ବାଲେଶ୍ବର : ଜଙ୍ଗଲ ଭିତରେ ଲୁଚିଲାଣି ମାର୍କେଟ କମ୍ପ୍ଲେକ୍ସ । ଲିଭିବାକୁ ବସିଲାଣି ନିୟନ୍ତ୍ରିତ ବଜାର କମିଟି ବୋର୍ଡ । ଉଠିବାକୁ ଗଲାଣି ପେଭର ବ୍ଲକ । କେଉଁଠି ଗୋବର ଗଦା ତ କେଉଁଠି ପଚପଚ କାଦୁଅ । ବାଲେଶ୍ବର ବ୍ୟବସାୟୀଙ୍କ ଉନ୍ନତି ପାଇଁ ୫ କୋଟି ୪୦ ଲକ୍ଷ ଟଙ୍କା ବ୍ଯୟରେ ଏହି ନିୟନ୍ତ୍ରିତ ବଜାର କମିଟି ତିଆରି କରିଥିଲେ ପୂର୍ବ ସରକାର । ସହରଠାରୁ ୫ କିଲୋମିଟର ଦୂର ରେମୁଣାରେ ରହିଛି ଏହି RMC କମ୍ପ୍ଲେକ୍ସ । ପୁର୍ବରୁ ୧୮ ଟି ଦୋକାନ ଘର ବ୍ୟବସାୟୀଙ୍କୁ ଦିଆ ଯାଇଥିଲା । ଭଡ଼ା ବାବଦକୁ ୬ଶହ ରୁ ୬ ଶହ ଟଙ୍କା ଜମା କରୁଥିଲେ ଦୋକାନୀ । ପରେ ୧୮ଟି ଦୋକାନ ଜାଗାରେ ୭୫ଟି ଦୋକାନ ଘର ଥିବା ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ ତିଆରି ହେଲା । ହେଲେ ୨୦୨୩ରୁ କାମ ସରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୋକାନ ଘର କାହାକୁ ଦିଆଯାଇ ନାହିଁ । ଫଳରେ ଭୁତକୋଠି ପାଲଟିଲାଣି ଏହି ମାର୍କେଟ କମ୍ପ୍ଲେକ୍ସ ।
ନିୟନ୍ତ୍ରିତ ବଜାର କମିଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ଷ୍ଟେଟ ଏଗ୍ରିକଲ୍ଚର ମାର୍କେଟିଂ ବୋର୍ଡର ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ କାମ ହୋଇଛି । ହେଲେ ରାଜ୍ଯ ସରକାରଙ୍କ ନିର୍ଦ୍ଧାରିତ ଦର ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବ୍ୟବସାୟୀ । ସେପଟେ ଉପଜିଲ୍ଲାପାଳ କହିଛନ୍ତି ଦୋକାନ ଦେବାକୁ ଯୋଜନା କରାଯାଉଛି । ଯେଉଁ ଦର ନିର୍ଦ୍ଧାରିତ କରାଯାଇଛି ସେଥିରେ ଦୋକାନୀ ଅମଙ୍ଗ ହେବାରୁ ଏହାକୁ ପରିବର୍ତ୍ତନ କରି ୪ ହଜାର ୫ଶର ଟଙ୍କା ନିର୍ଦ୍ଧାରଣ କରାଯାଇଛି । କମିଟି ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।
ଭୂତକୋଠି ପାଲଟିଲାଣି ରେମୁଣା ନିୟନ୍ତ୍ରିତ ବଜାର କମିଟ କମ୍ପ୍ଲେକ୍ସ
OPSC, OSSC ପରୀକ୍ଷାରେ ତ୍ରୁଟି ପରେ ଚିନ୍ତାରେ ଆଶାୟୀ
ଭୁବନେଶ୍ବର : ଭୁଲ କରୁଛି କମିଶନ, ଭୋଗୁଛନ୍ତି ଆଶାୟୀ । ବୟସ ଗଡୁଛି, ପରୀକ୍ଷାରେ ଆସୁନି ସ୍ବଚ୍ଛତା । ବର୍ଷ ସାରା ପରିଶ୍ରମ ହେଲେ ରେଜଲ୍ଟ ବାତିଲ । OSSC, OPSC, SSB, RI ଓ ଅମିନ ପଦବୀ ପାଇଁ ପରୀକ୍ଷାରେ ତ୍ରୁଟି ଦେଖାଦେଇଛି । OSSC ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ସନ୍ତୋଷ ଦେଖାଦେଇଛି । ସାଧାରଣ ନିର୍ବାଚନ ହେଲେ ବାରମ୍ବର ଭୋଟ ଗଣତି ହେଉଛି, ହେଲେ ପରୀକ୍ଷାରେ ତ୍ରୁଟି ଦେଖାଦେଲେ ତଦନ୍ତର ଆଳ ଦେଖାଇ ସରକା କାହିଁକି ସମୟ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ । ଭୁଲ ପ୍ରଶ୍ନ ପତ୍ର ଆସିବା ନେଇ ଦାୟୀ କିଏ ? ଖାମଖିଆଲି ମନୋଭାବରେ ପରୀକ୍ଷା କରୁଛନ୍ତି କି ଦାୟିତ୍ୱରେ ଥିବା ଅଧିକାରୀ ? ଜଣେ ଆଶାୟୀ ସରକାରୀ ଚାକିରୀ ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଛି । କମିଶନ ପରୀକ୍ଷା ବାତିଲ କରି ପୁଣି ତାରିଖ ଘୋଷଣା କଲା ପରେ ସେମାନଙ୍କ ମନରେ ଶକ୍ତ ଧକ୍କା ଲାଗୁଛି । ସରକାରୀ ଚାକିରୀ ଆଶାରେ ପରୀକ୍ଷା ଦେଇ ଦେଇ ବୟସ ଗଡିଗଲା ସିନା ଚାକିରୀ ଖଣ୍ଡେ ମିଳି ନଥିବା ଅଭିଯୋଗ କରିଛନ୍ତି ଆଶାୟୀ ।
ପୂର୍ବ ସରକାର ସମୟରେ ୨୦୨୧-୨୪ ପର୍ଯ୍ଯନ୍ତ ଚାକିରୀର ଆବେଦନ ବୟସ ସମୀ ୩୨ରୁ ୩୮ ବର୍ଷ ବୟସ କରାଯାଇଥିଲା । ଏବେ ସରକାର ବଦଳିବା ପରେ ୩୨ ବର୍ଷ କରାଯାଇଛି । ବୟସସୀମା ବୃଦ୍ଧି ଦାବି ନେଇ ରାଜ୍ଯ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ୯ ଥର ଭେଟି ଦାବି ଜଣାଇଛନ୍ତି । ଗୋଆରେ ୪୫, ତେଲେଙ୍ଗାନାରେ ୪୬, ଆନ୍ଧ୍ରପ୍ରଦେଶରେ ୪୨, ୟୁପିରେ ୪୦, ଉତ୍ତରାଖଣ୍ଡରେ ୪୨, ହରିୟାଣାରେ ୪୨ ଓ ଲଦାଖରେ ୪୨ ବୟସ ସୀମା ରହିଛି । ୧୫ଟି ରାଜ୍ଯରେ ଥିବା ବୟସ ସୀମା ନେଇ ଅବଗତ ମଧ୍ଯ କରିଛନ୍ତି । ପୂର୍ବରୁ ବିଜେପି ସରକାର ବିରୋଧୀରେ ଥିବାବେଳେ ଚାକିରୀ ବୟସ ସୀମା ବୃଦ୍ଧି ନେଇ ଚିତ୍କାର କରୁଥିଲେ । ଏବେ ସରକାରକୁ ଆସିଲା ପରେ ନୀରବ ବୋଲି ଅଭିଯୋଗ କରିଛନ୍ତି ଆଶାୟୀ । ବାରମ୍ବାର ପରୀକ୍ଷାରେ ବିଭ୍ରାଟ ଓ ଦୁର୍ନୀତି ଖବର ସାମ୍ନାକୁ ଆସିଲେ ମଧ୍ୟ ସରକାରୀ ସ୍ତରରେ କାର୍ଯ୍ୟନୁଷ୍ଠାନ ଶୂନ । ଏବେ ଦେଖିବାର କଥା କେବେ ଆସୁଛି ପରୀକ୍ଷାରେ ସ୍ବଚ୍ଛତା ।
ଅଢେଇ ଘଣ୍ଟାର ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ୮ ମାସର ଶିଶୁପୁତ୍ର
ବ୍ରହ୍ମପୁର : ନୂଆ ଜୀବନ ପାଇଁଲା ୮ ମାସର ଶିଶୁପୁତ୍ର । ଗଳାରୁ ବାହାରିଲା ମୁଣ୍ଡ ଆକୃତିର ମାଂସ ପିଣ୍ଡୁଳା । ବ୍ରହ୍ମପୁର MKCG ଶିଶୁ ଶଲ୍ଯ ବିଭାଗର ବିରଳ ଅସ୍ତ୍ରୋପଚାର । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ନଇରୀ ଗାଁର କାହ୍ନୁ ଚରଣ ବେହେରା ଓ ରୂପା ବେହେରାଙ୍କ ୮ ମାସର ଶିଶୁପୁତ୍ର ଆଶୀର୍ବାଦ । ଜନ୍ମରୁ ସିଷ୍ଟିକ ହାଇଗ୍ରୋମା ବା ଲିମ୍ପାଟିକ ସିଷ୍ଟି ରୋଗରେ ଆକ୍ରାନ୍ତ ଥିଲା । ଗଳା ଧୀରେ ଧୀରେ ଫୁଲି ମୁଣ୍ଡ ଆକାରର ଏକ ମାଂସ ପିଣ୍ଡୁଳା ଜମାଟ ବାନ୍ଧିଥିଲା । ଫଳରେ ଶିଶୁର ନିଃଶ୍ୱାସ ନେବାରେ ସମସ୍ୟା ହେବା ସହ ଖାଇପାରୁ ନଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ MKCGରେ ଭର୍ତ୍ତି କରିଥିଲେ ପରିବାର । ପରୀକ୍ଷା ପରେ ବିଭାଗୀୟ ମୁଖ୍ୟ ମାନସ ରଞ୍ଜନ ଦାସଙ୍କ ନେତୃତ୍ବରେ କରାଯାଇଥିଲା ଅପରେସନ । ଶିଶୁଟି ଏବେ ସୁସ୍ଥ ଥିବାରୁ ଖୁସି ପ୍ରକାଶ କରିଛନ୍ତି ଦମ୍ପତି।
ଅଢେଇ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ଶିଶୁର ଗଳାରୁ ବାହାରିଛି ୧୨ ସେଣ୍ଟିମିଟରର ମାଂସ ପିଣ୍ଡୁଳା । ଜୁଗୁଲାର ଭେନକୁ ସୁରକ୍ଷିତ ରଖିବା ଡାକ୍ତରଙ୍କ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ଅସ୍ତ୍ରୋପଚାର ସମୟରେ କୌଣସି ଅସାବଧାନତା ଯୋଗୁଁ ଜୁଗୁଲାର ଭେନ କ୍ଷତିଗ୍ରସ୍ତ ହେଲେ ଶିଶୁଟି ବଞ୍ଚିବା କଷ୍ଟକର ହୋଇଥାନ୍ତା ବୋଲି କହିଛନ୍ତି ଡାକ୍ତର । ଟିମରେ ବିଭାଗର ଡାକ୍ତର ରାଜେନ୍ଦ୍ର ମିଶ୍ର, ଶ୍ରିଷ୍ଟି ବର୍ମା, ନିଶ୍ଚେତକ ବିଭାଗର ବିଷ୍ଣୁ ପ୍ରସାଦ ମହାପାତ୍ର, ବର୍ଷାରାଣୀ ବେହେରା, ନର୍ସିଂ ଅଫିସର ସ୍ଵର୍ଣ୍ଣଲତା ବେହେରା ଓ ପୂର୍ଣ୍ଣିମା ପ୍ରଧାନଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା କହିଛନ୍ତି ବିଭାର ମୁଖ୍ଯ ଡାକ୍ତର । ବିଭାଗର ଏକ ସ୍ବତନ୍ତ୍ର ଅସ୍ତ୍ରୋପଚାର ଗୃହ ନଥିବା ଯୋଗୁ ଅନେକ ଶିଶୁଙ୍କ ଅସ୍ତ୍ରୋପଚାରରୁ ବଞ୍ଚିତ ହେଉଛନ୍ତି । ତେଣୁ ଏଥିପ୍ରତି ଧ୍ଯାନ ଦେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।
ଦହିରେ ସାପକାତି ବାହାରିବା ନେଇ ଖବର ପ୍ରସାରଣ ପରେ ଯାଞ୍ଚ
ଜୟପୁର : ଦହି ନାଁରେ ବିଷ । ପ୍ଯାକେଟରୁ ବାହାରୁଛି ଅଖାଦ୍ଯ । ଖରାଦିନେ ଗ୍ରାହକଙ୍କୁ ଠକୁଛନ୍ତି କମ୍ପାନୀ । ଯାଞ୍ଚ ପରେ ନୋଟିସ ସହ ସିଲ୍ ହେଲା ରିଟେଲ୍ ସପ୍ । ଗତ କିଛି ହେଲା ଜୟପୁର ସହରରେ କ୍ରମାଗତ ଭାବେ ହେରିଟେଜ କମ୍ପାନୀ ଦହି ପ୍ୟାକେଟରେ ଅଖାଦ୍ୟ ବାହାରିବା ନେଇ ଅଭିଯୋଗ ହୋଇଥିଲା । ଦହି ପ୍ଯାକେଟରୁ ସାପ କାତି ବାହାରିବା ଅଭିଯୋଗ ପରେ ସହରର ସମସ୍ତ ରିଟେଲର ସପରେ ପୌର ଟିମ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ଅଧିକାରୀଙ୍କ ଉପସ୍ଥିତିରେ ପ୍ଯାକେଟରୁ ସେଭଳି କିଛି ବର୍ଜ୍ଯ ଵସ୍ତୁ ବାହାରିଛି । ଏପରିକି ଏକ୍ସପାୟାର ତାରିଖର ୧୫ ଦିନ ପରେ ମଧ୍ଯ ଦହି ପ୍ଯାକେଟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ୩ଟି ରିଟେଲ ସପକୁ ଫାଇନ କରିବା ସହ ଗୋଟିଏ ଦୋକାନକୁ ସିଲ କରିଛି ଟିମ୍ ।
ଜବତ ଦହି ପ୍ଯାକେଟକୁ ଲ୍ୟାବକୁ ପଠାଯାଇଥିବା ବେଳେ ହେରିଟେଜ କମ୍ପାନୀ କୁ ନୋଟିସ କରାଯିବ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ l ଖରା ବଢୁଥିବାରୁ ଦହିର ଚାହିଦା ବଢିଛି । ଏକ୍ସପାୟାର ଦହି ବିକ୍ରି ନେଇ ଅଭିଯୋଗ ପରେ ୮ ଦିନ ତଳେ ଟିମ ଯାଞ୍ଚ କରିଥିଲା । କମ୍ପାନୀ ରିଟେଲ ସପରୁ ସମସ୍ତ ଦହି ଫେରସ୍ତ ମଧ୍ଯ ନେଇଥିଲା । ହେଲେ ୮ଦିନ ପରେ ପୁଣି ସମାନ ଅବସ୍ଥା ଦେଖାଦେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କେବଳ ଅଭିଯୋଗ ଆସିଲେ ଯାଞ୍ଚ କରାଯାଉଥିବା ବେଳେ ନିୟମିତ ବ୍ଯବଧାନରେ ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି ।
ରଥଯାତ୍ରା ପୂର୍ବରୁ ପୁରୀରେ NSG ଟିମର ସମୀକ୍ଷା
ପୁରୀ : କଡ଼ାକଡ଼ି ହେଉଛି ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା । ରଥଯାତ୍ରା ପୂର୍ବରୁ ଯାଞ୍ଚ କଲେ ଏନଏସଜି ଟିମ୍ । ବଡ ଦେଉଳର ଭିତର ଓ ବାହାର ସୁରକ୍ଷା ସ୍ଥିତି ଯାଞ୍ଚ । ପ୍ରଶାସନ ଓ ପୋଲିସ ସହ ଆଲୋଚନା । ପହଲଗାଓଁ ଆତଙ୍କୀ ଘଟଣା ପରେ ଦେଶର ବିଭିନ୍ନ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳ ସୁରକ୍ଷା ବ୍ଯବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ପୁରୀରେ ଆଗକୁ ରଥଯାତ୍ରା ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିର ରଖି ଏନଏସଜି ଟିମ ପହଞ୍ଚି ସ୍ଥିତିର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ସମେତ ଭୌଗଳିକ ଅବସ୍ଥିତିକୁ ନେଇ ସମୀକ୍ଷା କରିଛି ଟିମ୍ । ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ କରାଯାଇଥିବା କହିଛନ୍ତି ଏସପି ।
ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ସାହି ଗୁଡ଼ିକର ଅବସ୍ଥିତି ସହ କେଉଁ କେଉଁ ସ୍ଥାନରେ ୱାଚ୍ ଟାୱାର ରହିଛି ସେସବୁ ଅନୁଧ୍ୟାନ କରିଛି ଟିମ୍ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଏକ କାଳୀନ କେତେ ଭକ୍ତ ଜମା ହୁଅନ୍ତି, ଶ୍ରୀମନ୍ଦିର ଆନ୍ତଃ ଓ ବାହ୍ୟ ପରିକ୍ରମା ମାର୍ଗରେ ସାଧାରଣ ଦିନ ଓ ରଥଯାତ୍ରା ସମୟରେ କେତେ ଶ୍ରଦ୍ଧାଳୁ ଆସନ୍ତି, ଶ୍ରୀମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଆଦି ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ଟିମ ସିଂହଦ୍ଵାର ସମ୍ମୁଖ ଦର୍ଶନ ବ୍ୟବସ୍ଥା ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦି ଯାଞ୍ଚ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସା ତଦାରଖ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାରେ ବର୍ତ୍ତମାନ ୧୨ ପ୍ଲାଟୁନ ଫୋର୍ସ ରହିଥିବା ବେଳେ ସ୍ୱତନ୍ତ୍ର ମେସିନ ଦ୍ୱାରା ସୁରକ୍ଷା ଯାଞ୍ଚ କରାଯାଉଛି । ଏହାସହ ସ୍ୱତନ୍ତ୍ର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ ଭାବେ ଅଧିକାରୀ ଯୋଗ ଦେଇଛନ୍ତି । ସୁରକ୍ଷାକୁ ନେଇ ସଡକ, ଆକାଶ ଓ ସମୁଦ୍ର ପଥରେ ସଜାଗ ଅଛନ୍ତି ଟିମ୍ । ଆତଙ୍କୀ ଆକ୍ରମଣ ପ୍ରତିହତ ପାଇଁ ସବୁ ସ୍ତରରେ କରାଯାଉଛି ପ୍ରସ୍ତୁତି ।
ତାଳଚେରରେ ଦୁଷ୍କର୍ମ ପରେ ହତ୍ୟା ଘଟଣା, ପୀଡିତାଙ୍କ ପରିବାରକୁ ଭେଟିଲା ବିଜେଡି ଟିମ୍
ତାଳଚେର : ତାଳଚେରରେ ଦୁଷ୍କର୍ମ ପରେ ହତ୍ୟା ଘଟଣା। ସୁଭଦ୍ରାଙ୍କୁ ନ୍ୟାୟ ଦାବିରେ କଣିହାଁ ବ୍ଲକ ଲୋଧାଝରି ଗାଁରେ ପହଞ୍ଚିଲା ବିଜେଡ଼ିର ୫ ଜଣିଆ ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ସ୍ନେହାଗିନି ଛୁରିଆ, ଟୁକୁନି ସାହୁ, ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ମୃତକଙ୍କ ପରିବାର ସହ ଭେଟି ସମବେଦନା ଜଣାଇଥିଲେ। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା ଟିମ । ରାଜ୍ୟ ସରକାର ରାଜ୍ୟରେ ନାରୀକୁ ସସକ୍ତ କରିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏବଂ ନାରୀ ମାନଙ୍କ ପାଇଁ ସୁଭଦ୍ରା ଯୋଜନା କରିଥିବା କହୁଥିବା ବେଳେ ଆଜି ଲୋଧାଝରି ଗାଁ ର ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହେଉଛନ୍ତି। କିଭଳି ପୋଲିସ ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ହଇରାଣ କରିଥିଲା ସେ ନେଇ ଆଲୋଚନା କରିଥିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ତେବେ ଯଥା ଶୀଘ୍ର ସୁଭଦ୍ରାକୁ ନ୍ୟାୟ ନମିଳିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଚେନାବ ନଦୀ ପାଣି ଛାଡିଲା ଭାରତ, ପାକିସ୍ତାନରେ ବନ୍ୟା !
ନନ୍ଦିଘୋଷ ବ୍ୟୁରୋ : ଚେନାବ ନଦୀର ପାଣି ହଠାତ୍ ବନ୍ଦ କରିବା ଏବଂ ତାପରେ ହଠାତ୍ ପାଣି ଛାଡିବା… ଭାରତର ଏହି କାର୍ଯ୍ୟ ଯୋଗୁଁ ପାକିସ୍ତାନର ଚିନ୍ତା ଆହୁରି ବଢ଼ିଯାଇଛି। ପାକିସ୍ତାନ ଭୟଭୀତ ହୋଇଯାଇଛି । ଚେନାବ ନଦୀ ଆଖପାଖ ଅଞ୍ଚଳଗୁଡ଼ିକୁ ଖାଲି କରିବାକୁ କୁହାଯାଇଛି। ଲାହୋର ଏବଂ ପଞ୍ଜାବ ପ୍ରଦେଶର ଅନେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ସିଆଲକୋଟରେ ମଧ୍ୟ ବନ୍ୟା ସତର୍କତା ଜାରି କରାଯାଇଛି। ଚେନାବ ନଦୀରେ ହଠାତ୍ ପାଣି ଭର୍ତ୍ତି ହେବା ଯୋଗୁଁ ପାକିସ୍ତାନ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଭାରତ ନିଜ ସର୍ତ୍ତରେ କାମ କରୁଥିବାରୁ ସେ କ’ଣ କରିବା ଉଚିତ ତାହା ବୁଝିପାରୁନି। ପାକିସ୍ତାନ ସମ୍ପୂର୍ଣ୍ଣ ଭୟଭୀତ। ଭାରତ ନିଜ ଦେଶର ସ୍ୱାର୍ଥ ପାଇଁ ଯାହା ଠିକ୍ ମନେ କରୁଛି ତାହା କରୁଛି। ଏଥିରୁ ସ୍ପଷ୍ଟ ଯେ ପାକିସ୍ତାନ ଭାରତକୁ କୌଣସି କ୍ଷତି କରିପାରିବ ନାହିଁ।
ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ, ପାକିସ୍ତାନ ସିମଲା ଚୁକ୍ତିନାମାକୁ ବାତିଲ କରିବାକୁ ଧମକ ଦେଇଥିଲା କିନ୍ତୁ ପ୍ରାୟ ୧୦ ବର୍ଷ ବିତିଗଲାଣି କିନ୍ତୁ ଏହା ଏପର୍ଯ୍ୟନ୍ତ ଏହି ଚୁକ୍ତିନାମାରୁ ଓହରି ନାହିଁ। ସେ ନିରନ୍ତର ପରମାଣୁ ଧମକ ଦେଉଛନ୍ତି। ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ପଦକ୍ଷେପ ନେଇଛି ଏବଂ ଆବଶ୍ୟକ ହେଲେ ଆହୁରି ଅନେକ ପଦକ୍ଷେପ ନିଆଯିବ।
ସୋମବାର ଦିନ ପାକିସ୍ତାନର ସିନ୍ଧୁ ନଦୀ ପ୍ରଣାଳୀ ପ୍ରାଧିକରଣ ଖରିଫ ଫସଲ ପାଇଁ ପାଣି ଅଭାବ ନେଇ ଚିନ୍ତା ପ୍ରକାଶ କରିଛି। ଖରିଫ ଋତୁର ପ୍ରାରମ୍ଭିକ ଦିନଗୁଡ଼ିକରେ ୨୧ ପ୍ରତିଶତ ଜଳ ଅଭାବ ହୋଇପାରେ ବୋଲି IRSA କହିଥିଲା। ଖରିଫ ଋତୁ ଶେଷରେ ସାତ ପ୍ରତିଶତ ଜଳ ଅଭାବ ହୋଇପାରେ। ଯଦି ଚେନାବ ନଦୀର ପ୍ରବାହ ଶୀଘ୍ର ସ୍ୱାଭାବିକ ନ ହୁଏ, ତେବେ ଜଳ ସଙ୍କଟ ବହୁତ ଗମ୍ଭୀର ହୋଇପାରେ।
ଏହିପରି ଭାବରେ, ପାକିସ୍ତାନ ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନକୁ ଧ୍ୱଂସ କରୁଛି। ଚେନାବ ନଦୀର ପାଣିକୁ ରୋକିବା ପାଇଁ ବାଗଲିହାର ଡ୍ୟାମର ଗେଟଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଭାରତର ଏହି ପଦକ୍ଷେପ ପରେ, ଚେନାବର ପ୍ରବାହ ୯୦ ପ୍ରତିଶତ ହ୍ରାସ ପାଇଥିଲା। ପାକିସ୍ତାନୀ ଅଞ୍ଚଳକୁ ଯାଉଥିବା ଚେନାବ ଶୁଖିବା ଆରମ୍ଭ କରିଦେଇଥିଲା। କିନ୍ତୁ ଏବେ ଖବର ଆସିଛି ଯେ ଭାରତ ଚେନାବରେ ଏତେ ପାଣି ଛାଡି ଦେଇଛି ଯେ ପାକିସ୍ତାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ପରିଣତ ବୟସରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗିରିଧାରୀ
ସୁବର୍ଣ୍ଣପୁର : ଭିନ୍ନ ଏକ ଚରିତ୍ର । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଏଭଳି ବାର୍ତ୍ତା ନେଇ ଜଙ୍ଗଲ ସେବାରେ ଲାଗି ପଡିଛନ୍ତି ବ୍ୟକ୍ତି ଜଣଙ୍କ । ଏ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୋଲବନ୍ଧ ଗାଁର ଗିରିଧାରୀ ଭୋଇ । ବୟସ ୬୫ରୁ ଉର୍ଦ୍ଧ୍ଵ ହେଲାଣି । ପେଶାରେ ଜଣେ ଜ୍ଯୋତିଷ ହେଲେ ନିଶା ତାଙ୍କ ନିଆରା । ସେ ଦୀର୍ଘ ୩୦ ବର୍ଷ ହେବ ଜଙ୍ଗଲ ସୃଷ୍ଟି ସହ ଜଙ୍ଗଲ ସୁରକ୍ଷାରେ ଲାଗି ପଡିଛନ୍ତି । ତାଙ୍କର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ।
ଗିରିଧାରୀ ପେଶାରେ ଜଣେ ଜ୍ଯୋତିଷ । ପାଞ୍ଜି ପାଠ ଦେଖି ଅଞ୍ଚଳରେ ବେଶ ଖ୍ଯାତି ଅର୍ଜନ କରିଛନ୍ତି । ହେଲେ ତାଙ୍କ ଜଙ୍ଗଲ ସୁରକ୍ଷା ନିଶା ତାଙ୍କୁ ଆହୁରି ଚର୍ଚ୍ଚିତ କରିଦେଇଛି । ସ୍ଥାନୀୟ ଅଞ୍ଚଳରେ ୧୫ ହେକ୍ଟର ଜମିରେ ନିଜସ୍ଵ ଉଦ୍ଯମରେ ସୃଷ୍ଟି କରିଛନ୍ତି ସବୁଜ ଜଙ୍ଗଲ । ଆଉ ଜଙ୍ଗଲରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ମଧ୍ଯ ଲଗାଇଛନ୍ତି । ସକାଳ ହେଲେ ଘରୁ ଟାଙ୍ଗିଆ ବାଲଟି ଧରି ବାହାରି ପଡିଥାନ୍ତି ଜଙ୍ଗଲ ଭିତରକୁ । ବନ ବିଭାଗ ସହ ନିଜେ ପରିଶ୍ରମ କରି ଏଭଳି ଏକ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି । ସେଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନିତ ମଧ୍ଯ କରାଯାଇଛି
ପାଣି ଟୋପାଏ ପାଇଁ ଆଉଟୁପାଉଟୁ ୫୦ରୁ ଅଧିକ ପରିବାର
ନିମାପଡ଼ା : ପ୍ରତି ଘର ଆଗରେ ଲାଗିଛି ଷ୍ଟାଣ୍ଡପୋଷ୍ଟ । ହେଲେ ତାହା ଅଚଳ । କେଉଁଟା ଭାଙ୍ଗିରୁଜି ଗଲାଣି ତ କାହା ଚାରିପଟେ ଲତାବୁଦା ମାଡିଗଲାଣି । ଏ କୌଣସି ପାହାଡିଆ ଅଞ୍ଚଳର ଦୃଶ୍ଯ ନୁହେଁ । ଏ ହେଉଛି ନିମାପଡ଼ା ବ୍ଲକ୍ ଅଧିନ ରଟିଲୋ ପଞ୍ଚାୟତ ଡିହସାହି ଗାଁର ଦୃଶ୍ଯ । ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି ହେଲେ ପିଇବା ପାଣି ନିମନ୍ତେ କୌଣସି ସୁବିଧା ନଥିବାରୁ ବାଧ୍ଯ ହୋଇ ଲୋକେ ଗାଁ ମଝିରେ ଥିବା କୂଅର ଦୂଷିତ ପାଣି ପିଉଛନ୍ତି । ଗ୍ରାମବାସୀଙ୍କ ସମସ୍ଯା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ । ଖୁବଶୀଘ୍ର ପାଣି ସମସ୍ଯାର ସମାଧାନ କରାନଗରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ରଟିଲୋ ପଞ୍ଚାୟତରେ ପ୍ରତି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି । ସବୁ ଗାଁକୁ ପାନୀୟ ଜଳ ଯୋଗାଣ ହେଉଛି । ହେଲେ ଡିହସାହିକୁ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଗାଁଟି ପଞ୍ଚାୟତର ଶେଷ ମୁଣ୍ଡରେ ଥିବାରୁ ପାଇପ ଲାଇନ ପଡିଥିବା ସତ୍ତ୍ଵେ ସ୍ଥାନୀୟ ନେତାଙ୍କ ଆନ୍ତରିକତା ଅଭାବ ଏବଂ ଦଳୀୟ ମନୋବୃତି ପାଇଁ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଏପଟେ ଖୁବଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ । ହର ଘର ଜଳ ଯୋଜନା ମାଧ୍ୟମରେ ସରକାର ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଇ ଦେଉଥିବା ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି । ସରକାରଙ୍କ ଏହି ଯୋଜନାରେ ହିତାଧିକାରୀ ମାନେ କିଭଳି ସୁଫଳ ପାଉଛନ୍ତି ଡିହସାହି ଗ୍ରାମରୁ ସ୍ପଷ୍ଟ ବାରି ହୋଇପଡିଛି।
ବେଆଇନ କ୍ରସର ବ୍ଲାଷ୍ଟିଂରେ ଅତିଷ୍ଠ ଲୋକେ, ଆନ୍ଦୋଳନ ପାଇଁ ହେଲେଣି ସଜବାଜ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବାରେଶବାହିଲିରେ ରହିଛି ଡିଡି ବିଲଡର କ୍ରସର । ସେହିପରି ସାନଗମଡା,ଚିତାଡୁଙ୍ଗରିରେ ଅଛି ପଥର କୁଆଁରୀ । ଏହି ସବୁ ଖଣିରୁ ଦୀର୍ଘ ଦିନ ହେଲା ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି । ପ୍ରଦୂଷଣ ବୋର୍ଡର କୌଣସି କାଗଜ ପତ୍ର ନଥିବା ସତ୍ତ୍ଵେ କ୍ରସର ମାଲିକ ଖୁଲମଖୁଲା ଏହାକୁ ଚଳାଉଥିବା ଅଭିଯୋଗ ହେଉଛି । କ୍ରସର ଏବଂ ପଥର କୁଆଁରୀ ଯୋଗୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଥର ଗୁଣ୍ଡ ଚାଷ ଜମିରେ ପଡି ଚାଷ ଜମି ସବୁ ନଷ୍ଟ ହେଇ ଯାଉଛି । ଆସନ୍ତୁ ଶୁଣିବା କଣ କହୁଛନ୍ତି ଚାଷୀ ।
ଦିନ ଥିଲା ଚିତାଡୁଙ୍ଗରି ଏକ ବିରାଟ ପାହାଡ ଥିଲା । ହେଲେ ବେଆଇନ ବ୍ଳାଷ୍ଟିଂ ଯୋଗୁ ପାହାଡ କ୍ଷୟ ହେବା ସହ ପରିବେଶ ଦୂଷିତ ହେବାରେ ଲାଗିଛି । ଆଖପାଖ ଗାଁ ଲୋକେ କ୍ରସର ଏବଂ ବ୍ଳାଷ୍ଟିଂ ବନ୍ଦ କରିବାକୁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ପ୍ରଶାସନ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନ ନେଇ ଚେତାବନୀ ଦେଲେଣି ଗ୍ରାମବାସୀ । ଅନ୍ଯପଟେ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ତହସିଲଦାର ଏବଂ ପ୍ରଦୂଷଣ ବୋର୍ଡର ଅଧିକାରୀମାନଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ । ରିପୋର୍ଟ ଆସିବା ପରେ କ୍ରସର ଓ ପଥର କୁଆଁରୀ ବନ୍ଦ କରିବାକୁ ନୋଟିସ ଦିଆଯିବ । ପଥର ବ୍ଲାଷ୍ଟିଂ ଉପରେ ପ୍ରଶାସନ ସତରେ ରୋକ ଲଗାଇବ ନା ଗଣମାଧ୍ଯମକୁ ଚିରାଚରିତ ପ୍ରତିକ୍ରିୟା ଦେଇ ପ୍ରଶାସନ ପୁଣି ଜାଣିଶୁଣି ଶୋଇପଡିବ ।

