ନନ୍ଦିଘୋଷ ବ୍ୟୁରୋ: ସାବଧାନ! ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ବଜାରରେ ବୁଲୁଛି ମିଛ ନୋଟିସ। ମେ ମାସ ୬ ତାରିଖରେ ପରୀକ୍ଷା ଫଳ ପ୍ରକାଶ ହେବା ନେଇ ସୋସିଆଲ ମିଡିଆରୁ ଏକ ବିଜ୍ଞପ୍ତିର ସୂଚନା ପାଇଛି CHSE। ଯାହାକୁ CHSE ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ମିଛ ଚିଠି। ତେଣୁ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଏବେ ଖାତାଦେଖା ସରିଛି। ଏଥର ଖରା ଯୋଗୁଁ ସାମାନ୍ୟ ବିଳମ୍ବରେ ଖାତାଦେଖା ଶେଷ ହୋଇଛି। ପୂର୍ବରୁ ଯେଉଁ ମେ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଟାର୍ଗେଟ କରାଯାଇଥିଲା, ତାହା ହେବନି। କେବେ ଫଳାଫଳ ପ୍ରକାଶ ପାଇବ, ତାହା ଏବେ କହି ହେବ ନାହିଁ। ମୂଲ୍ୟାୟନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ ରହିଛି। ୧୪୮ଟି ଜୋନରୁ ଅନଲାଇନରେ ମାର୍କ ଆସି ଯାଇଛି। ଦୁଇ ଦିନ ଭିତରେ ଅଫଲାଇନ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏଥର କପିରେ ବୁକିଂ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଫଳାଫଳ ପାଇଁ ଚାରି ମାସ ଅପେକ୍ଷା କରିବାକୁ ପଡ଼ିବନି। ଚଳିତ ଥର ଯୁକ୍ତ ଦୁଇରେ ୪୨୯ ଜଣ କପି କରି ଧରା ପଡ଼ିଥିଲେ। ସେମାନଙ୍କୁ ଏକ୍ସପର୍ଟଙ୍କ ଦ୍ୱାରା କାଉନସେଲିଂ କରାଯିବା ସହ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା। ଯେଉଁଥିରୁ ଜଣା ପଡିଲା ଯେ, ୩୭୨ ଜଣ କପି କରି ନାହାନ୍ତି। ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ହେଲେ ବାକି ୫୭ ଜଣ କପି କରିଛନ୍ତି। ଯେଉଁ ମାନଙ୍କୁ ଆସନ୍ତା ବର୍ଷ ପୁଣି ଥରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପଡିବ ବୋଲି କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ।
ଉତ୍ତେଜନା ଭିତରେ ବିଦେଶର ସହାୟତା ଲୋଡୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବିଦେଶର ସହାୟତା ଲୋଡୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ବିଭିନ୍ନ ଉପସାଗରୀୟ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି ସରିଫ । ସାଉଦିଆରବ, କୁଏତ ଓ ୟୁଏଇର ରାଷ୍ଟ୍ରଦୂତଙ୍କ ସହ ଏନେଇ ସେ ଆଲୋଚନା କରିଛନ୍ତି । ଏପ୍ରିଲ ୨୨ ପହଲଗାଓଁ ହମଲା ପରଠାରୁ ପାକିସ୍ତାନ ଉପରେ ବଢୁଛି ଆନ୍ତର୍ଜାତିକ ଚାପ । ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ଲାଗି ଗୁଇନ୍ଦା ସୂତ୍ରରୁ ଖବର ମିଳିଛି ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ ସୂଚନା ଦେବା ପରେ ବିଚଳିତ ହୋଇଛି ପାକିସ୍ତାନ । ସେପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ନ କରିବା ଲାଗି ପାକିସ୍ତାନ ଉପରେ ବି ଆମେରିକା ଓ ଅନ୍ୟ ଦେଶ ବି ଚାପ ପକାଇଛନ୍ତି । ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ- ସାଉଦିଆରବ ସମେତ ଅନ୍ୟ ଭ୍ରାତୃତ୍ବସମ୍ପନ୍ନ ରାଷ୍ଟ୍ରଠାରୁ ସମର୍ଥନ ପାଇବା ଲାଗି ପାକିସ୍ତାନ ଚେଷ୍ଟା ଚଳାଇଛି । ପହଲଗାଓଁ ହମଲା ଘଟଣାରେ ପାକିସ୍ତାନର ହାତ ନାହିଁ ବୋଲି ୟୁଏଇ ରାଷ୍ଟ୍ରଦୂତ ହମାଦ ଓବେଦ ଜାବିଙ୍କୁ ସରିଫ କହିଥିବା ସୂଚନା ମିଳିଛି । ସେହିପରି ସାଉଦିଆରବ ରାଷ୍ଟ୍ରଦୂତ ନବାଫ ବିନ ସୟିଦ ମାଲିକିଙ୍କୁ ବି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ସରିଫ । କୁପଓ୍ବାଡା, ବାରମୁଲ୍ଲା, ପୁଞ୍ଚ, ନୌସେରା ଓ ଅଖନୁର ଅଞ୍ଚଳରୁ ପାକିସ୍ତାନ ପଟୁ ଗୁଳିବର୍ଷଣ କରାଯାଇଥିବା ସଂକ୍ରାନ୍ତ ଭାରତର ଅଭିଯୋଗ ନେଇ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ଛାନିଆ ହେଲାଣି ପାକିସ୍ତାନ, ନିୟନ୍ତ୍ରଣ ରେଖାରେ ବଢାଇଲା ସାମରିକ କାର୍ଯ୍ୟକଳାପ
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ପରେ ଛାନିଆ ପାକିସ୍ତାନ । ନିୟନ୍ତ୍ରଣ ରେଖାରେ ବଢାଇଲା ସାମରିକ କାର୍ଯ୍ୟକଳାପ । ଏଲଓସିରେ ପାକିସ୍ତାନ ମୁତୟନ କଲା ଚୀନ ନିର୍ମିତ SH-15 155mm ଟ୍ରକ ମାଉଣ୍ଟେଡ ହାଓଜିର । ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ପଦକ୍ଷେପ ନେଇଛି ପାକିସ୍ତାନ । ଏହି ମୁତୟନ ଯୋଗୁ ସୀମାରେ ପାକିସ୍ତାନର ଶକ୍ତି ବୃଦ୍ଧି ପାଇଛି । ସୀମାରେ ପ୍ରତିରକ୍ଷା ଶକ୍ତି ବୃଦ୍ଧି, ବଙ୍କର ନିର୍ମାଣ, କମ୍ୟୁନିକେସନ ଟାଓ୍ବାର ନିର୍ମାଣ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି । ଏକ୍ଷେତ୍ରରେ ଚୀନ ବିଶେଷ ସହାୟତା କରୁଛି । ଏହା ସହ ମାନବବିହୀନ ବାୟୁ ଯାନ ବା ୟୁଏଭି ବି ମୁତୟନ କରାଯାଇଛି । SH-15 155mm ହାଓଜିର ସର୍ବାଧିକ ୫୩ କିଲୋମିଟର ଦୂରକୁ ଗୋଳାବର୍ଷଣ କରିପାରିବ । ଏଥିରେ ରକେଟ ଆସିଷ୍ଟେଡ ପ୍ରୋଜେକ୍ଟାଇଲକୁ ବ୍ୟବହାର କରାଯାଇଥାଏ । ଏହାର ସର୍ବନିମ୍ନ ଗୋଳାବର୍ଷଣ କ୍ଷମତା ରହିଛି ୨୦କିଲୋମିଟର ।
ଆଇପିଏଲର ପ୍ରତି ମ୍ୟାଚରେ କେତେ ଟଙ୍କା ନିଅନ୍ତି ଚିୟର ଲିଡର୍ସ ?
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ଛକା ଚୌକା କିମ୍ବା ଓ୍ବିକେଟ ଯିବା ସମୟରେ ଦେଖିବାକୁ ପାଉଥିବେ କି ଚିୟରଗାର୍ଲ ମାନେ ନାଚିଥାନ୍ତି । ଦର୍ଶକଙ୍କ ଅଧିକ ମନୋରଞ୍ଜନ କରିବା ସହ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ଏଭଳି ପ୍ରତି ଫ୍ରାଞ୍ଜାଇଜ ମାନେ ଚିୟର ଲିଡର୍ସଙ୍କୁ ରଖନ୍ତି । ତେବେ ଅନେକ ସମୟରେ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠେ କି ଏମାନେ କେତେ ରୋଜଗାର କରନ୍ତି ? ଯଦି ଖେଳାଳିମାନେ ଆଇପିଏଲରେ ମୋଟା ଟଙ୍କା କିଣା ହୁଅନ୍ତି ତାହେଲେ ଏମାନଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହୁଏ କି ?
ତେବେ ଗତବର୍ଷର ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ ଚିୟରଲିଡର୍ସଙ୍କୁ ସବୁଠାରୁ ଅଧିକ ଟଙ୍କା ଦେଇଥାଏ କୋଲକାତା ନାଇଟ ରାଇଡର୍ସ । ପ୍ରତି ମ୍ୟାଚରେ ୨୪ ହଜାର ଟଙ୍କା ଲେଖାଏଁ ଦେଇଥାଏ କେକେଆର । ବାକି ଦଳମାନେ ୧୨ରୁ ଆରମ୍ଭ କରି ୨୦ ମଧ୍ୟରେ ଦେଇଥାନ୍ତି । ତେବେ ଜଳିତ ବର୍ଷ ଜଣାନାହିଁ । ମାତ୍ର ଏଥରକ ମଧ୍ୟ ଏହାଠାରୁ ଅଧିକ ଥାଇପାରେ । ବିଶ୍ବର ଧନୀ କ୍ରିକେଟ ଲିଗ୍ କୁହାଯାଉଥିବା ଆଇପିଏଲରେ ଚିୟର ଲିଡର୍ସମାନେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।
ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତରାରଙ୍କ ଏକ୍ସ ଆକାଉଣ୍ଟ ବ୍ଳକ
ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନ ବିରୋଧରେ ଭାରତର ପଦକ୍ଷେପ। ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତରାରଙ୍କ ଏକ୍ସ ଆକାଉଣ୍ଟକୁ ବ୍ଳକ କରିଛି ଭାରତ। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ୟୁଟ୍ୟୁବ ଚାନେଲକୁ ଭାରତ ସରକାର ନିଷିଦ୍ଧ କରିଥିବାବେଳେ ଆଜି ତରାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତିନି ଦିନ ତଳେ ତରାର କହିଥିଲେ ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିବ ଆକ୍ରମଣ। ବିଶେଷ ଗୁଇନ୍ଦା ସୂତ୍ରରୁ ସେ ଏହା କହିଥିବା ପ୍ରସାରିତ ହୋଇଥିଲା।
ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ବଦଲା : ପାକିସ୍ତାନକୁ ଏସିଆ କପରୁ ବାହାର କରିପାରେ BCCI
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରିହ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଯାହାକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଅର୍ଥନୈତିକ ବଦଲା ନେଉଛି ଭାରତ । ଏବେ କ୍ରିକେଟରେ ବଦଲା ନେବାର ସମୟ ଆସିଛି । ଏସିଆ କପରେ ପାକିସ୍ତାନକୁ ବାଦ ଦେବାକୁ ଦାବି କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ।
୨୦୨୬ ଟି-୨୦ ବିଶ୍ବକପ ପୂର୍ବରୁ ଟି-୨୦ ଫର୍ମାଟରେ ଏସିଆ କପ ଖେଳାଯିବାକୁ ଯାଉଛି । ଭାରତ ଏବଂ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଏଣୁ ଏଥିରୁ ପାକିସ୍ତାନକୁ ବାଦ୍ ଦିଆଯାଉ । କାରଣ ଭାରତ ସରକାର ଯେବେ ଯାହା ନିଷ୍ପତ୍ତି ନିଅନ୍ତି ତେବେ ବିସିସିଆଇ ଏହାକୁ ମଧ୍ୟ ଗ୍ରହଣ କରିଥାଏ । ତେବେ ଭାରତ ସରକାର ଏବେ ପାକିସ୍ତାନ ବିପକ୍ଷରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଣୁ ଏବେ ବିସିସିଆଇ ମଧ୍ୟ ବଡ଼ ପଦକ୍ଷେପ ନେବା ଜରୁରୀ ବୋଲି ଗାଭାସ୍କର କହିଛନ୍ତି । ତେବେ ପାକିସ୍ତାନକୁ ବାଦ ଦେବା ପାଇଁ ଏସୀୟ କ୍ରିକେଟ ପରିଷଦ (ଏସିସି)କୁ ଭଙ୍ଗାଯାଇପାରେ । ଏହାକୁ ତ୍ରିରାଷ୍ଟୀୟ କିମ୍ବା ଚତୁରାଷ୍ଟ୍ରୀୟ ମ୍ୟାଚ ଖେଳାଯାଇପାରେ ।
ପୁଣି ଭାଇରାଲ ହେଲା ଲିଙ୍ଗରାଜ ମନ୍ଦିର ବେଢା
ନନ୍ଦିଘୋଷ ବ୍ୟୁରୋ: ପୁଣି ଭାଇରାଲ ହେଲା ଲିଙ୍ଗରାଜ ମନ୍ଦିର ବେଢା । କଡା ସୁରକ୍ଷା ସତ୍ତ୍ୱେ ମନ୍ଦିର ବେଢାର ଫଟୋ ଭାଇରାଲ ହୋଇଛି । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ଏହି ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ଭିତରେ ଫଟୋ ଉଠାଇଥିଲେ । ସୁସ୍ମିତାଙ୍କ ଫଟୋ ଉଠାଇଥିବା ସେବାୟତ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି । ତାଙ୍କର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଶିଳ୍ପା ସେଟ୍ଟୀଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏପରିକି କିଛି ରାଜନେତାଙ୍କ ଫଟୋ ବେଢ଼ା ଭିତରେ ଭାଇରାଲ ହେବା ପରେ ମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ପୁଅରୁ ଝିଅ ହୋଇଥିବା ଅନାୟା ବାଙ୍ଗରଙ୍କୁ ଲାଗିଲା ବଡ଼ ଝଟକା
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟାଙ୍କୁ ଲାଗିଛି ବଡ଼ ଝଟକା । ଅନାୟା ପ୍ରଥମେ ପୁଅ ଥିଲେ । ଏବେ ସେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଛନ୍ତି ଆଉ ଇଂଲଣ୍ଡରେ ରହିଛନ୍ତି । କ୍ରିକେଟ ପ୍ରତି ରହିଛଇ ଆଜି ମଧ୍ୟ ତାଙ୍କର ଅହେତୁକ ଦୁର୍ବଳତା । ତେବେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସେ ଉଠାଇଥିବା ସ୍ବର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏବେ ଇବିସି ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଟ୍ରାନ୍ସଜେଣ୍ଡମାନେ ମହିଳା କ୍ରିକେଟ ଦଳରେ ଖେଳି ପାରିବେ ନାହିଁ । ଏହା ଉପରେ ରୋକ ଲଗାଇଛନ୍ତି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଆନାୟା ।
ଯାହାକୁ ନେଇ ଅନାୟା ସୋସିଆଲ ମିଡିଆରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି କି, ଆଜି ଇଂଲଣ୍ଡର ଖବା ଦେଖୁଥିବା ସମସ୍ତଙ୍କ ପାଇଁ । ECB କେବଳ ବୃତ୍ତିଗତ କ୍ରିକେଟରେ ନୁହେଁ ବରଂ ଖେଳର ମନୋରଞ୍ଜନ ଏବଂ ତୃଣମୂଳ ସ୍ତରରେ ମଧ୍ୟ ଟ୍ରାନ୍ସ ମହିଳାମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଆନୁଷ୍ଠାନିକ ଭାବରେ ନିଷେଧ କରିଛି।’ ଏହା କେବଳ ଏକ ନିୟମ ନୁହେଁ। ଏହା ଏକ ବାର୍ତ୍ତା । ଏକ ବାର୍ତ୍ତା ଯାହା କହୁଛି, ତୁମର ଉତ୍ସର୍ଗ, ପ୍ରତିଭା, ଶୃଙ୍ଖଳା, କିମ୍ବା ବର୍ଷ ବର୍ଷ ଧରି ପରିବର୍ତ୍ତନ ହେଉନା କାହିଁକି, ତୁମକୁ ଏପର୍ଯ୍ୟନ୍ତ ଯଥେଷ୍ଟ ଭଲ ଭାବରେ ଦେଖାଯିବ ନାହିଁ। ଏହି କ୍ରୀଡ଼ା ପ୍ରତି ନିଜ ହୃଦୟ ଦେଇଥିବା ଜଣେ ବ୍ୟକ୍ତି ଭାବରେ, ଏହା ବ୍ୟକ୍ତିଗତ ଅନୁଭବ କରେ। ମୁଁ କେବଳ ଜଣେ ଟ୍ରାନ୍ସ ଗର୍ଲ ନୁହେଁ, ମୁଁ ଜଣେ କ୍ରିକେଟର ମଧ୍ୟ। ଏହି ସମାନ ଖେଳରେ ମୁଁ ଭେଦଭାବ, ହଇରାଣ ଏବଂ ଅଦୃଶ୍ୟତାର ସମ୍ମୁଖୀନ ହୋଇଛି। ଏବଂ ଏବେ, ଅନୁଷ୍ଠାନଗୁଡ଼ିକ ଆମର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେଉଥିବା ରେଖା ଆଙ୍କୁଛନ୍ତି। ସେମାନେ ପିଚ୍ ନିୟନ୍ତ୍ରଣ କରିପାରିବେ, କିନ୍ତୁ ସେମାନେ କେବେବି ଆମର ଭାବନାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏହା ଆମ ଇନିଂସର ଶେଷ ନୁହେଁ।
https://www.instagram.com/anayabangar/?utm_source=ig_embed&ig_rid=e4f0cb6d-d0d1-48de-893d-479b7fe3537e
କେତେ ରୋଜଗାର କରନ୍ତି ପାକିସ୍ତାନ ସେନା ମୁଖ୍ୟ ?
ନନ୍ଦିଘୋଷ ବ୍ୟୁରୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । କିନ୍ତୁ ପାକିସ୍ତାନର ସେନା ମୁଖ୍ୟଙ୍କ ଜୀବନ ଶୈଳୀ କିନ୍ତୁ ଭିନ୍ନ । ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସମ୍ପତ୍ତି 6,77,54,636 ଟଙ୍କା (800,000 ଆମେରିକୀୟ ଡଲାର) ହେବ ବୋଲି ଆକଳନ କରାଯାଇଛି। ଏହି ସମ୍ପତ୍ତି ବିଭିନ୍ନ ବ୍ୟବସାୟ ଏବଂ ନିବେଶ ମାଧ୍ୟମରେ ଅର୍ଜିତ ହୋଇଛି, ଯାହା ତାଙ୍କୁ ପାକିସ୍ତାନର ଆର୍ଥିକ ଅବସ୍ଥା ସତ୍ତ୍ୱେ ଏକ ଧନୀ ଜୀବନଶୈଳୀ ପ୍ରଦାନ କରେ।
ପାକିସ୍ତାନର ସେନା ମୁଖ୍ୟମାନେ ବିଭିନ୍ନ ଅର୍ଥନୈତିକ ବ୍ୟାପାର କରିଥାନ୍ତି । ଯାହାକି ତାଙ୍କୁ କୋଟି କୋଟି ଟଙ୍କା ଲାଭ ଦେଇଥାଏ । ଆଉ ଏହି ଆର୍ଥିକ ସଙ୍କଟ ପଛରେ ଏମାନଙ୍କର ମଧ୍ୟ ପ୍ରଭୁଖ ଭୂମିକା ରହୁଥିବା କୁହାଯାଏ । ପ୍ରସିଦ୍ଧ ଲେଖିକା ଆୟେଶା ସିଦ୍ଧିକାଙ୍କ ପୁସ୍ତକ “ମିଲିଟାରୀ ଇନକର୍ପୋରେଟେଡ୍: ଇନସାଇଡ୍ ପାକିସ୍ତାନସ୍ ମିଲିଟାରୀ ଇକୋନୋମି” ଏହି ବାସ୍ତବତାକୁ ଗଭୀର ଭାବରେ ପ୍ରକାଶ କରିଛି। ଏହି ପୁସ୍ତକ ଅନୁଯାୟୀ, ପାକିସ୍ତାନୀ ସେନା କେବଳ ପ୍ରତିରକ୍ଷା କ୍ଷେତ୍ରରେ ସୀମିତ ନୁହେଁ, ବରଂ ସିମେଣ୍ଟ, ସାର, ବ୍ୟାଙ୍କିଙ୍ଗ, ଦୁଗ୍ଧ, ପରିବହନ ଏବଂ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ମଧ୍ୟ ଏହାର ବ୍ୟାପକ ବ୍ୟବସାୟିକ ପ୍ରଭାବ ରହିଛି। ଏହାସହ ରିୟଲ ଇଷ୍ଟେଟ ବ୍ୟବସାୟ ମଧ୍ୟ କରନ୍ତି ।
ଆଜି ମଇଦାନକୁ ଓହ୍ଲାଇ ନପାରନ୍ତି ଧୋନୀ- କୋହଲି
ନନ୍ଦିଘୋଷ ବ୍ୟୁରୋ: ଶନିବାର ବାଙ୍ଗାଲୋର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚେନ୍ନାଇ ଏବଂ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଚଳିତ ବର୍ଷ ଦ୍ବିତୀୟଥର ଲାଗି ଉଭୟ ଦଳ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ପ୍ରଥମ ମ୍ୟାଚରେ ଘରୋଇ ମାଟିରେ ପରାଜୟ ବରଣ କରିଥିଲା ଚେନ୍ନାଇ । ଏଣୁ ଆଜି ବଦଲା ନେବାକୁ ଚେଷ୍ଟା କରିବ ଧୋନୀ ବାହିନୀ । ପ୍ଲେଅଫରୁ ବାଦ୍ ପଡ଼ିଥିବରା ଚେନ୍ନାଇ ସମ୍ମାନ ରକ୍ଷା ସହ ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ । ସେପଟେ ଆଜିର ମ୍ୟାଚରେ ୨ ପଏଣ୍ଟ ପାଇ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଚାହିଁବ ବାଙ୍ଗାଲୋର । ମାତ୍ର ଆଜି ମ୍ୟାଚ ଖେଳ ନହେବାର ସମ୍ଭାବନା ଅଧିକ ରହିଛି । କାରଣ ଦୁଇଦିନ ଧରି ବାଙ୍ଗାଲୋରରେ କାଳବୈଶାଖୀ ବର୍ଷା ହେଉଛି । ଆଜି ମଧ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ମ୍ୟାଚ ନହେବାର ସମ୍ଭାବନା ଅଧିକ ରହିଛି । ଏହି ମ୍ୟାଚରେ ଯଦି ପଏଣ୍ଟ ଭାଗ ବଣ୍ଟାହୁଏ ତାହେଲେ ବାଙ୍ଗାଲୋର ଟେବୁଲ ଟପ୍ପର ରହିବାର ଆଶା କମିଯିବ । ଏଣୁ ଦଳ ଯଦି ଖେଳ ହୁଏ ତାହେଲେ ବିଜୟୀ ହେବାକୁ ପ୍ରୟାସ କରିବ ।

