ଉତ୍ତରକାଶୀ: ଉତ୍ତରକାଶୀରେ ଏକ ବଡ଼ ଅଘଟଣ ଘଟିଯାଇଛି । ହେଲିକପ୍ଟର କ୍ରାସରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଦୁଇଜଣ ଆହତ ହୋଇଛନ୍ତି । ହେଲିକପ୍ଟରଟି ଗଙ୍ଗୋତ୍ରୀ ଅଭିମୂଖେ ଯାତ୍ରା କରୁଥିଲା । ହେଲିକପ୍ଟରଟି କୌଣସି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି । ସକାଳ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବ ପାଇ ଘଟଣାସ୍ଥଳରେ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଗଢଓ୍ବାଲ ଡିଭିଜନାଲ କମିଶନର ଏ ବାବଦରେ ସୂଚନା ଦେଇଛନ୍ତି ।
ପାକିସ୍ତାନରେ ଭାରତର ମିସାଇଲ ଷ୍ଟ୍ରାଇକ୍ ପରେ ବଦଳିଲା ଚୀନର ସ୍ବର
ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଚୀନର ସ୍ବର ବଦଳିଛି । ଭାରତ ଓ ପାକିସ୍ତାନକୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଚାପକୁ କମ୍ କରିବା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଅନ୍ତରାଷ୍ଟ୍ରୀୟ ସମୁଦାୟ ସହ କାମ କରି ଚାପକୁ କମ୍ କରାଯାଇପାରେ ବୋଲି ଚୀନ କହିଛି । ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପଡ଼ୋଶୀ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଚୀନ କ୍ରମାଗତ ଭାବେ ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ମାତ୍ର ଭାରତର ଅପରେସନ ସିନ୍ଦୂର ପରେ ଚୀର ସ୍ବର ଏବେ ବଦଳି ଯାଇଛି ।
ଚୀନର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନର ସ୍ଥିତିକୁ ନେଇ ଆମେ ଚିନ୍ତିତ । ଭାରତ ଓ ପାକିସ୍ତାନ ସର୍ବଦା ପରସ୍ପରର ପଡ଼ୋଶୀ ହୋଇ ରହିବେ । ଏହି ଦୁଇ ଦେଶ ଚୀନର ମଧ୍ୟ ପଡ଼ୋଶୀ ଅଟନ୍ତି । ଚୀନ ଆତଙ୍କବାଦକୁ ସବୁକ୍ଷେତ୍ରରେ ବିରୋଧ କରେ । ଉଭୟ ପକ୍ଷଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଶାନ୍ତି ବଜାୟ ରଖିବା ଓ କୌଣସି ପ୍ରକାରର ଉତ୍ତେଜନା ପରିସ୍ଥିତି ଠାରୁ ଦୂରେଇ ରହିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେର ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିଲା ।
ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ରୋହିତ ଶର୍ମା
କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ହିଟମ୍ୟାନ ରୋହିତ ଶର୍ମା ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି । ଏହା ପୂର୍ବରୁ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ମଧ୍ୟ ସନ୍ନ୍ୟାସ ନେଇ ସାରିଥିଲେ । ଆଗକୁ ସେ ଦିନିକିଆରେ ଖେଳ ଜାରି ରଖିବେ । ଏନେଇ ରୋହିତ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ରୋହିତ ଲେଖିଛନ୍ତି, ’ମୁଁ ଏହା କହିବାକୁ ଚାହୁଁଛି ଯେ, ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେଉଛି । ଭଲ ପାଇବା ଓ ସହଯୋଗ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଦିନିକିଆରେ ଭାରତ ପାଇଁ ଖେଳିବା ଜାରି ରଖିବି ।’
୧୧ ବର୍ଷର ନିଜ ଟେଷ୍ଟ କ୍ୟାରିୟରରେ ରୋହିତ ୬୭ଟି ମ୍ୟାଚ ଖେଳିଥିଲେ । ସେଥିମଧ୍ୟରୁ ସେ ୨୪ଟି ମ୍ୟାଚରେ ଅଧିନାୟକତ୍ବ କରିଥିଲେ । ସେ ଟେଷ୍ଟରେ ୪୩୦୧ ରନ ସଂଗ୍ରହ କରିବା ସହ ସେଥିରେ ୧୨ଟି ଶତକ ସାମିଲ ଅଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ଖୁବଶୀଘ୍ର ଟିମ୍ ପାଇଁ ଜଣେ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯିବ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରୋହିତ ଦୁର୍ବଳ ପ୍ରଦର୍ଶନ କରିଥିଲେ ।
ପାକିସ୍ତାନର ଏକାଧିକ ସହରରେ ବ୍ଲାକଆଉଟ୍
ନନ୍ଦିଘୋଷ ବ୍ୟୁରୋ: ଭାରତର ଏୟାରଷ୍ଟ୍ରାଇକରେ ଛାନିଆ ପାକିସ୍ଥାନ। ଦ୍ଵିତୀୟ ଦିନ ଲାଗି ଆକ୍ରମଣ ଭୟରେ ଇସଲାମାବାଦ, ରାୱଲପିଣ୍ଡି, ଲାହୋର, କରାଚି ସମେତ ଏକାଧିକ ସହରରେ ବ୍ଲାକଆଉଟ କରିଥିଲା ପାକିସ୍ତାନ। ପାକିସ୍ତାନରେ ଭାରତୀୟ ସେନାର ଭୟ ଏତେଯେ ସେମାନେ ଇସଲାମାବାଦ, ରାୱଲପିଣ୍ଡି, ଲାହୋର ଏବଂ କରାଚୀ ସମେତ ଅନେକ ବଡ଼ ସହରରେ ବ୍ଲାକଆଉଟ୍ କରିଥିଲେ। ଭାରତୀୟ ସେନାର ଅପରେସନ ସିନ୍ଦୂର ଯୋଗୁଁ ପାକିସ୍ତାନରେ ଭୟର ବାତାବରଣ ଜାରି ରହିଛି। ଗତକାଲି ଭାରତୀୟ ଯୋଦ୍ଧାମାନେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷା କରି ସମଗ୍ର ପାକିସ୍ତାନର ନିଦ ଭାଙ୍ଗି ଦେଇଛନ୍ତି।
ବଜାରଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି।ଭାରତୀୟ ସେନା ପୁନର୍ବାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ସନ୍ଦେହ କରୁଛି। ପୁରା ପାକିସ୍ତାନ ଭୟରେ ଛାନିଆ ହୋଇଯାଇଛି। ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀମାନଙ୍କୁ ଭାରତୀୟ ସେନା କଡ଼ା ଜବାବ ଦେଇଛି। ଭାରତ ଯେତେବେଳେ ଚାହିଁବ ପାକିସ୍ତାନରେ ପ୍ରବେଶ କରି ସେମାନଙ୍କର କବର ଖୋଳିପାରିବ ଏବଂ ପାକିସ୍ତାନୀ ସେନା ଏହାର ଟିକେ ବି ଟେର ପାଇପାରିବେନି।ପାକିସ୍ତାନ ସେନା ଏବଂ ISIର ନିର୍ଦ୍ଦେଶରେ ଆତଙ୍କବାଦୀମାନେ ଇସଲାମାବାଦର ରାସ୍ତାରେ ମୁକ୍ତ ଭାବରେ ବୁଲୁଛନ୍ତି।
ଭାରତ ବିରୋଧରେ ଘୃଣ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଷଡଯନ୍ତ୍ର କରିଥାନ୍ତି। ଭାରତୀୟ ସେନାର ଭୟରେ ପାକିସ୍ତାନର ରାସ୍ତାଗୁଡ଼ିକ ଶୂନ୍ୟ ହୋଇପଡ଼ିଛି।ଆକ୍ରମଣରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଆଡ୍ଡା ଧ୍ୱଂସ କରାଯାଇଛି।ଭାରତର ଏହି ଅପରେସନରେ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ମୁଖ୍ୟାଳୟ ଧ୍ୱଂସ କରାଯାଇଛି। ଲସ୍କରର ଗଡ଼ ମରକଜ-ଏ-ତୋଇବା ଯେଉଁଠାରେ ୨୬/୧୧ ଆତଙ୍କବାଦୀ ଅଜମଲ କସାବ ତାଲିମ ନେଇଥିଲା। ତାହା ଏବେ ଧ୍ୱଂସସ୍ଥଳୀରେ ପରିଣତ ହୋଇଛି। ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ମସଜିଦ ଜୈଶ-ସୁଭାନାଲ୍ଲାହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଏହା ବ୍ୟତୀତ ହିଜବୁଲର ଅନେକ ତାଲିମ ଶିବିରକୁ ମଧ୍ୟ ଟାର୍ଗେଟ କରାଯାଇଛି।
ରାଜଧାନୀ ଦିଲ୍ଲୀରେ ବ୍ଲାକ ଆଉଟ୍ ମକଡ୍ରିଲ୍
ନନ୍ଦିଘୋଷ ବ୍ୟୁରୋ: ଅନ୍ଧାରରେ ଡୁବିଲା ଭାରତର ରାଜଧାନୀ ଦିଲ୍ଲୀ। ଯୁଦ୍ଧ ପ୍ରସ୍ତୁତି ନେଇ କରାଗଲା ବ୍ଲାକ୍ ଆଉଟ୍ ମକଡ୍ରିଲ । ଗତକାଲି ରାତି ୮ ଟାରୁ ୮ଟା ୧୫ ଯାଏଁ ସମ୍ପୂର୍ଣ୍ଣ ଦିଲ୍ଲୀ ହୋଇଥିଲା ବ୍ଲାକ ଆଉଟ୍ । ୧୫ ମିନିଟ ପାଇଁ ଲିଭିଲା ରାଷ୍ଟ୍ରପତି ଭବନ, ଅକ୍ଷରଧାମ ସମେତ ରାଜଧାନୀର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ସହର ରେ ବିଦ୍ୟୁତ ବ୍ୟବସ୍ଥା ବିଚ୍ଛିନ୍ନ କରାଯାଇଥିଲା । ରାତିର ଘନ ଅନ୍ଧାରରେ ହେଲା ମକ ଡ୍ରିଲ୍ । ପୂର୍ବରୁ ଫିରୋଜପୁରରେ କରାଯାଇଥିଲା ଏପରି ବ୍ଲାକ୍ ଆଉଟ୍ ମକ୍ ଡ୍ରିଲ।
‘ଅପରେସନ ସିନ୍ଦୂର’ ଆଜି ବସିବ ସର୍ବଦଳୀୟ ବୈଠକ
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣକୁ ନେଇ ଅପରେସନ ସିନ୍ଦୂର ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ଆଦି ଦିନ ୧୧ଟାରେ ବସୁଛି ସର୍ବଦଳୀୟ ବୈଠକ। ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା କରାଯାଇଥିବା ଅପରେସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୂରର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାମରିକ ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ସଂସଦରେ ଅପରେସନ୍ ସିନ୍ଦୂର ବିଷୟରେ ସମସ୍ତ ରାଜନୈତିକ ଦଳକୁ ସୂଚନା ଦେବା ପାଇଁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୪ ତାରିଖରେ ଡକାଯାଇଥିବା ଶେଷ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ବିରୋଧୀ ଆଶା କରିଥିଲେ। କିନ୍ତୁ କୌଣସି କାରଣରୁ ସେ ଯୋଗ ଦେଇପାରିନଥିଲେ। ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ସର୍ବଦଳୀୟ ବୈଠକ। ରାଜ୍ୟସଭା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ଉଭୟ ଏହି ବୈଠକରେ ଯୋଗଦେବେ। ଏଥିରେ କୂଟନୈତିକ ଏବଂ ସୁରକ୍ଷା ରଣନୀତି ଉପରେ ଆଲୋଚନା କରାଯିବା ସମ୍ଭାବନା ରହିଛି।
ରାତି ଅଧରେ ସମ୍ବୋଧନ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ କହିଲେ..
ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ୯ ଆତଙ୍କୀ ଆଡ୍ଡା ଉପରେ ହମଲା କରାଯାଇଛି । ଭାରତୀୟ ସେନା ପାକିସ୍ତାନର ୯ ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଛି । ସେପଟେ ଅଧ ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ସେ କହିଛନ୍ତି କି, ପାକିସ୍ତାନ ଉପରେ ଆକ୍ରମଣ କରିଥିବା ଭାରତକୁ କଡ଼ା ଜବାବ ଦେବୁ । ପ୍ରତିଟି ରକ୍ତବୁନ୍ଦାର ଜବାବ ଦିଆଯିବ । ଦେଶର ସୁରକ୍ଷା ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିବୁ । ଭାରତକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଛନ୍ତି ଯେ ପାକିସ୍ତାନ ବାୟୁସେନା ଏବଂ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଭାରତର ଆକ୍ରମଣର ଜବାବ ଦେଇଥିଲେ ଏବଂ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକୁ ଆଗକୁ ବଢ଼ିବାରୁ ରୋକିଥିଲେ। ଶାହବାଜଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ପାକିସ୍ତାନର ଲୋକଙ୍କୁ କହିବାକୁ ଚାହୁଁଛନ୍ତି ଯେ ସେମାନେ ଭାରତର କ୍ଷେପଣାସ୍ତ୍ର ବିରୁଦ୍ଧରେ ଜୋରଦାର ଲଢ଼ିଛନ୍ତି, ଯଦିଓ ଭାରତ ପାକିସ୍ତାନର ଘରେ ପଶି ଶିକ୍ଷା ଦେଇଛି । ଯାହାକି ସାରା ବିଶ୍ବବାସୀ ଦେଖିଛନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଶାହବାଜ ନିଜ ପରାଜୟକୁ ସ୍ୱୀକାର କରିବା ପରିବର୍ତ୍ତେ କେବଳ ପାକିସ୍ତାନର ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇପାରେ ।
ପାକିସ୍ତାନରେ ହେବ କି ଭାରତର ଦ୍ଵିତୀୟ ଏୟାର ଷ୍ଟ୍ରାଇକ ?
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ହେବ କି ଭାରତର ଦ୍ଵିତୀୟ ଏୟାରଷ୍ଟ୍ରାଇକ। କାରଣ ଆଉ ବାକି ଅଛି ୧୨ ଆତଙ୍କୀ ଠିକଣା। ପୂର୍ବରୁ ଚିହ୍ନଟ ହୋଇଥିବା ୨୧ ଆତଙ୍କୀ ଠିକଣା ମଧ୍ୟରୁ ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ଵଂସ କରିଛି ଭାରତୀୟ ସେନା। ଏବେବି ଆହୁରି ୧୨ ଆତଙ୍କୀ ଆଡ୍ଡାରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରହିଛି। ପୂର୍ବରୁ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ପ୍ରଥମ ଆକ୍ରମଣ। ପାକିସ୍ତାନର ୪ ଟାର୍ଗେଟ ସହ ପାକିସ୍ତାନ ଅଧୀକୃତ କାଶ୍ମୀର ୫ଟି ସ୍ଥାନରେ ଲକ୍ଷ୍ୟଭେଦୀ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ସେନା। ଆତଙ୍କୀଙ୍କ ମୁଖିଆ ହାଫିଜ ସୟିଦଠାରୂ ଆରମ୍ଭ କରି ମାସୁଦ ଆଝାର ପର୍ଯ୍ୟନ୍ତ ଆତଙ୍କୀକୁ ଟାର୍ଗେଟ କରିବାକୁ ଏଥିରେ ସାମିଲ କରାଯାଇଛି। ୩ ଦଶନ୍ଧିରୁ ଅଧିକ ହେବ ହାଫିଜ ଓ ମାସୁଦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ଭାରତରେ ଆକ୍ରମଣ କରି ଆସୁଛନ୍ତି। ସୋମବାର ରାତିରେ ସୱାଇ କ୍ଯାମ୍ପ, ବିଲାର କ୍ଯାମ୍ପ, ଗୁଲପୁର, କୋଟଲି, ବର୍ଣ୍ଣାନା, ସରଜଲ, ମୁରିଦକେ ଏବଂ ବାହାବଲପୁରରେ ଆକ୍ରମଣ କରିଥିଲା ଭାରତୀୟ ସେନା। ଏହା ପରେ ମଧ୍ୟ ଆଉ ୧୨ଟି ଆତଙ୍କବାଦୀ ଆଡ୍ଡା ଆଛି ଯାହା ଭାରତ ପାଇଁ ବିପଦ ସାଜିଛି। ପ୍ରଥମ ଆକ୍ରମଣରେ ୨୫ ମିନିଟ ଧରି ଅପରେସନ ସିନ୍ଦୂରରେ ଭାରତୀୟ ସେନା ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଛି। ପାକିସ୍ତାନ ଏବଂ ପାକ ଅଧୀକୃତ କାଶ୍ମୀରରେ ଥିବା ଲଞ୍ଚପ୍ୟାଡ୍ ଏବଂ ତାଲିମକେନ୍ଦ୍ର ଗୁଡିକୁ ଟାର୍ଗଟ କରି ଧ୍ଵଂସ କରିଥିଲା ଭାରତୀୟ ସେନା।
ଦ୍ବିତୀୟ ଦିନରେ ଜମ୍ମୁ-କାଶ୍ମୀରର କୁପଓ୍ବାଡାରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତ
ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଛି ପାକିସ୍ତାନ । ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନରେ ଛାନିଆ ପଶି ଯାଇଛି । ସେପଟେ ଜାମ୍ମୁ-କାଶ୍ମୀରର କୁପଓ୍ବାଡାରେ ଦ୍ବିତୀୟ ଦିନରେ ମଧ୍ୟରାତ୍ରରେ ଗୁଳିମାଡ଼ କରାଯାଇଥିବାବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି । ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଜାରି ରହିଛି ଗୁଳିମାଡ଼ । କିନ୍ତୁ ଏହାର ଉଚିତ ଜବାବ ଦେଉଛି ଭାରତୀୟ ସେନା ।
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପାକିସ୍ତାନର ହଲଚଲ। କେତେବେଳେ କି କଣ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ସୀମାନ୍ତବର୍ତ୍ତୀ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ଗୃହମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ ସମ୍ପୃକ୍ତ ରାଜ୍ୟମାନେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ଖାଦ୍ୟ, ଔଷଧ ସାମଗ୍ରୀ ମହଜୁଦ ରଖିବା ସହ ହସ୍ପିଟାଲ, ଅଗ୍ନିଶମ, ଜନସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ ସେସବୁ ଅଂଚଳରେ ଦେଶ ବିରୋଧୀ କୌଣସି ମିଥ୍ୟା ଗୁଜବ ଓ ଅପପ୍ରଚାର ଉପରେ ସତର୍କ ଦୃଷ୍ଟି ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ। ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ଥିବେ ସେମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ସେନା, ଅର୍ଦ୍ଧସାମରିକ ବାହିନୀ ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟରେ କିଭଳି ସମନ୍ଵୟ ରକ୍ଷା ହୋଇପାରିବ ସେଥିପ୍ରତି ରାଜ୍ୟମାନେ ଦୃଷ୍ଟି ଦେବେ।

