ଶିଶୁ ଜଣ୍ଡିସ ଆକ୍ରାନ୍ତ ଥିବା ଜଣାପଡ଼ିଛି । ୧୫ ଦିନ ତଳେ ଖଡ଼ିଆଳ ଡାକ୍ତରଖାନାର ଏକ ଟିମ୍ ଗାଁକୁ ଯାଇ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ହେଲେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଔଷଧ ପ୍ରଦାନ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାଧ୍ୟହୋଇ ଲୋକେ ଜଣ୍ଡିସ ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଝଡ଼ାଫୁଙ୍କାର ଆଶ୍ରୟ ନେଉଥିବା କହିଛନ୍ତି ଗ୍ରାମବାସୀ ।
ନରସିଂହପୁର ଗାଁରେ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଗାଁରେ ଥିବା ସମସ୍ତ ୬ଟି ନଳକୂପରୁ ଫ୍ଲୋରାଇଡ୍ ଯୁକ୍ତ ପାଣି ବାହାରୁଥିବାରୁ ଲାଲ ଛକି ଚିହ୍ନ ଦିଆଯାଇଛି । ପିଇବା ପାଣି ପାଇଁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନାହାନ୍ତି । ବାଧ୍ୟହୋଇ ଲୋକେ ଚାଷଜମିରେ ଥିବା ଏକ ଖୋଲା କୂଅରୁ ଓ ୧ କିଲୋମିଟର ଦୂର ସରଗାଦି ଗାଁରୁ ଗରାମାଠିଆରେ ପିଇବା ପାଣି ବୋହି ଆଣୁଛନ୍ତି । ପାଣି ସମସ୍ୟା ବାବଦରେ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏବେ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଲାଣି । ଅନ୍ୟପଟେ ଗାଁକୁ ଏକ ଡାକ୍ତରୀ ଦଳ ଯାଇ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ। ନରସିଂହପୁର ଗ୍ରାମବାସୀଙ୍କ ପାଇଁ ଜଣ୍ଡିସ ରୋଗ ସହିତ ଉତ୍କଟ ଜଳ ସମସ୍ୟା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ତୁରନ୍ତୁ ଜଣ୍ଡିସ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ଔଷଧ ପ୍ରଦାନ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା
ଭଦ୍ରକ: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳା ପାଇଁ ଜଣେ ଦୁଇ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିମୁଳିଆ ଥାନା ଅମରିଆ ଅଗ୍ନିପୁରର ମନୋଜ ମହାଳିକଙ୍କ ୨ ମାସର ଶିଶୁପୁତ୍ର ଅସୁସ୍ଥ ହୋଇଥିଲେ । ଆଜି ସକାଳୁ ପ୍ରଥମେ ଏକ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ପରେ ଭଦ୍ରକ ଗେଲପୁର ଠାରେ ନିର୍ମିତ ନୂତନ ଏମସିଏଚରେ ଭର୍ତ୍ତି କରିଥିଲେ । ତେବେ ମେଡିକାଳରେ ଭର୍ତ୍ତି ହେବାର ଅଧ ଘଣ୍ଟା ଭିତରେ ଶିଶୁଟିର ମୃତ୍ୟୁ ହୋଇଥିଲା । ମେଡ଼ିକାଲରେ ଡାକ୍ତର ଅନୁପସ୍ଥିତ ଥିବା ବେଳେ ଷ୍ଟାଫନର୍ସ ଶିଶୁଟିକୁ ଚିକିତ୍ସା କରିଥିଲେ। ଏପରିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ଷ୍ଟାଫ ନର୍ସ ଜଣଙ୍କ ଚିକିତ୍ସା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁ ପରେ ଆସି ଡାକ୍ତର ପହଂଚିଥିବା କହିଛନ୍ତି ପରିବାର ଲୋକେ । ଶିଶୁ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ଅନ୍ୟପଟେ ଘଟଣା ସଂପର୍କରେ ଅବଗତ ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ। ଯଦି ଚିକିତ୍ସାରେ କୌଣସି ଅବହେଳା ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡ଼ିଏମଓ।
ରବିବାରରେ ବଡ଼ ଅଘଟଣ: ପାଣିରେ ବୁଡ଼ି ୮ ଜଣଙ୍କ ମୃତ୍ୟୁ
ଭୁବନେଶ୍ବର: ରବିବାରରେ ଘଟିଛି ବଡ଼ ଅଘଟଣ । ୮ ଜଣଙ୍କ ସଲିଳ ସମାଧି । କେନ୍ଦୁଝର ହରିଚନ୍ଦନପୁର ପାଟହରା ଜଳପ୍ରପାତରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ନୟାଗଡ଼ ଦଶପଲ୍ଲାରେ ପୋଖରୀରେ ବୁଡି ୩ ନାବାଳକଙ୍କ ମୃତ୍ୟୁ । କଟକ କାଠଯୋଡ଼ିରେ ବୁଡି ଜଣେ ନାବାଳକ ମୃତ । ରାଉରକେଲା କୋଏଲ ନଦୀ ନେଲା ଛାତ୍ରର ଜୀବନ । କେରାପୁଟ ପାତାଳି ନଦୀରେ ଭାସିଗଲେ ଯୁବକ ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୋଡ଼ିବିଡ଼ା ଗାଁରେ ଦୁଃଖଦ ଘଟଣା। ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ। ପୋଖରୀରେ ଗାଧୋଇବା ବେଳେ ତିନି ନାବାଳକ ବୁଡ଼ି ଯାଇଥିଲେ। ପରିବାର ଓ ଗାଁ ଲୋକେ ଖୋଜାଖୋଜି କରିବା ପରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଏହା ପରେ ଦଶପଲ୍ଲା ହସପିଟାଲକୁ ନିଆଯାଇଥିଲା। ସେଠାରେ ତିନି ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗରଗଡବାହଳ ନିକଟସ୍ଥ ପାଟହରା ଜଳପ୍ରପାତରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଜଣେ ଯାଜପୁର ଓ ଅନ୍ୟଜଣେ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଅନନ୍ତ ଅମ୍ବାନୀ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଅନନ୍ତ ଅମ୍ବାନୀ । ରିଲାଏନ୍ସର ଷ୍ଟକ ଏକ୍ସଚେଞ୍ଜକୁ ଏ ବାବଦରେ ସୂଚନା ଦିଆଯାଇଛି । ହ୍ୟୁମାନ ରିସୋର୍ସେସ, ନୋମିନେସନ ଓ ରିମେନ୍ୟୁରେସନ କମିଟିର ସୁପାରିଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ମାସ ୧ ତାରିଖ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି । ଅନନ୍ତ ଏବେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଖୁବଶୀଘ୍ର ସେ ରିଲାଏନ୍ସର କାର୍ଯ୍ୟକାରୀ ନେତୃତ୍ବର ଅଂଶ ହେବେ । ଅନନ୍ତ ରିଲାଏନ୍ସ ଗ୍ରୁପର ଅନେକ କମ୍ପାନୀର ବୋର୍ଡ ସହ ଜଡ଼ିତ ରହିଛନ୍ତି । ସେଥିମଧ୍ୟରେ ୨୦୨୦ ଠାରୁ ଜିଓ ପ୍ଲାଟଫର୍ମ, ୨୦୨୨ ମେ ଠାରୁ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଓ ୨୦୨୧ ଜୁନ ଠାରୁ ରିଲାଏନ୍ସ ନ୍ୟୁ ଏନର୍ଜୀ ଓ ରିଲାଏନ୍ସ ନ୍ୟୁ ସୋଲର ଏନର୍ଜୀ ସାମିଲ ରହିଛି । ୨୦୨୨ ସେପ୍ଟେମ୍ବର ଠାରୁ ସେ ରିଲାଏନ୍ସ ଫାଉଣ୍ଡେସନର ମଧ୍ୟ ବୋର୍ଡ ମେମ୍ବର ରହିଛନ୍ତି ।
ସ୍ତ୍ରୀକୁ ଆକ୍ରମଣ କରିବାକୁ ଯାଇଥିଲା ସ୍ଵାମୀ: ପାଲଟା ଆକ୍ରମଣରେ ଅଭିଯୁକ୍ତ ସ୍ଵାମୀ ମୃତ
ଜଟଣୀ: ସ୍ତ୍ରୀକୁ ଆକ୍ରମଣ କରିବାକୁ ଯାଇଥିଲା ସ୍ଵାମୀ। ତାର ଖଣ୍ଡା ଚୋଟରେ ଶାଶୁ ଓ ସ୍ତ୍ରୀ ଆହତ ହୋଇଛନ୍ତି। ହେଲେ ପାଲଟା ଆକ୍ରମଣରେ ଅଭିଯୁକ୍ତ ସ୍ଵାମୀ ମୃତ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଉପକଣ୍ଠ ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ା ଗ୍ରାମଡିହ ଗାଁର। ଗତ ରାତିରେ ଏହି ଘଟଣା ଘଟିଛି। ରାତିରେ ଛାତ ଡେଇଁ ଶ୍ଵଶୁର ଘରକୁ ଯାଇଥିଲେ ଅଭିଯୁକ୍ତ ଜ୍ଵାଇଁ ଦିବାକର ବସ୍ତିଆ। ତାଙ୍କ ଖଣ୍ଡା ଚୋଟରେ ଶାଶୁ ଓ ସ୍ତ୍ରୀ ଆହତ ହୋଇଛନ୍ତି। ସ୍ତ୍ରୀର ବେକରେ ଓ ଶାଶୁଙ୍କ ହାତରେ ଗଭୀର ଚୋଟ ଲାଗିଛି। ଏହି ସମୟରେ ଶଶୁର ଘର ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜ୍ଵାଇଁ ଦିବାକରର ମୃତ୍ୟୁ ହୋଇଛି। ଇନଫୋଭାଲି ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ କରୁଛି।
ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଅଭିଯୋଗ କରିଛନ୍ତି, ସରକାର ନିଦାବିଷ୍ଣୁ ହୋଇଯାଇଛନ୍ତି। ବିଧାନସଭାରେ ଶିଶୁ ଓ ଛାତ୍ରୀ ନିର୍ଯାତନା ବଢୁଥିବା କହିଲୁ। ହେଲେ ସରକାର ଦୃଷ୍ଟି ଦେଲେନି। ସାନଖେମୁଣ୍ଡିରେ ଶିଶୁ ଧର୍ଷଣ ହୋଇ ହତ୍ୟା ହେଲା। ଯାଜପୁରରେ ଦୁଷ୍କର୍ମ ହେଲା। ରାଜଧାନୀରେ ରାଜନେତାଙ୍କୁ ଧମକ ଦିଆଯାଉଛି। ନା ମାଆ ନା ଛାତ୍ରୀ, କି ଲୋକ ବି ସୁରକ୍ଷିତ ନୁହନ୍ତି। ଆମେ ଏ କଥା ଉଠାଇବାରୁ ବିଧାନସଭାରୁ ନିଲମ୍ବନ ହେଲୁ। ଦୁଃଖର କଥା, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ଆଶ୍ଚର୍ଯ୍ୟ ଯେ ସରକାର କି ଭାବେ ଚାଲିଛି, ତାହା ଜଣା ପଡୁଛି। କାହାକୁ ଦଣ୍ଡ ମିଳୁନି। ଆମେ ହାଉସ୍ କମିଟି ଦାବି କରିଥିଲୁ। ହେଲେ ସରକାର ଭୁତାଇବାରେ ଲାଗିଛନ୍ତି। ସେ ସମୟରେ ଶୁଣିଥିଲେ ଆଜି ଏମିତି ହୋଇ ନଥାନ୍ତା। ନାରୀ ନିର୍ଯ୍ୟାତନା ବଢୁଛି। କଡ଼ା ଆଇନ ଆଣନ୍ତୁ ସରକାର। ନ ହେଲେ ନାରୀ ନିର୍ଯାତନା ଚାଲିଥିବ। ଯେଉଁମାନେ ଦୋଷୀ, ସେମାନଙ୍କୁ ଦଣ୍ଡ ଜଲଦି ମିଳିବା ଦରକାର ବୋଲି କହିଛନ୍ତି ରାମ ଚନ୍ଦ୍ର କାଡାମ
ବଳଳିବ ATM ନିୟମ: ମେ ପହିଲାରୁ ଅର୍ଥ ଉଠାଣ ଓ ବାଲାନ୍ସ ଚେକ୍ କରିବା ହୋଇଯିବ ମହଙ୍ଗା
ଯେଉଁମାନେ ଅର୍ଥ ଉଠାଇବା ପାଇଁ ଏଟିଏମର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଜରୁରୀ ଖବର । ଆସନ୍ତା ମାସ ୧ ତାରିଖରୁ ଏଟିଏମ ନିୟମ ବଦଳିବାକୁ ଯାଉଛି । ଏହାଫଳରେ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ (ଏନପିସିଆଇ)ର ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଅର୍ଥ ଉଠାଇବା ଏବେ ମହଙ୍ଗା ହୋଇଯିବ ।
ମେ ୧ ତାରିଖରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ପୂର୍ବରୁ ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ । ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ମାସକରେ ମେଟ୍ରୋ ସହରରେ ୫ ଥର ଲିମିଟ ଦେଉଥିବା ବେଳେ ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ଦେଇଥାଏ । ଏହାଠାରୁ ଅଧିକ ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି ଚାର୍ଜ ବଢ଼ିବ? ଏଟିଏମ୍ ଚାର୍ଜ ବଢ଼ିବାର କାରଣ ହେଉଛି, ଏଟିଏମ ନେଟଓ୍ବାର୍କ ଅପରେଟର ଓ ହ୍ବାଇଟ ଲେବଲ ଏଟିଏମ କମ୍ପାନୀଙ୍କ ତରଫରୁ ଇଣ୍ଟରଚେଞ୍ଜ ଫିସ୍ ବୃଦ୍ଧି ପାଇଁ ଦାବି କରିବା । ସେମାନଙ୍କର ମେଣ୍ଟେନାନ୍ସ ଓ ଅପରେସନ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଏପରି ସ୍ଥିତିରେ ଏନପିସିଆଇ ଏହି ଦାବିକୁ ଆରବିଆଇ ନିକଟରେ ଉପସ୍ଥାପନ କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଯେଉଁମାନେ ଅନ୍ୟ ବ୍ୟାଙ୍କର ଏଟିଏମ ଉପରେ ଅଧିକ ନିର୍ଭର କରୁଥିଲେ, ଏବେ ସେମାନେ ବେଶି ପ୍ରଭାବିତ ହେବେ ।
ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ତ୍ରୁଟି: ପାଠ୍ୟକ୍ରମ ବାହାରୁ ଆସିଥିଲା ପ୍ରଶ୍ନ, ତ୍ରୁଟି ନେଇ OSSC ଅଧ୍ୟକ୍ଷଙ୍କ ସୂଚନା
ଭୁବନେଶ୍ବର: ଷ୍ଟାଫ୍ ସିଲେକସନ ପରୀକ୍ଷାରେ ତ୍ରୁଟି। ଆଜି ଅନୁଷ୍ଠିତ ପରୀକ୍ଷାର ପ୍ରଶ୍ନପତ୍ରରେ ରହିଥିଲା ତ୍ରୁଟି। ଏପରିକି ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିଲା ବୋଲି ସୂଚନା ଦିଆଯାଇଛି। ତ୍ରୁଟି ନେଇ ସୂଚନା ଦେଇଛନ୍ତି OSSC ଅଧ୍ୟକ୍ଷ ଅଭୟ। ଏହା ସହ ଏହି ତ୍ରୁଟିକୁ ମାନିଛି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ। ନିଯୁକ୍ତି ସଂକ୍ରାନ୍ତ ବିଭିନ୍ନ ପଦବୀ ପାଇଁ ହୋଇଥିଲା ପରୀକ୍ଷା। ସେପଟେ OSSC ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଆଉଥରେ ପରୀକ୍ଷା କରିବାକୁ କୁହାଯାଇଛି। ଏହାର ବିକଳ୍ପ ନେଇ ମେ ୪ ତାରିଖ ପୂର୍ବରୁ ପରୀକ୍ଷାର୍ଥୀମାନେ ସେମାନଙ୍କର ମତାମତ ଦେବାପାଇଁ ସୂଚନ ଦେଇଛନ୍ତି କର୍ତ୍ତୃପକ୍ଷ। ଇ-ମେଲ ଯୋଗେ ପରୀକ୍ଷାର୍ଥୀ ଓଡ଼ିଶା ଷ୍ଟାଫ୍ ସିଲେକସନ୍ ଅଫିସିଆଲ ୱେବସାଇଟ [email protected] ରେ ମତାମତ ଦେଇପାରିବେ।

